Brandt Kettwick Defense
ଘୁ.ଉଦୟଗିରି : ସୁରତରେ ଓଡ଼ିଆ ଶ୍ରମିକ ପରିବାରରେ ହତ୍ୟାକାଣ୍ଡ ଘଟିଛି। ସ୍ବାମୀକୁ ହତ୍ୟା କରିବା ସହିତ ଶବକୁ ଅଖାରେ ବାନ୍ଧି ଫୋପାଡ଼ି ଦେବାପରେ ଦୁଇଝିଅ ସହ ଗାଁକୁ ଆସି ଆତ୍ମଗୋପନ କରିଥିଲା ପତ୍ନୀ। ଶେଷରେ, ଅଭିଯୁକ୍ତ ପତ୍ନୀ ଓ ଦୁଇଝିଅଙ୍କୁ ସୁରତ ପୁଲିସ ଆଜି ଉଠାଇନେଇଛି।
ମୃତ ଶ୍ରମିକ ହେଲେ, କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ଅଧୀନ ରଟିଙ୍ଗିଆ ପଞ୍ଚାୟତ ଡକେଡି ଗ୍ରାମର ନରେଶ ନାୟକ। ପତ୍ନୀ ସବିତା ନାୟକ (୪୬) ଓ ଦୁଇଝିଅ ସହ ୨୫ ବର୍ଷ ହେଲା ସୁରତର ପିପଦରା ଅଞ୍ଚଳର ଉମଙ୍ଗ୍ ରେସିଡେନ୍ସିରେ ରହିଆସୁଥିଲେ ନରେଶ। ସେଠାରେ ସେ ଜଣେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। କିଛିଦିନ ତଳେ ନରେଶ ଓ ସବିତାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଗତ ୨ ତାରିଖ ପରେ ହଠାତ୍ ନରେଶ ନିଖୋଜ ହୋଇଯାଇଥିଲେ। କିଛିଦିନ ପରେ ତାଙ୍କ ଶବ ଭଡ଼ାଘରଠୁ କିଛି ଦୂର ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା। ହତ୍ୟା ସନ୍ଦେହ କରି ମୃତ ନରେଶଙ୍କ ଭାଇ ମୁନା, ସାହିର ଏମଡି.ୟାକୁବ୍ ଓ ଏମଡି.ୟାଜିସ ସୁରତର କୋସାମ୍ବା ପୁଲିସ ପାଖରେ ଲିଖିତ ଅଭିଯୋଗ କରିଥିଲେ। ସେଠାକାର ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। କିନ୍ତୁ, ତଦନ୍ତ ବେଳେ ପତ୍ନୀ ସବିତା ଓ ଦୁଇଝିଅ ଅନୁପସ୍ଥିତ ଥିବାରୁ ପୁଲିସର ସିଧାସଳଖ ସନ୍ଦେହ ସେମାନଙ୍କ ଉପରକୁ ଯାଇଥିଲା। ଗତକାଲି କୋସମ୍ବା ଥାନାରୁ ଚାରିଜଣିଆ ପୁଲିସ ଟିମ୍ ଘୁ.ଉଦୟଗିରିରେ ପହଞ୍ଚିଥିଲେ। ସ୍ଥାନୀୟ ଥାନା ସହଯୋଗରେ ଅଭିଯୁକ୍ତ ପତ୍ନୀ ସବିତା, ଝିଅ ସୁନିତା ଓ ନାବାଳିକା ସାନଝିଅକୁ ଡକେଡିସ୍ଥିତ ବାସଭବନରୁ ଉଠାଇଥିଲେ। ପଚରାଉଚରା ପରେ ସବିତା ସବୁ ଦୋଷ ସ୍ବୀକାର କରିଥିଲେ। ନରେଶଙ୍କୁ ହତ୍ୟାକରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ଶବକୁ ଅଖାରେ ବାନ୍ଧି ଫୋପାଡ଼ି ଦେଇଥିଲେ ଏବଂ ଦୁଇ ଝିଅ ସହ ଗାଁକୁ ଚାଲିଆସିଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି।
ଏହାପରେ ପୁଲିସ ସବିତା, ତାଙ୍କର ଝିଅ ସୁନୀତା (୧୯) ଓ ଆଉ ଜଣେ ନାବାଳିକା ଝିଅକୁ ଟ୍ରାନ୍ଜିଟ୍ ରିମାଣ୍ଡରେ ସୁରତ ନେଇଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଡକେଡି ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
Follow Us