ଲଗାଣ ବର୍ଷା ଯୋଗୁଁ ଶୌଚାଳୟ ଭିତରେ ଆଶ୍ରୟ ନେଇଥିଲେ ୨ ଭାଲୁ, ଜନଗହଳି ଦେଖି ଜଙ୍ଗଲ ମୁହାଁ ହେଲେ! 

Advertisment
ଲଗାଣ ବର୍ଷା ଯୋଗୁଁ ଶୌଚାଳୟ ଭିତରେ ଆଶ୍ରୟ ନେଇଥିଲେ ୨ ଭାଲୁ, ଜନଗହଳି ଦେଖି ଜଙ୍ଗଲ ମୁହାଁ ହେଲେ! 

ତେନ୍ତୁଳିଖୁଣ୍ଟି/ନନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ମେରନାଶ ଗ୍ରାମସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ଶୌଚାଳୟ ଭିତରେ ଆଜି ସକାଳୁ ଦୁଇଟି ଭାଲୁ ଆଶ୍ରୟ ନେଇଁଥିବା ଦେଖିବାକୁ ମିଳିଛି। ଏହା ଦେଖି ବିଦ୍ୟାଳୟ ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳି ଯାଇଥିଲା। ସ୍କୁଲ ଭିତରେ ଭାଲୁ ଦ୍ବୟ ଆଶ୍ରୟ ନେଇଁଥିବା ଖବର ପ୍ରଚାରିତ ହେବା ପରେ ଲୋକେ ଭିଡ଼ ଲଗାଇଥିଲେ। ଲୋକଙ୍କର ଶବ୍ଦ ଶୁଣି ଦୁଇଟି ଭାଲୁ ଶୌଚାଳୟ ଭିତରୁ ବାହାରି ଜଙ୍ଗଲ ମୁହାଁ ହୋଇଥିଲେ। କିନ୍ତୁ ଆଉ କିଛି ସମୟ ପରେ ଭାଲୁ ଦ୍ବୟ ପୁଣି ଶୌଚାଳୟକୁ ଫେରି ଆଶ୍ରୟ ନେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଭାଲୁକୁ ସୁରକ୍ଷିତ ଭାବରେ ଜଙ୍ଗଲ ମୁହାଁ କରିବାରେ ସଫଳ ହୋଇଥିଲେ।

publive-image

ସୂଚନା ଅନୁଯାୟୀ ମେରନାଶ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ଗ୍ରାମ ଉପକଣ୍ଠ ତଥା ଜଙ୍ଗଲକୁ ଲାଗିରହିଛି। ନିକଟରେ ଜଙ୍ଗଲ ଥିବାରୁ ଭାଲୁ ଦୁଇଟି ପ୍ରତ୍ୟେକ ଦିନ ବିଦ୍ୟାଳୟ ନିକଟରେ ବୁଲାବୁଲି କରି ଚାଲିଯାଆନ୍ତି। ହେଲେ ଗତକାଲି ମଧ୍ୟ ରାତି ଠାରୁ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିଲା। ଏମିତି ସ୍ଥିତିରେ ଦୁଇଟି ଭାଲୁ ବିଦ୍ୟାଳୟ ପରିସର ମଧ୍ୟରେ ଆସି ବୁଲାବୁଲି କରିବା ପରେ ବର୍ଷା କାରଣରୁ ଏକ ଶୌଚାଳୟ ଗୃହ ମଧ୍ୟରେ ଆଶ୍ରୟ ନେଇଥିଲେ। ବିଦ୍ୟାଳୟ ପାଚେରୀ ନଥିବାରୁ ଜଙ୍ଗଲୀ ଭାଲୁ ଅନାୟାସରେ ସ୍କୁଲ ଭିତରେ ପ୍ରବେଶ କରୁଥୁବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ମେରନାଶ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଭାଲୁ ସବୁଦିନେ ବୁଲିବାକୁ ଆସୁଛନ୍ତି। ଆଜି ଯେଭଳି ଭାବେ ଭାଲୁମାନଙ୍କୁ ଶିକ୍ଷକମାନେ ଦେଖିଥିଲେ, ଯଦି କୌଣସି ପିଲା ଶୌଚାଳୟକୁ ଯାଇଥାନ୍ତେ, ତା’ହେଲେ ଅବସ୍ଥା କ’ଣ ହୋଇଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଆଜି ବିଦ୍ୟାଳୟ ଖୋଲିବା ପରେ ଶିକ୍ଷକମାନେ ଭାଲୁ ଦୁଇଟି ବିଦ୍ୟାଳୟ ଶୌଚାଳୟ ଭିତରେ ଆଶ୍ରୟ ନେଇଁଥୁବା ଦେଖି ଭୟଭୀତ ହୋଇଥିଲେ। ପରେ ଛାତ୍ରଛାତ୍ରୀଙ୍କୁ ଜଣେଇ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଭାଲୁ ଦୁଇଟି ଗତ ରାତି ଠାରୁ ଆଜି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଶୌଚାଳୟ ଭିତରେ ହିଁ ରହିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍କୁଲ ପରିସରରେ ଜନଗହଳି ହୋଇଥିଲା। ଭାଲୁ ଦେଖିବା ପାଇଁ ଗ୍ରାମବାସୀ ସ୍କୁଲ ପରିସରକୁ ଆସିଥିଲେ। ହେଲେ ଜନଗହଳି ଦେଖି ଭାଲୁ ଦୁଇଟି ଶୌଚାଳୟରୁ ବାହାରି ଜଙ୍ଗଲ ମୁହାଁ ହୋଇଥିଲେ।

ତେବେ ଲଗାଣ ବର୍ଷା ଯୋଗୁଁ ପୁଣି ଥରେ ଭାଲୁ ଦୁଇଟି ଜଙ୍ଗଲରୁ ଫେରି ଆସି ବିଦ୍ୟାଳୟ ଶୌଚାଳୟ ଭିତରେ ଆଶ୍ରୟ ନେଇଥିଲେ। ଖବର ପାଇ ନବରଙ୍ଗପୁର ରେଞ୍ଜର ତଡିତ କୁମାର ସ୍ୱାଇଁଙ୍କ ସମେତ ନବରଙ୍ଗପୁର ବନପାଳ ଗୋବିନ୍ଦ ନାୟକ, ତେନ୍ତୁଳିଖୁଣ୍ଟି ବନପାଳ ରିତେଶ ସୁନା, ନନ୍ଦାହାଣ୍ଡି ବନରକ୍ଷୀ ବିନାୟକ ସରି ଓ ୱାଇଲଡ ଲାଇଫ ଷ୍ଟାଫ ବିଦ୍ୟାଳୟରେ ପହଞ୍ଚିଥିଲେ। ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ ଭାଲୁ ଦୁଇଟିକୁ ଜଙ୍ଗଲ ମୁହାଁ କରିବାରେ ବନ ବିଭାଗ ସଫଳ ହୋଇଥିଲା। ଆଜି ଦିନ ତମାମ ବନ ବିଭାଗ କର୍ମଚାରୀ ବିଦ୍ୟାଳୟ ନିକଟରେ ରହି ସ୍ଥିତି ଅନୁଧ୍ୟାନ କରିବା ନେଇଁ ସୂଚନା ମିଳିଛି। ଲଗାଣ ବର୍ଷା ଯୋଗୁଁ ଭାଲୁ ପୁଣି ବିଦ୍ୟାଳୟ ମୁହାଁ ହେବାର ଆଶଙ୍କା ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe