ପତ୍ନୀଙ୍କ ମୃତ୍ୟୁ ସନ୍ଦେହଜନକ: ଜେଲ୍‌ରେ ସ୍ବାମୀର ଆତ୍ମହତ୍ୟା

Advertisment
ପତ୍ନୀଙ୍କ ମୃତ୍ୟୁ ସନ୍ଦେହଜନକ: ଜେଲ୍‌ରେ ସ୍ବାମୀର ଆତ୍ମହତ୍ୟା

ବଡ଼ବିଲ: ପତ୍ନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇ ଜେଲ୍‌ ଯିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଜେଲ୍‌ରେ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ। ମୃତକ ହେଲେ ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ତୁଷାରକାନ୍ତ ମଲ୍ଲିକ (୨୯)। ସେ ବଡ଼ବିଲ ଓଏମ୍‌ସିରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ଜେଲ୍‌ ଯିବାର ମାତ୍ର ୬ ଘଣ୍ଟା ଭିତରେ ତୁଷାରକାନ୍ତ କେମିତି ଆତ୍ମହତ୍ୟା କଲେ ତାକୁ ନେଇ ତନାଘନା ଆରମ୍ଭ ହୋଇଛି। ୨୦୨୦ରେ ତୁଷାରକାନ୍ତ ଭୁବନେଶ୍ୱର ସାଲିଆସାହିର ଅଜୟ କୁମାର ପଟ୍ଟନାୟକଙ୍କ ଝିଅ ଅନସୂୟାଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଏକ ପୁତ୍ର ସନ୍ତାନ ଅଛି। ବିବାହ ପ‌ରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଝଗଡ଼ା ହେଉଥିଲା। ଗତ ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଅନସୂୟା ଘର ଭିତରୁ କବାଟ ବନ୍ଦ କରିଦେଇଥିଲେ। କିଛି ସମୟ ପରେ ତାଙ୍କ ଚିତ୍କାର ଶୁଭିଥିଲା। ତୁଷାର କବାଟ ଭାଙ୍ଗି ଦେଖିଲା ବେଳକୁ ସେ ରଶି ଲଗାଇ ଝୁଲୁଥିଲେ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବଡ଼ବିଲ ଡାକ୍ତରଖାନା ନେଇଥିବାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଯୌତୁକ ପାଇଁ ତାଙ୍କ ଝିଅକୁ ତଣ୍ଟିଚିପି ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ଆଣିଥିଲେ ଅନସୂୟାଙ୍କ ବାପା। ଏହି ଘଟଣାରେ ବଡ଼ବିଲ ପୁଲିସ ତୁଷାରକାନ୍ତଙ୍କୁ ଗତକାଲି ରାତି ୧୦ଟାରେ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ବିଳମ୍ବିତ ରାତିରେ ସେ ଜେଲ୍‌ କୋଠରି ଝରକାରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ। ଆଜି‌ ଭୋରରୁ ତାଙ୍କୁ ଉଦ୍ଧାର କରାଯାଇ ବଡ଼ବିଲ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ବିଲ ଜେଲର୍ ପୁନମପ୍ରଭା ନାୟକଙ୍କ କହିବା ଅନୁସାରେ, ତୁଷାରକାନ୍ତଙ୍କୁ ଗତକାଲି ରାତି ପ୍ରାୟ ୧୧ଟାବେଳେ ଜେଲ୍‌କୁ ଅଣାଯାଇଥିଲା। ସେ ୬ ନମ୍ବର ସେଲ୍‌ରେ ରହିଥିଲେ। ପୂର୍ବରୁ ସେଠାରେ ୧୧ଜଣ ରହୁଥିଲେ। ଆଜି ଭୋର ସାଢ଼େ ୫ଟାବେଳେ ତୁଷାରକାନ୍ତ ଗାମୁଛା ଲଗାଇ ଝୁଲି ପଡ଼ିଥିବା ସଂପର୍କରେ ଖବର ପାଇଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe