ଯାଜପୁର : ଭଣ୍ଡାରିପୋଖୀ ବ୍ଲକ୍ରେ ରବିବାର ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖୁବ ଜୋରରେ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଚାଳ ଛପର ଉଡ଼ିଯାଇଛି। ବିଦ୍ୟୁତ୍ ଖୁଣ୍ଟ ନଇଁପଡ଼ିଛି। କୃଷି ସରକାରୀ ଫାର୍ମ ହାଉସର ଆଜବେଷ୍ଟସ ଉଡ଼ିଯାଇଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି। ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ଲାଇନ୍ ଆସି ନଥିବା ଜଣାପଡ଼ିଛି। ସେହିପରି ଏହି ଝଡ଼ବର୍ଷାରେ ରଂଜିତ ଗ୍ରାମ ପଞ୍ଚାୟତର ସୁଧାକର ମଲିକ, ଅଶୋକ ମଲିକ, କଳିଙ୍ଗ ମଲିକଙ୍କ ଘର ଉପରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବାରୁ ଘର ଭାଙ୍ଗିଯାଇଛି। ଫଳରେ ତିନି ପରିବାର ବେସାହାର ହୋଇଯାଇଛନ୍ତି। ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।
/sambad/media/post_attachments/wp-content/uploads/2023/05/jj2-750x430.jpg)
କୋରେଇରେ କାଳବୈଶାଖୀ
କୋରେଇ : କୋରେଇ ବ୍ଲକ୍ର ବିଭିନ୍ନ ସ୍ଥାନରେ ରବିବାର ଦିନ କାଳବୈଶାଖୀ ଝଡ଼ତୋଫାନରେ ବହୁ ସ୍ଥାନରେ ଗଛଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି ଅପରାହ୍ଣରେ ହୋଇଥିବା କାଳବୈଶାଖୀରେ ବୈତରଣୀରୋଡ୍-ଷଠିପୁର, ମୁକୁନ୍ଦପୁର-ବୈତରଣୀରୋଡ୍, ତାରାକୋଟ-ବରୁଣ୍ଡେଇ, ଖଜୁରିନାଲୁଆ-ରଣପୁର ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। କେତେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ରାସ୍ତାରେ ଗଛ ପଡ଼ିଥିବାରୁ ବୈତରଣୀ ଦମକଳ ବାହାନୀ ପହଞ୍ଚି ଗଛ ହଟାଇଛନ୍ତି। ବୈତରଣୀ ରୋଡ୍ ବଜାରରେ ବହୁ ଦୋକାନ ଘର ଉପରୁ ଟିଣ ଛପର ମଧ୍ୟ ଉଡ଼ି ଯାଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2023/05/jj33-750x430.jpg)
ଉଡ଼ିଗଲା ଛପର, ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ
ଯାଜପୁରସଦର : ରବିବାର ଅପରାହ୍ଣରେ କାଳବୈଶାଖୀ ତାଣ୍ଡବରେ ଯାଜପୁର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଓ ପବନରେ ବହୁ ଘରର ଛପର ଉଡ଼ିଯାଇଛି। କେତେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଛି। ଫଳରେ ସହରରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି।
Follow Us