ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଜାରି ରହିଛି: ଖର୍ଚ୍ଚଦାବି ଆଲୋଚନାରେ ଉଦ୍‌ବେଗ ପ୍ରକାଶ କଲେ ବିରୋଧୀ

ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଜାରି ରହିଛି: ଖର୍ଚ୍ଚଦାବି ଆଲୋଚନାରେ ଉଦ୍‌ବେଗ ପ୍ରକାଶ କଲେ ବିରୋଧୀ

ଭୁବନେଶ୍ବର: ଧାନ ସଂଗ୍ରହରେ ଅବ୍ୟବସ୍ଥା ଜାରି ରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ ସରକାର ଭିତ୍ତିଭୂମି ସଜାଡ଼ୁନାହାନ୍ତି। ଟୋକନ୍‌ ବ୍ୟବସ୍ଥାରେ ବି ତ୍ରୁଟି ରହୁଛି। ସରକାର ପୁରସ୍କାର ଗୋଟାଇବାରେ ଲାଗିଛନ୍ତି। କିନ୍ତୁ ଅବ୍ୟବସ୍ଥା ସଜାଡ଼ିବାକୁ ସମୟ ପାଉନାହାନ୍ତି। ଆଜି ଯୋଗାଣ ଓ ସମବାୟ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେ‌ଳେ ଏମିତି ସମାଲୋଚନା କରିଛନ୍ତି ବିରୋଧୀ ଦଳ ବିଧାୟକମାନେ। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ୨୨ ବର୍ଷର ଶାସନ ପରେ ବି ଆଦିବାସୀମାନେ ଟାକୁଆ ଖାଉଛନ୍ତି। ଭୋକର ଭୂଗୋଳ କଳାହାଣ୍ଡିର ଚିତ୍ର କେତେ ବଦଳିଛି, ତାହାର ବି ସମୀକ୍ଷା ହେଉ। ମୁଖ୍ୟମନ୍ତ୍ରୀଙ୍କ ରୋ‌ମ୍‌ ଗସ୍ତର ମାସେ ନ ପୂରୁଣୁ କାଶୀପୁରରେ ଅଖାଦ୍ୟ ଖାଇ ଲୋକ ମରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାର ଆଞ୍ଚଳିକ ବିଫଳତା ହିଁ ଏଥି ପାଇଁ ଦାୟୀ। କାଶୀପୁରର ବହୁ ଲୋକଙ୍କୁ ଚାଉଳ ଠିକ୍ ଭାବେ ମିଳୁନି। ମଣ୍ଡିରେ ଧାନ ପଡ଼ିରହୁଛି, ଟୋକନ୍ ଲାପ୍‌ସ୍‌ କରୁଛି। ମଣ୍ଡିରେ ଉପଯୁକ୍ତ ଭିତ୍ତିଭୂମି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ଛତିଶଗଡ଼ରେ ବ୍ୟାପକ ଭିତ୍ତିଭୂମି ଥିଲା ବେଳେ ଆମର ହୋଇପାରୁନି। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ରକ୍ଷାକବଚ ସାଜିଛି। କିନ୍ତୁ ରାଜ୍ୟ ସରକାର ତାହାର ଠିକ ପରିଚାଳନା କରୁନାହାନ୍ତି। ଆର୍‌ଏମ୍‌ସିଗୁଡ଼ିକର ଆଧୁନିକୀକରଣ ହୋଇପାରିଲାନି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ, ଏବେ ବି ଧାନ ସଂଗ୍ରହ ବେଳେ ବିନା କାରଣରେ ୭ରୁ ୧୫ କେଜି କଟ୍‌ନି ଛଟ୍‌ନି କରାଯାଉଛି। ଛତିଶଗଡ଼ରେ ସରକାର ଏମ୍‌ଏସ୍‌ପି ଉପରେ ବୋନସ୍ ଦେଉଛନ୍ତି। କିନ୍ତୁ ଏଠି ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିବା ସତ୍ତ୍ବେ ବୋନସ୍ ମିଳୁ ନାହିଁ। କାଶୀପୁରରେ କିଛି ପରିବାରର ରାସନ୍ କାର୍ଡ ହଜିଯାଇଛି। ସେଥି ପାଇଁ ସେମାନଙ୍କୁ ରାସନ୍ ସାମଗ୍ରୀ ମିଳୁ ନାହିଁ। ଏ ଦିଗରେ ସ୍ଥାନୀୟ ଅଧିକାରୀ କିଛି ପଦକ୍ଷେପ ନେଉ ନାହାନ୍ତି। ଯୋଗାଣ ବିଭାଗରେ ଦୁର୍ନୀତି ମାଡ଼ିଯାଇଛି।
ମୁକେଶ ମହାଲିଙ୍ଗ କହିଲେ, ସରକାର ପୁରସ୍କାର ଗୋଟାଇବାରେ ବ୍ୟସ୍ତ। କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। ଧାନ ସଂଗ୍ରହରେ ଟୋକନ୍ ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଚାଷୀ ହଇରାଣ ହେଉଛି। ଟୋକନ୍‌ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଯାଉ। ଜିଲ୍ଲା ସ୍ତରରେ ଟୋକନ୍ ଇସ୍ୟୁ ପାଇଁ ବ୍ୟବସ୍ଥା ହେଉ। ପାକ୍‌ସ୍‌ ସମ୍ପାଦକ ନିଯୁକ୍ତିରେ ଏକ ନିୟମାବଳୀ ହେଉଛି। ସେମାନଙ୍କ ବଦଳି ପାଇଁ ବ୍ୟବସ୍ଥା କରାଯାଉ। ଫଳରେ ଦୁର୍ନୀତି ୫୦% କମିଯିବ। ବିରୋଧୀ ଦଳ ପକ୍ଷରୁ ଅଧିରାଜ ମୋହନ ପାଣିଗ୍ରାହୀ, କୁସୁମ ଟେଟେ, ଦାଶରଥୀ ଗମାଙ୍ଗୋ ଓ ନବ ଚରଣ ମାଝୀ ପ୍ରମୁଖ ଧାନ କିଣାରେ ଅବ୍ୟବସ୍ଥା ଓ ରାସନ୍ କାର୍ଡ ସମସ୍ୟା ଉପରେ ଆଲୋଚନା କରିଥିଲେ।

