ଅନଲାଇନ୍‌ରେ ବେଧଡ଼କ ବିକ୍ରି ହେଉଛି ବାର୍‌ହା ଦାନ୍ତ

ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋକୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି

ଅନଲାଇନ୍‌ରେ ବେଧଡ଼କ ବିକ୍ରି ହେଉଛି ବାର୍‌ହା ଦାନ୍ତ

ଭୁବନେଶ୍ବର : ଅନ୍ଧବିଶ୍ବାସର ମାୟା ଜାଲରେ ଏବେ ବି ଫସି ରହିଛି ମଣିଷ। ବଶୀକରଣ ପାଇଁ ବାର୍‌ହା ଦାନ୍ତକୁ ଲକେଟ୍‌ କରି ପିନ୍ଧିବାକୁ ବି ପଛାଉନାହିଁ। ଏହାର ସୁଯୋଗ ନେଇ ଏହାକୁ ବ୍ୟବସାୟ ଭାବେ ଆପଣାଇଛନ୍ତି କିଛି ଅନଲାଇନ୍‌ ମାର୍କେଟିଂ ସଂସ୍ଥା। ଅନଲାଇନ୍‌ ବଜାରରେ ଏବେ ବାର୍‌ହା ଦାନ୍ତର ଦାମ ଅମୂଲ ମୂଲ। ପୌରାଣିକ କଥା ଓ କାହାଣୀ ସଂରଚନା ସହ ବାର୍‌ହା ଦାନ୍ତକୁ ବିକ୍ରି ପାଇଁ ସୋସିଆଲ ମିଡିଆ ମାଧ୍ୟମ ପାଲଟିଛି। କିଛି ଅନଲାଇନ୍‌ ବଜାର ସଂସ୍ଥା ଏହାକୁ ରୁପାରେ ସଂଲଗ୍ନ ସହ ୩ହଜାରରୁ ୧୫ହଜାର ଟଙ୍କା ମୂଲ୍ୟରେ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଉଛନ୍ତି। ତେଣୁ ଏହି ବେଆଇନ ବିକ୍ରିରେ ରୋକ୍‌ ଲଗାଇବା ପାଇଁ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋକୁ ଚିଠି ଲେଖିଛନ୍ତି ସ୍ନେକ୍‌ ହେଲ୍‌ପଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ। ସେ କହିଛନ୍ତି ଯେ ଯେଉଁ ଦାନ୍ତରେ ସମ୍ମୋହନକାରୀ ଶକ୍ତି ଅଛି ବୋଲି କହି ଏହାକୁ ବଜାରରେ ଉପଲବ୍ଧ କରାଯାଉଛି, ତାହା ହେଉଛି ଜଙ୍ଗଲୀ ବାର୍‌ହାର। ଅଣ୍ଡିରା ବାର୍‌ହାମାନଙ୍କ ଥୋମଣି ଉପରେ ଦୁଇପଟକୁ ବାହାରିଥିବା ଦୁଇଟି ବଡ଼ ଦାନ୍ତକୁ ଏହି ଉଦ୍ଦେଶ୍ୟରେ ବିକ୍ରିବଟା କରାଯାଉଛି। ଦାନ୍ତ ଓ ମାଂସ ପାଇଁ ବାର୍‌ହାକୁ ଶିକାର କରାଯାଉଛି। ଅନେକ ସମୟରେ ବାର୍‌ହା ଶିକାର ବାବଦ ଖବର ସାମ୍ନାକୁ ଆସିଥିବା ବେଳେ ଦାନ୍ତକୁ ଯେ ଏତେ ଟଙ୍କାରେ ବିକ୍ରି ହେଉଛି, ଏହା ଚକିତ କରିଦେବା ଭଳି ବିଷୟ ବୋଲି ସେ କହିଛନ୍ତି। ଡଲାର ଓ ପାଉଣ୍ଡରେ ମଧ୍ୟ ବିକ୍ରି ମୂଲ୍ୟ ରଖାଯାଇଛି। ତେଣୁ ଅନ୍ତର୍ଜାତୀୟସ୍ତରରେ ଏହାକୁ ଅନଲାଇନ୍‌ ଜରିଆରେ ବେଧଡ଼କ ବିକ୍ରି ହେଉଥିବା ସେ କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଣ୍ଡାମାନର ଜଙ୍ଗଲରେ ଥିବା ବାର୍‌ହା ସିଡ୍ୟୁଲ୍‌-୧ ‌ଶ୍ରେଣୀ‌ର ହୋଇଥିବା ବେଳେ ଓଡ଼ିଶାର ଜଙ୍ଗଲୀ ବାର୍‌ହା ସିଡ୍ୟୁଲ୍‌-୩ ଶ୍ରେଣୀର। ୧୯୭୨ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ, ଏମାନଙ୍କୁ ମାରି ମାଂସ ଖାଇବା ଧାରା ୯ ଅନୁଯାୟୀ ଅପରାଧ। ଏପରି କରିବା ଦ୍ବାରା ଅନେକ ଗିରଫ ହେବା ସହ ଦଣ୍ଡ ଭୋଗିଛନ୍ତି। ସେହିପରି କୌଣସି ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରିବା ମଧ୍ୟ ଧାରା ୩୯ ମୁତାବକ ବେଆଇନ ଏବଂ ଜାମିନ ବିହୀନ ଅପରାଧ। ତେଣୁ ଏହି ବେଆଇନ ବ୍ୟବସାୟ ଉପରେ ରୋକ୍‌ ଲଗାଇବା ପାଇଁ ଶ୍ରୀ ମଲ୍ଲିକ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ନିକଟରେ ଅଭିଯୋଗ କରିଛନ୍ତି। ଅନଲାଇନ୍‌ରେ ଚାଲିଥିବା ଏହି ବେଆଇନ ବିକ୍ରିବଟାର ଲିଙ୍କ୍‌, ୟୁଆର୍‌ଏଲ୍‌ ଥିବା ସ୍କ୍ରିନ୍‌ସଟ୍‌ ଇ-ମେଲ୍‌ ଜରିଆରେ ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକ ତିଳୋତ୍ତମା ବର୍ମାଙ୍କୁ ପଠାଇଛନ୍ତି। ଏଥିସହ ଓଡ଼ିଶା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କୁ ମଧ୍ୟ ଏହାର କପି ପ୍ରଦାନ କରି ଅବଗତ କରାଇଛନ୍ତି। ବାର୍‌ହା ଦାନ୍ତର ଅପପ୍ରଚାର କରି ଅନଲାଇନ୍‌ରେ ବ୍ୟବସାୟ କରୁଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ସେମାନଙ୍କୁ ଗିରଫ ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe