‘ଫନି’ର ୭ ମାସ ପରେ ସଫା ହେବ ବାଲୁଖଣ୍ଡ ଅଭୟାରଣ୍ୟ, ଉପୁଡ଼ି ପଡ଼ିଥିବା ୨୦ ଲକ୍ଷ ଗଛ କଢ଼ାଯିବ

Advertisment
‘ଫନି’ର ୭ ମାସ ପରେ ସଫା ହେବ ବାଲୁଖଣ୍ଡ ଅଭୟାରଣ୍ୟ, ଉପୁଡ଼ି ପଡ଼ିଥିବା ୨୦ ଲକ୍ଷ ଗଛ କଢ଼ାଯିବ

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ଼ ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି
ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ନିର୍ମାଣ ହେବ ନନ୍ଦନକାନନ ରୋପ୍ ୱେ

ଭୁବନେଶ୍ବର : ଫନି ବାତ୍ୟାରେ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଉପୁଡ଼ିପଡ଼ିଥିବା ଗଛଗୁଡ଼ିକୁ କଢ଼ାଯିବ। ଆଉ ସେସବୁ ଗଛକୁ ବିନାମୂଲ୍ୟରେ ପରିବେଶ ବିକାଶ ସମିତି, ଜଗନ୍ନାଥ ମନ୍ଦିର ଓ ସ୍ବର୍ଗଦ୍ବାରକୁ ପ୍ରଦାନ କରାଯିବ। ଆଜି ଲୋକସେବା ଭବନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ଼ ଷ୍ଟାଣ୍ଡିଂ କମିଟି ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ବାତ୍ୟା ଯୋଗୁଁ ଉପୁଡ଼ି ପଡ଼ିଥିବା ୨୦ ଲକ୍ଷ ଗଛରୁ ମାତ୍ର ୨ ଲକ୍ଷ ସଫା ହୋଇଛି ଓ ବାକିତକ ପଡ଼ି ରହିଛି। ଫଳରେ ହରିଣମାନଙ୍କ ଚଳପ୍ରଚଳରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଥରେ ରୋପ୍ ଵେ ନିର୍ମାଣ କରାଯିବ। ଏଥିପାଇଁ ବନ୍ୟପ୍ରାଣୀ ବୋର୍ଡ଼ର ଅନୁମୋଦନ ପରେ ଭାରତ ସରକାରଙ୍କ ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ ପଠାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।

୨୦୧୯ ମେ ମାସ ୩ ତାରିଖରେ ଫନି ବାତ୍ୟା ହେଲା। ପୁରୀ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ବ୍ୟାପକଭାବେ କ୍ଷତିଗ୍ରସ୍ତ ହେଲା। ସରକାରୀ ହିସାବରେ ୨୦ ଲକ୍ଷ ଗଛ ଭାଙ୍ଗିଲା। ୭ ମାସ ଧରି ଗଛ ପଡ଼ି ରହିଲା। ଅଥଚ ସରକାରଙ୍କ ନିଦ ଭାଙ୍ଗିଲାନି। ହରିଣଙ୍କ ଚାରଣ ଭୂମିରେ ଗଛ ପଡ଼ି ରହିଥିବାରୁ ହରିଣ କଣ ଖାଉଛନ୍ତି କି ନାହିଁ ଦୀର୍ଘ ଦିନ ବିତିଥିଲେ ବି ଜଙ୍ଗଲ ବିଭାଗର ତତ୍ପରତା ଦେଖିବାକୁ ମିଳିଲାନି। ବାତ୍ୟା ପରେ ଅଭୟାରଣ୍ୟରେ ହରିଣଙ୍କ ଉପସ୍ଥିତିକୁ ନେଇ କେତେ ପ୍ରଶ୍ନ ଉଠିଲା। ବହୁ ତନାଘନା ହେଲା। ବାତ୍ୟାର ପ୍ରକୋପରେ ହରିଣମାନେ ଅଭୟାରଣ୍ୟର ଦୂରକୁ ଚାଲିଯାଇଥିଲେ ବୋଲି କହି ସରକାର ଦାୟିତ୍ବ ସାରିଦେଲେ। ଖାଲି ସେତିକି ନୁହେଁ, ପଡ଼ି ରହିଥିବା ଗଛ ଓ ଡାଳଗୁଡ଼ିକ ଆସନ୍ତା ଗ୍ରୀଷ୍ମ ଋତୁରେ ନିଆଁ ଲାଗିଯିବାର ଆଶଙ୍କା ରହିଥିବା ନେଇ ମଧ୍ୟ ଆଶଙ୍କା ରହିଛି। ଏବେ ହଠାତ୍ ପଡ଼ିରହିଥିବା ଗଛ ଗୁଡ଼ିକୁ ସଫା କରିବାକୁ ବିଭାଗୀୟ ଷ୍ଟାଣ୍ଡିଂ କମିଟି ନିଷ୍ପତ୍ତି ନେଇଛି। ବିଶ୍ବସ୍ତସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏ ନେଇ ପ୍ରାୟ ୪୫ କୋଟି ଖର୍ଚ୍ଚ ହେବ ବୋଲି ବୈଠକରେ ଆଲୋଚନା ହୋଇଛି। ଗୋଟିଏ ଗଛ ଅପସାରଣ ପାଇଁ କେତେ ଟଙ୍କା ପଡ଼ିଲା ତାର ହିସାବ ସରକାର ଲଗାଇଛନ୍ତି ତ? ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ଏବେ ବୁଦ୍ଧିଜୀବୀ ମହଲ ବି ପ୍ରଶ୍ନ ଉଠାଇଲେଣି।