ଶାସକ ଦଳର ସଭ୍ୟମାନେ ଖାଦ୍ୟ ସୁରକ୍ଷା‌ ଯୋଜନାର ସଫଳତା ବଖାଣି ସରକାରଙ୍କ ପ୍ରଶଂସା କରିଥିଲେ। ଶାରଦା ନାୟକ କହିଥିଲେ, କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡରୁ ବଞ୍ଚିତ କରାଯାଇ ନାହିଁ। ଧାନ ସଂଗ୍ରହ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରାଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଧାନ ସଂଗ୍ରହ ସୁରୁଖୁରୁରେ ଚାଲିଛି। ବିରୋଧୀ ଦଳ କେବଳ ବିରୋଧ କରିବା ପାଇଁ କୁହନ୍ତୁ ନାହିଁ। ସେମାନେ ଗଠନମୂଳକ ପ୍ରସ୍ତାବ ଦିଅନ୍ତୁ। ପ୍ରଫୁଲ୍ଲ ସାମଲ କହିଥିଲେ, ସବୁ ସରକାରୀ ବିଭାଗ ସେମାନଙ୍କ ଜମା ଟଙ୍କା ରାଜ୍ୟ ସମବାୟ ବ୍ୟାଙ୍କରେ ରଖିବା ପାଇଁ ବ୍ୟବସ୍ଥା କରାଯାଉ। ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ, ଏବେ ଓଡ଼ିଶା ମଡେଲକୁ ସମସ୍ତେ ଅନୁକରଣ କରୁଛନ୍ତି। ପରିବର୍ତ୍ତିତ ଓଡ଼ିଶାରେ ଗରିବୀ ନାହିଁ। ଦାରିଦ୍ର୍ୟ ଦୂରୀକରଣ ଅଭିଯାନ ସଫଳ ହୋଇଛି। ପ୍ରଣବ ବଳବନ୍ତରାୟ, କିଶୋର ନାୟକ ଓ ରାଜକିଶୋର ଦାସ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe