ଭୋଗରାଇ ପଞ୍ଚାୟତ ସମିତିରେ ବ୍ୟାପକ ଅନିୟମିତତା, ତଦନ୍ତ ଦାବି କଲା ବ୍ଲକ କଂଗ୍ରେସ

Advertisment
ଭୋଗରାଇ ପଞ୍ଚାୟତ ସମିତିରେ ବ୍ୟାପକ ଅନିୟମିତତା, ତଦନ୍ତ ଦାବି କଲା ବ୍ଲକ କଂଗ୍ରେସ

ଭୋଗରାଇ : ନିୟମ ଅନୁସାରେ ପ୍ରତି ୨ ମାସରେ ଥରେ ପଞ୍ଚାୟତ ସମିତି ବୈଠକ ହେବା କଥା। କିନ୍ତୁ ଭୋଗରାଇ ପଞ୍ଚାୟତ ସମିତି ଗଠନକୁ ତିନିବର୍ଷ ପୁରିଥିଲେ ମଧ୍ୟ ୨୦୧୭ ମସିହାରୁ ଏଯାବତ ମାତ୍ର ୭ ଥର ବୈଠକ ହୋଇଛି। ଆସନ୍ତା ୧୭ ତାରିଖରେ ପଞ୍ଚାୟତ ସମିତିର ଅଷ୍ଟମ ବୈଠକ ଆହ୍ୱାନ କରାଯାଇଛି। ନିୟମିତ ବ୍ୟବଧାନରେ ବୈଠକ ଅନୁଷ୍ଠିତ ହେଉନଥିବାରୁ ସମିତି ଅଧୀନରେ ଥିବା ପଞ୍ଚାୟତଗୁଡ଼ିକର ସମସ୍ୟା, ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇ ପାରୁନାହିଁ ଏବଂ ଆର୍ଥିକ ଅନିୟମିତତା ସାଙ୍ଗକୁ ସରକାରୀ ଅର୍ଥ ହରିଲୁଟ୍‌ ହେଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ସମର୍ଥନରେ ବିଭିନ୍ନ ପଞ୍ଚାୟତରୁ ନିର୍ବାଚିତ ହୋଇଥିବା ସରପଞ୍ଚ ଓ ସମିତି ସଭ୍ୟମାନେ ଅଭିଯୋଗ କରିଛନ୍ତି।

କଂଗ୍ରେସର ଅଭିଯୋଗ ମୁତାବକ, ପ୍ରତ୍ୟେକ ପଞ୍ଚାୟତ ସମିତିରେ ୭ଟି ଷ୍ଟାଣ୍ଡିଂ କମିଟି ଗଠନ କରିବାର ବିଧି ବ୍ୟବସ୍ଥା ଥିବା ବେଳେ ଏଠାରେ ତାହା କାର୍ଯ୍ୟକାରୀ କରାଯାଉନାହିଁ। ନିର୍ବାଚିତ ପ୍ରତିନିଧିମାନଙ୍କ ଅଗୋଚରରେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହେଉଛି। ନିୟମ ମୁତାବକ ପଲ୍ଲୀସଭା କିମ୍ବା ଗ୍ରାମସଭା କରାନଯାଇ ସମ୍ପୃକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଉଛି ଏବଂ ଉକ୍ତ କାର୍ଯ୍ୟର ବିଲ ମଧ୍ୟ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀମାନେ କରୁଛନ୍ତି। ଯାହାଫଳରେ ସ୍ୱଚ୍ଛତା ରହୁନାହିଁ। ଗତ ଅମ୍ଫାନ୍‌ ବାତ୍ୟା ପରେ କ୍ଷତିଗ୍ରସ୍ତ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ପାଇଁ ଆସିଥିବା ଅନୁଦାନ ବିନିଯୋଗରେ ନିର୍ବାଚିତ ପ୍ରତିନିଧିଙ୍କୁ ଅନ୍ଧାରରେ ରଖାଯାଇଛି। ପଞ୍ଚାୟତ ସମିତିରେ ଶାସକ ଦଳର ସଂଖ୍ୟାଗରିଷ୍ଠତା ଥିବାରୁ ଅଧକ୍ଷା ତଥା ବିଡିଓ ମନମୁଖି ଭାବେ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ଭୋଗରାଇ ବ୍ଲକ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକ କଂଗ୍ରେସ କମିଟିର ସଭାପତି ତଥା ଗୁନାଇବସାଣ ପଞ୍ଚାୟତ ସରପଞ୍ଚ ଆଶିଷ କୁମାର ପାତ୍ର, ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସ, ଦେହୁର୍ଦ୍ଦା ପଞ୍ଚାୟତର ସମିତି ସଭ୍ୟ ତଥା ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଜେନା, କୁମ୍ଭୀରଗଡି ସରପଞ୍ଚ ରତନ ବାଗ, ଦେହୁର୍ଦ୍ଦା ସରପଞ୍ଚ ଧର୍ମପଦ ଦାସ, ପାଣିଷଣ୍ଢ। ସମିତି ସଭ୍ୟ ଜୟନ୍ତ ତୋଳା, ନହରା ସରପଞ୍ଚ ଗୋପାଳ ମୁଖୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe