ସୁନ୍ଦରଗଡ଼: ପରକୀୟା ପ୍ରୀତି ପାଇଁ ନିଜ ହାତରେ ସିନ୍ଦୂର ପୋଛିଦେଲା ସ୍ତ୍ରୀ। ପ୍ରେମିକ ଓ ତା’ର ସହଯୋଗୀ ସହ ମିଶି ସ୍ବାମୀକୁ ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟା କଲା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସୁନ୍ଦରଗଡ଼ ଟାଉନ ଥାନା ମିସନ୍ରୋଡ୍ ନିକଟ ହରିଓଁ କଲୋନିରେ ଘଟିଛି। ମୃତ ସ୍ବାମୀ ହେଲେ ଧ୍ରୁବ କେର୍କେଟା (୬୨)। ହତ୍ୟା ଅଭିଯୁକ୍ତ ପତ୍ନୀଙ୍କ ନାଁ ଉର୍ମିଳା (୩୬)। ଏହି ଘଟଣାରେ ଉର୍ମିଳାଙ୍କ ସମେତ ପ୍ରେମିକ ସଦରଥାନା ତସଲାଡିହିର ସୁବ୍ରତ ମାଝୀ (୨୪) ଓ ତା’ ସାଙ୍ଗ ବିମଳ ଦଣ୍ଡସେନା (୩୪)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତଳସରା ଥାନା ଜାଇସର କାଳିଆପଡ଼ା ନିବାସୀ ଧ୍ରୁବ କେର୍କେଟା ସବଡ଼େଗା ବ୍ଲକ୍ର ମୁଖ୍ୟ କିରାଣି ଭାବେ ଅବସର ନେବା ପରେ ସ୍ତ୍ରୀ ଉର୍ମିଳାଙ୍କ ସହ ସୁନ୍ଦରଗଡ଼ ହରିଓଁ କଲୋନିରେ ଭଡ଼ା ଘରେ ରହୁଥିଲେ। ତାଙ୍କର ଏକ ୧୨ ବର୍ଷର ପୁଅ ଅଛି। ଏଠାରେ ରହିବା ଭିତରେ ସ୍ତ୍ରୀ ଉର୍ମିଳାଙ୍କର ତସଲାଡିହିର ସୁବ୍ରତ ମାଝୀଙ୍କ ସହ ଅନୈତିକ ସମ୍ପର୍କ ସୃଷ୍ଟି ହୋଇଥିଲା। ସୁବ୍ରତ ଅନେକ ସମୟରେ ତାଙ୍କ ଘରକୁ ଆସୁଥିବା ଓ ପତ୍ନୀଙ୍କ ହାବଭାବରୁ ଧ୍ରୁବଙ୍କ ସନ୍ଦେହ ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡ଼ା ହେଉଥିଲା। ଏପରିକି ଉର୍ମିଳାଙ୍କ ପ୍ରେମିକ ସୁବ୍ରତ ଅନେକ ଥର ଫୋନ କରି ଧମକ ମଧ୍ୟ ଦେଉଥିଲା ବୋଲି ଅଭିଯୋଗ ରହିଛି। ଧ୍ରୁବଙ୍କୁ ସେମାନଙ୍କ ପ୍ରେମର କଣ୍ଟା ଭାବି ରାସ୍ତାରୁ ହଟାଇବାକୁ ଉର୍ମିଳା ଓ ପ୍ରେମିକ ସୁବ୍ରତ ନିଷ୍ପତ୍ତି ନେଇଥିଲେ। ଯୋଜନା ମୁତାବକ ମଙ୍ଗଳବାର ରାତିରେ ଉର୍ମିଳା ରାତ୍ରିଭୋଜନରେ ୬ଟି ନିଦ ବଟିକା ମିଶାଇ ସ୍ବାମୀ ଧ୍ରୁବଙ୍କୁ ଖୁଆଇ ଦେଇଥିଲେ।
ଯାହା ଫଳରେ ସେ ଗଭୀର ନିଦରେ ଶୋଇଯିବା ପରେ ବିଳମ୍ବିତ ରାତିରେ ସୁବ୍ରତ ଓ ତା’ର ସହଯୋଗୀ ବିମଳ ଆସି ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ। ପ୍ରେମିକ ଓ ସହଯୋଗୀ ଧ୍ରୁବଙ୍କ ହାତଗୋଡ଼ ମାଡ଼ି ଧରିବା ପରେ ଉର୍ମିଳା ନିଜେ ସ୍ବାମୀଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ସେଥିରେ ଧ୍ରୁବ ନ ମରିବାରୁ ଏକ ଗାମୁଛାରେ ତଣ୍ଟିକୁ ଭିଡ଼ି ହତ୍ୟା କରିଥିଲା। ଏହି ଘଟଣା ପରେ ପ୍ରେମିକ ସୁବ୍ରତ ଓ ସହଯୋଗୀ ଘରକୁ ପଳାଇଥିଲେ। ଆଜି ସକାଳେ ଉର୍ମିଳା ପ୍ରଥମେ ନିଜ ଭାଇକୁ ଖବର ଦେବା ପରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ସ୍ବାମୀ ବିଷପିଇ ଆତ୍ମହତ୍ୟା କରିଥିବା କହିଥିଲେ। କିନ୍ତୁ ଡାକ୍ତରଖାନା କର୍ମଚାରୀ ସନ୍ଦେହ କରି ପୁଲିସକୁ ସୂଚନା ଦେଇଥିଲେ। ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଉର୍ମିଳାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ବାରମ୍ବାର କଥା ବଦଳାଉଥିବାରୁ ସନ୍ଦେହ ଘନୀଭୂତ ହୋଇଥିଲା। ଶେଷରେ ସେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ଓ ଏଥିରେ ପ୍ରେମିକ ସୁବ୍ରତ, ତା’ ସାଙ୍ଗ ବିମଳ ସହଯୋଗ କରିଥିବା ସ୍ବୀକାର କରିଥିଲେ। ପୁଲିସ ଟିମ୍ ତସଲାଡିହିରେ ଚଢ଼ାଉ କରି ପ୍ରେମିକ ସୁବ୍ରତ ଓ ସହଯୋଗୀ ବିମଳକୁ ଗିରଫ କରିଛନ୍ତି।
Follow Us