ଭଦ୍ରକ: ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳରେ ଥିବା ଏକ ମତଦାନ କେନ୍ଦ୍ର ସାମ୍ନାରୁ ଜଣେ ମହିଳାଙ୍କୁ ତାଙ୍କର ସ୍ବାମୀ ଅତି ନୃଶଂସ ଭାବେ ବୁଥ ସାମ୍ନାରେ ହାଣିଛି। ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି। ମୃତ ମହିଳା ହେଲେ ରଶ୍ମିରେଖା ବେହେରା।
ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତ ମୁକ୍ତାଡିହି ଗାଁର ପ୍ରଭାକର ରାଉତଙ୍କୁ ଗତ ୪-୫ ବର୍ଷ ପୂର୍ବେ ଜରାଗମ୍ଭୀରା ଗାଁର ରଶ୍ମିରେଖା ବିବାହ କରିଥିଲେ। ଉଭୟଙ୍କର ଏକ ୩ ବର୍ଷର ଶିଶୁପୁତ୍ର ମଧ୍ୟ ରହିଛି। ତେବେ ଏହାରି ଭିତରେ ପ୍ରଭାକର ଓ ରଶ୍ମିରେଖାଙ୍କ ମଧ୍ୟରେ ପାରିବାରିକ କାରଣକୁ ନେଇ ଝଗଡ଼ା ହୋଇଥିଲା। ତେଣୁ ରଶ୍ମିରେଖା କିଛି ଦିନ ହେଲା ନିଜ ବାପ ଘର ଜିରାଗମ୍ଭୀରାରେ ରହୁଥିଲେ।
ଆଜି ପୂର୍ବାହ୍ଣରେ ରଶ୍ମିରେଖା ନିଜ ଦାଦାଙ୍କ ସହିତ ଭୋଟ୍ ଦେବା ପାଇଁ ମୁକ୍ତାଡିହି ଗାଁକୁ ଆସିଥିଲେ। ଏଠାରେ କରାଯାଇଥିବା ୪ ନମ୍ବର ବୁଥକୁ ରଶ୍ମିରେଖା ମତଦାନ କରିବାକୁ ଯାଉଥିଲେ। ଏହି ସମୟରେ ପ୍ରଭାକର ନିଜ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ରଶ୍ମିରେଖାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରଭାକରକୁ ଗ୍ରାମାଞ୍ଚଳ ପୁଲିସ ଅଟକ ରଖିଛି।
Follow Us