ରେଳପଥ ମାନଚିତ୍ରରେ ସାମିଲ୍‌ ହେବ କି ଧର୍ମଗଡ଼?

Advertisment
ରେଳପଥ ମାନଚିତ୍ରରେ ସାମିଲ୍‌ ହେବ କି ଧର୍ମଗଡ଼?

Kalinga TV

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଅନେକ ବର୍ଷ ପରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଜୁନାଗଡ଼ରୁ ଅମ୍ବାଗୁଡ଼ାକୁ ରେଳ ଲାଇନ୍‌ ନିମନ୍ତେ ସର୍ଭେ କରାଯାଇ ଏହାକୁ ଶୀତଳ ଭଣ୍ଡାରରେ ରଖାଯାଇଛି। ଧର୍ମଗଡ଼ ସହରକୁ ନବରଙ୍ଗପୁର, ନୂଆପଡ଼ା, ରାୟପୁର, ଦେଭୋଗ ଅଞ୍ଚଳର ଲୋକେ ଯାତାୟାତ କରିଥା’ନ୍ତି। କିନ୍ତୁ ରେଳସେବା ପାଇବା ପାଇଁ ସେମାନଙ୍କୁ ଜୁନାଗଡ଼କୁ ଆସିବାକୁ ପଡ଼ିଥାଏ। ବୁଧବାର ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବାପରେ ରେଳପଥ ମାନଚିତ୍ରରେ ଧର୍ମଗଡ଼ ସାମିଲ ହେବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧିଲେଣି।

କଳାହାଣ୍ଡି ଜିଲ୍ଲାର ରେଳ ନେଟ୍‌ୱର୍କ ଜାତୀୟ ଏବଂ ରାଜ୍ୟସ୍ତରୀୟ ରେଳପଥ ଘନତ୍ଵରୁ ଅତି ନିମ୍ନ। ବର୍ତ୍ତମାନ ଜିଲ୍ଲାରେ ରାୟପୁର-ବିଜୟନଗରମ୍‌ ଏବଂ ଲାଞ୍ଜିଗଡ଼ ରୋଡ୍‌-ଜୁନାଗଡ଼ ରୋଡ୍‌ ରେଳ ଲାଇନ୍‌ ଯାଇଛି। ସେଥିମଧ୍ୟରୁ ଆଭ୍ୟନ୍ତରୀଣ ଅଞ୍ଚଳକୁ କେବଳ ୫୬ କିମି ରେଳପଥ ଯାଇଛି। କିନ୍ତୁ ଜୁନାଗଡ଼ରୁ ଛତିଶଗଡ଼ର ଆମ୍ବଗୁଡ଼ାକୁ ସଂଯୋଗ କରି ନୂତନ ରେଳପଥ ସମ୍ପ୍ରସାରଣ ପାଇଁ ଗତ ୧୯୯୧ ମସିହାରୁ ସର୍ଭେ ହୋଇ ଶୀତଳଭଣ୍ଡାରରେ ପଡ଼ିରହିଛି। ବର୍ତ୍ତମାନ ମାଲକାନଗିରି ଏବଂ ନବରଙ୍ଗପୁର ମଧ୍ୟରେ ନୂଆ ରେଳ ଲାଇନ୍‌ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁନାଗଡ଼ରୁ ନବରଙ୍ଗପୁର ନୂଆ ରେଳପଥ ସଂଯୋଗ ହେଲେ ଉତ୍ତର ଏବଂ ଦକ୍ଷିଣ ଭାରତ ମଧ୍ୟରେ ଅନେକ ଦୂରତା ହ୍ରାସ ପାଇବ। ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ରେଳଲାଇନ୍‌ ଭାବେ ବିକଶିତ ହେବ। ଏହାସହ କେବିକେ ଜିଲ୍ଲାମାନଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ଆସିବ ବୋଲି ମତ ପ୍ରକାଶ ପାଉଛି। ସେହିଭଳି, ପ୍ରସ୍ତାବିତ କଣ୍ଟାବାଞ୍ଜି-ନବରଙ୍ଗପୁରକୁ ନୂତନ ଭାବେ ସର୍ଭେ କରାଯାଇ ଧର୍ମଗଡ଼-ଜୁନାଗଡ଼କୁ ସଂଯୋଗ କଲେ ବିକାଶର ବାଟ ଫିଟିପାରିବ। ଫଳରେ ଏହି ଅଞ୍ଚଳର ଉତ୍ପାଦିତ ଖାଦ୍ୟ ଶସ୍ୟ, ଖଣିଜ ସମ୍ପଦ, ଜଳ ସମ୍ପଦ ଏବଂ ମାନବ ସମ୍ବଳର ସୁବିନିଯୋଗ ହୋଇପାରିବ।

ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୪ ମସିହାରେ ଲାଞ୍ଜିଗଡ଼-ଜୁନାଗଡ଼ ରୋଡ୍‌ ରେଳ ଲାଇନ୍‌ ଚାଲୁ ହେବାପରେ ଜୁନାଗଡ଼ରୁ ଭୁବନେଶ୍ୱର ଏକ୍ସପ୍ରେସ୍‌ ଏବଂ ରାୟପୁର, ସମ୍ବଲପୁର ପାସେଞ୍ଜର ଟ୍ରେନ୍‌ ଚଳାଚଳ କରୁଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରେଲୱେ ସମସ୍ୟା ଏବଂ ଧର୍ମଗଡ଼ ପର୍ଯ୍ୟନ୍ତ ରେଲ ଲାଇନ୍‌ ସମ୍ପ୍ରସାରଣ ଉପରେ ଆମ ପ୍ରତିନିଧି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ପଣ୍ଡା ଏହି ସମସ୍ୟା ଉପରେ ପୂର୍ବ ରେଳ ମନ୍ତ୍ରୀଙ୍କୁ ଲିଖିତ ଦାବି କରିଥିବା କହିଥିଲେ। ବହୁଦିନର ଦାବି ହୋଇଥିବାରୁ ନୂଆ ରେଳମନ୍ତ୍ରୀ ଜୁନାଗଡ଼ରୁ ଧର୍ମଗଡ଼ ରେଳ ଲାଇନ ସମ୍ପ୍ରସାରଣ ପାଇଁ ପଦକ୍ଷେପ ନେବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe