iStock
ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଚର୍ଦାପାଲି ଗ୍ରାମରେ ଜଣେ ବିବାହିତା ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଲିଜା ଜଗତ ବର୍ଷେ ତଳେ ବମ୍ବରୀତ ଗ୍ରାମର ପିଣ୍ଟୁ ଧରୁଆଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ପତି-ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବାରୁ ଲିଜା ଚର୍ଦାପାଲିକୁ ଚାଲି ଆସି ମା’ଙ୍କ ସହ ରହୁଥିଲେ। ଘରେ କେବଳ ମା’-ଝିଅଙ୍କ ବ୍ୟତୀତ ଅନ୍ୟ କୌ​ଣସି ସଦସ୍ୟ ନଥିଲେ। ତେବେ ପତି-ପତ୍ନୀଙ୍କ ମଧ୍ୟରେ ସଂପର୍କ ସୁଧୁରିବା ପରେ ପିଣ୍ଟୁ ବି ମଝି ମଝିରେ ଆସି ଚର୍ଦାପାଲିରେ ରହୁଥିଲେ।
ମାତ୍ର ଗତ ୪ ତାରିଖ ରାତିରେ ଲିଜା ନିଜ ଶୋଇବା ଘରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା। ଘରୁ ଧୂଆଁ ଓ ଗନ୍ଧ ବାହାରୁଥିବାରୁ ତାଙ୍କ ମା’ ଉଠି ନିଆଁ ଲିଭାଇଥିଲା। ଗୁରୁତର ଅବସ୍ଥାରେ ଲିଜାଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଜଗଦଲପୁର ଥାନା ଅଧିକାରୀ ସୁଷମା କୁଅଁର ଡାକ୍ତରଖାନାରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା କରିବା ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏ ନେଇ ଥାନା କେସ୍ ନଂ. ୩୨/୨୩ରେ ଏକ ମାମଲା ରୁଜ୍ଜୁ ହୋଇଛି। ଆତ୍ମହତ୍ୟାର କାରଣ ଜଣାପଡ଼ି ନଥିବା ବେଳେ ସାଇଣ୍ଟିଫିକ୍ ଟିମ ଆସିଲା ପରେ ତଦନ୍ତରେ ଅଗ୍ରଗତି ହେବ ବୋଲି ପୁଲିସ କହିଛି।
Follow Us