ବୈଠକ ସମ୍ପର୍କରେ ସୂଚନା ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ବାଲୁଖଣ୍ଡ ଅଭୟାରଣ୍ୟରେ ପଡ଼ି ରହିଥିବା ଭଙ୍ଗା ଗଛଡାଳ ଏବଂ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଅଭୟାରଣ୍ୟ ନିକଟସ୍ଥ ୨୮ଟି ସ୍ଥାନୀୟ ପରିବେଶ ବିକାଶ ସମିତିକୁ ସେମାନଙ୍କ ଦୈନଦିନ ବ୍ୟବହାର ନିମନ୍ତେ ହସ୍ତାନ୍ତର କରାଯିବ। ବଳକା କାଠଗୁଡ଼ିକୁ ବିନାମୂଲ୍ୟରେ ଶ୍ରୀମନ୍ଦିର ଏବଂ ସ୍ବର୍ଗଦ୍ବାରକୁ ପ୍ରଦାନ କରାଯିବ। ଏଥିପାଇଁ କାଠ କାଟିବା ଓ ପରିବହନ ବାବଦ ଖର୍ଚ୍ଚ ମନ୍ଦିର ପ୍ରଶାସନ ବହନ କରିବ। ଷ୍ଟାଣ୍ଡିଂ କମିଟିର ଅନ୍ୟ ନିଷ୍ପତ୍ତି ଅନୁଯାୟୀ, ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପୁଣି ଥରେ ରୋପ୍ ଵେ ନିର୍ମାଣ କରାଯିବ। ୨୦୦୯-୧୦ ମସିହାରୁ ଏହି ରୋପ୍ ଵେ ବନ୍ଦ ହୋଇ ପଡ଼ିଛି। ପ୍ରସ୍ତାବିତ ୬୨୪ ମିଟର ଦୈର୍ଘ୍ୟ ବିଶିଷ୍ଟ ରୋପ୍ ଵେ ନିର୍ମାଣ ପାଇଁ ନନ୍ଦନକାନ ମଧ୍ୟରେ ଛୋଟବଡ଼ ୩୬ଟି ବୃକ୍ଷ କଟାଯିବା ପାଇଁ ସ୍ଥିର କରାଯାଇଛି। ଏସବୁ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ହେଲେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ଼ର ଅନୁମୋଦନ ମିଳିବା ଦରକାର। ବୋର୍ଡ଼ ଅନୁମୋଦନ କଲା ପରେ ରୋପ୍ ଵେ ପାଇଁ ଗଛ କାଟିବାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମୋଦନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ।

ଷ୍ଟାଣ୍ଡିଂ କମିଟି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ମୁଖ୍ୟ ବନ୍ୟ ତତ୍ତ୍ବାବଧାରକ ହରଶଙ୍କର ଉପାଧ୍ୟାୟ, ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ଶଶି ପଲ୍, ଷ୍ଟାଣ୍ଡିଂ କମିଟି ସଦସ୍ୟ ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦି, ସେଣ୍ଟର୍ ଫର୍ ଏନଭାଇରନମେଣ୍ଟାଲ ଷ୍ଟଡିଜର ପୂର୍ବତନ ନିର୍ଦ୍ଦେଶିକା ଶୈଳବାଳା ପାଢ଼ୀଙ୍କ ସମେତ ଅନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe