Get My University
ସମ୍ବଲପୁର : କେନ୍ଦ୍ର ସରକାରଙ୍କ ସହାୟତାରେ ଭିମସାର୍ରେ ୨ଟି ୧୩ କିଲୋଲିଟର୍ କ୍ଷମତା ବିଶିଷ୍ଟ ଅକ୍ସିଜେନ୍ ଷ୍ଟୋରେଜ୍ ପ୍ରକଳ୍ପ ସ୍ଥାପନ ପାଇଁ ଚିହ୍ନଟ ହୋଇଥିଲାବେଳେ ରାଜ୍ୟ ସରକାର ଆଉ ଏକ ୬୦୦ ଏଲ୍ପିଏମ୍ (ଲିଟର୍ ପ୍ରତି
ମିନିଟ୍) କ୍ଷମତା ବିଶିଷ୍ଟ ଅକ୍ସିଜେନ୍ ଉତ୍ପାଦନ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ରବିବାର ଏଥି ପାଇଁ ସ୍ଥାନ ଚିହ୍ନଟ ନିମନ୍ତେ ଭିମସାର୍ ନିର୍ଦ୍ଦେଶକ ପ୍ରଫେସର୍ ଲଳିତ ମେହେର, ପୂର୍ତ୍ତ ବିଭାଜନ-୨ର ନିର୍ବାହୀ ଯନ୍ତ୍ରୀ ବଶିଷ୍ଟ ପଟ୍ଟନାୟକ ଓ ଅନ୍ୟ ଅଧିକାରୀ ମାନେ ସର୍ବେକ୍ଷଣ କରିଛନ୍ତି। ଆପିକଲ୍ ଅନୁଦାନରୁ ଏହି ପ୍ରକଳ୍ପ ନିର୍ମାଣ ହେବ। ଏଥି ପାଇଁ ଏଆର୍ଅକ୍ସ ଲିମିଟେଡ୍ ନାମକ ସ୍ଥଂସ୍ଥାକୁ ଦାୟିତ୍ବ ପ୍ରଦାନ କରାଯାଇଛି।
ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାଥମିକ ଭିତ୍ତିଭୂମି ନିର୍ମାଣ ପରେ ଉପରୋକ୍ତ ସଂସ୍ଥା ପ୍ରକଳ୍ପ ନିର୍ମାଣ କରିବ। ଏହି ପ୍ରକଳ୍ପରୁ ଅକ୍ସିଜେନ୍ ଉତ୍ପାଦନ ହୋଇ ସିଧାସଳଖ ବୁର୍ଲା ଡାକ୍ତରଖାନାକୁ ପାଇପ୍ ଯୋଗେ ଯୋଗାଣ ହେବ। ଏହା ପୂର୍ବରୁ କେନ୍ଦ୍ର ସହାୟତାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ରାଜ୍ୟର ୧୫ଟି ସ୍ଥାନରେ ଅକ୍ସିଜେନ ଉତ୍ପାଦନ ପ୍ରକଳ୍ପ ନିର୍ମାଣ ଚାଲିଛି। କୋଲକାତା ଭିତ୍ତିକ ଏମ୍ଏସ୍ ଲିଣ୍ଡେ ଇଣ୍ଡିଆ ଏହାର ନିର୍ମାଣ ଦାୟିତ୍ବରେ ଅଛି। ଉକ୍ତ କମ୍ପାନି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯୬୦ ଏଲ୍ପିଏମ୍ କ୍ଷମତା ବିଶିଷ୍ଟ ପ୍ରକଳ୍ପ ସ୍ଥାପନ କରୁଛି। ସେହିପରି ଭିମସାର୍ରେ ୧୩ କିଲୋଲିଟର୍ (୧୩ ହଜାର ଲିଟର୍) ବିଶିଷ୍ଟ ୨ଟି ଏଲ୍ଏମ୍ଓ (ଲିକୁଇଡ୍ ମେଡିକାଲ୍ ଅକ୍ସିଜେନ୍) ସଂରକ୍ଷଣ ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ବି ହାତକୁ ନେଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାମ ଚାଲିଥିଲାବେଳେ ଭିମସାର୍ରେ ଏଥି ପାଇଁ ଜାଗା ଚିହ୍ନଟ ହୋଇ ସାରିଛି। ତେବେ ନୂଆ ହେବାକୁ ଥିବା ୬୦୦ ଏଲ୍ପିଏମ୍ ପ୍ରକଳ୍ପ ବି ଯୁଦ୍ଧକାଳୀନ ଭିତ୍ତିରେ କରାଯିବ, ଜୁନ୍ ୧୫ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଭିମସାର୍ ନିର୍ଦ୍ଦେଶକ ପ୍ର. ଲଳିତ ମେହେର ସୂଚନା ଦେଇଛନ୍ତି।
Follow Us