ଅଭୟାରଣ୍ୟ ପାଲଟିଛି ଶିକାରୀଙ୍କ ଚରାଭୂଇଁ, ପାଟ୍ରୋଲିଂ ଷ୍ଟାଫ୍‌ଙ୍କୁ ଦେଖି ବାର୍‌ହାକୁ ଫିଙ୍ଗି ଚମ୍ପଟ ମାରିଲେ ବାଣୁଆଁ

Advertisment
ବନ୍ୟଜନ୍ତୁଙ୍କ ସହ ମୁହାଁମୁହିଁ: ୪ ବର୍ଷରେ ଗଲାଣି ୫ଶହ ଜୀବନ, ବିକଳାଙ୍ଗ ହେଲେଣି ହଜାରେରୁ ଅଧିକ

Freepik

ହରଭଙ୍ଗା : ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ଡିଭିଜନର ବୌଦ୍ଧ ଜିଲ୍ଲା ସୀମାନ୍ତରେ ଥିବା କୁଶଙ୍ଗ ରେଞ୍ଜର ମହାଲ୍ଲିକପଡ଼ା ପଞ୍ଚାୟତ ନୂଆପଡା ନିକଟରେ ବୁଧବାର ରାତିରେ ବାର୍‌ହା ଶିକାର କରି ନେଉଥିବା ଏକ ଶିକାରୀ ଦଳ ହଠାତ୍‌ ନାଇଟ ପାଟ୍ରୋଲିଂ ଦଳକୁ ଦେଖି ବାର୍‌ହାଟିକୁ ଫିଙ୍ଗି ଦେଇ ବାଇକ୍‌ରେ ଚମ୍ପଟ ମାରିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ପ୍ରଦୀପ ଭୁତିଆଙ୍କୁ ପଚାରାଯିବାରୁ, ସେ ଏହାକୁ ସ୍ୱୀକାର କରିବା ସହ ସେହି ଅଞ୍ଚଳରେ ରାସ୍ତାଘାଟ ଭଲ ନଥିବା ହେତୁ ସେମାନଙ୍କ ବାଇକକୁ ପିଛା କରି ଧରିବା ସମ୍ଭବପର ହୋଇନଥିଲା ବୋଲି କହିଥିଲେ।

ଗୋଟିଏ ପଟେ ଚଳିତ ଗ୍ରୀଷ୍ମ ଋତୁରେ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଗୁଡିକରେ ନିଆଁଲାଗି ପ୍ରାଣୀ ସୁରକ୍ଷା ବିପନ୍ନ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଏହାର ସୁଯୋଗ ନେଇ ରାତିରେ ଶିକାରୀମାନେ ଅବାଧରେ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ବନ୍ୟପ୍ରାଣୀଙ୍କ ଅଭୟାରଣ୍ୟର ସେଙ୍କ୍‌ଚୁଆରି କୋର ଏରିଆ ଏବେ ସେମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। କୁଶଙ୍ଗ ରେଞ୍ଜ ଅଧିକାରୀଙ୍କ ଦ୍ବାରା ବୁଧବାର ରାତିରେ ଜବତ ହୋଇଥିବା ବାର୍‌ହାକୁ ଗୁରୁବାର ଦିନ ୧୨ଟାରେ ହରଭଙ୍ଗା ବ୍ଲକ୍‌ ଭାରପ୍ରାପ୍ତ ପ୍ରାଣୀଧନ ଚିକିତ୍ସକ ଡା. ରୁଥ ଡୁଙ୍ଗଡୁଙ୍ଗ, ପୁରୁଣାକଟକ ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ ଏବଂ ତଳଗାଁ ପ୍ରାଣୀଧନ ନିରୀକ୍ଷକ ନୟନା ବେହେରାଙ୍କୁ ନେଇ ଏକ ୩ଜଣିଆ ଟିମ  ବ୍ୟବଚ୍ଛେଦ କରିଥିଲେ। ବାର୍‌ହାଟିକୁ ଫାସରେ ପକାଇ ତାର ମୁଣ୍ଡ ଓ କାନମୂଳିରେ ଫସା ମାରି ତାକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପରେ ସମସ୍ତଙ୍କ ଉପସ୍ଥିତିରେ ମାଟିରେ ଏକ ଗାତଖୋଳି ଫିନାଇଲ ଓ ଲୁଣ ଦେଇ ମୃତ ବାର୍‌ହାଟିକୁ ପୋତି ଦିଆ ଯାଇଥିଲା।

ତେବେ ଏହି ଘଟଣାରେ ସଂପୃକ୍ତ ଶିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ନଚେତ ଅବାଧ ଜନ୍ତୁ ଶିକାର ବୃଦ୍ଧି ପାଇବା ସହ ବହୁ ବନ୍ୟପ୍ରାଣୀ ସୁରକ୍ଷା ଅଧିକ ବିପନ୍ନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe