ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ରାସ୍ତାରେ ଘରେ ଏସି ସଟସର୍କିଟ୍ରୁ ଭୟଙ୍କର ଅଗ୍ନିକାଣ୍ଡ ଘଟି ବୃଦ୍ଧାପତ୍ନୀଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ବିଳମ୍ବିତ ରାତିରେ ପତ୍ନୀ ଉତ୍ତରା ସାହୁଙ୍କୁ କଟକ ସ୍ଥାନାନ୍ତର କରାଯିବା ବେଳେ ତାଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ଏସି ସଟସର୍କିଟ୍ରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଏକ ବୃଦ୍ଧ ଦମ୍ପତି ଗୁରୁତର ହୋଇଥିଲେ। ସ୍ବାମୀ ପ୍ରଭାକର ସାହୁ ନିଆଁ ଧୂଆଁରେ ଶ୍ବାସରୁଦ୍ଧ ହୋଇ ପଡ଼ିଥିବା ବେଳେ ପତ୍ନୀ ଉତ୍ତରା ସାହୁଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ରହିଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ରୋଡ଼ ବ୍ରଜନଗରରେ ଏକ ଘରର ପ୍ରଥମ ମହଲାରେ ପ୍ରଭାକର ସାହୁ ଓ ପତ୍ନୀ ଉତ୍ତରା ରହୁଛନ୍ତି।
ତାଙ୍କର ପୁଅ ବାହାରେ କାମ କରି ରହୁଛନ୍ତି। ଗତକାଲି ମଧ୍ୟାହ୍ନ ସମୟରେ ଘରର ତଳ ମହଲାରେ ଫ୍ୟାନ୍ ମରାମତି କରୁଥିବା ଅରୁଣ କୁମାର ବେହେରା ଉପର ମହଲାରୁ ଧୂଆଁ ଆସୁଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ଉପର ମହଲାର ଏକ ଘରେ ବୃଦ୍ଧ ଦମ୍ପତି ଶୋଇଥିଲେ। ଅଗ୍ନିଶମ ବିଭାଗ ସ୍ଥାନୀୟ ଲୋକଙ୍କ ସହାୟତାରେ ଉପର ମହଲାକୁ ଯାଇ କବାଟ ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରିଥିଲା। ଅଗ୍ନିକାଣ୍ଡରେ ଉତ୍ତରାଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିବା ବେଳେ ପ୍ରଭାକର ଶ୍ବାସରୁଦ୍ଧ ହୋଇ ପଡ଼ିଥିଲେ। ଉଭୟଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏସିରେ ସର୍ଟସର୍କିଟ ଘଟି ସେହି କୋଠରିରେ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us