ବିପର୍ଯ୍ୟୟ ପ୍ରତିରୋଧୀ ଲୁଣାବନ୍ଧ ଯୋଜନା‌ରେ ଜଗତସିଂହପୁରକୁ ସାମିଲ ପାଇଁ ଲଢେଇ ହେବ: ବିଧାୟକ

ବିପର୍ଯ୍ୟୟ ପ୍ରତିରୋଧୀ ଲୁଣାବନ୍ଧ ଯୋଜନା‌ରେ ଜଗତସିଂହପୁରକୁ ସାମିଲ ପାଇଁ ଲଢେଇ ହେବ: ବିଧାୟକ

ଜଗତସିଂହପୁର/ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ର ଶିଆଳି ବେଳାଭୂମିରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବିଧାୟକ ଶାରଦା ପ୍ରସନ୍ନ ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପରିବେଶ ବିଗିଡ଼ିବା କାରଣରୁ ସମୁଦ୍ର କୂଳ ଲଂଘୁଛି ଓ ଶିଆଳି ବେଳାଭୂମିରେ ଥିବା ଭ୍ୟୁ ଟାଵାର୍‌ ଭାଙ୍ଗିବା ତାହାର ପ୍ରମାଣ ଦେଉଛି ବୋଲି କହିଛନ୍ତି। ସେ ଆହୁରି କହିଥିଲେ, ମାନବ ସମାଜ ବଞ୍ଚିବ କି ଧ୍ବଂସ ପାଇବ ତାହା ଏବେ ସବୁଠାରୁ ବଡ଼ ଆହ୍ବାନ। ସ୍ଥାନୀୟ ଅଞ୍ଚଳର ହାରାହାରି ତାପମାତ୍ରା ପୂର୍ବରୁ ୨୮ ଡିଗ୍ରି ରହୁଥିଲା। ଏବେ ଏହା ବଢ଼ି ୩୬ ଡିଗ୍ରିରେ ପହଞ୍ଚିଲାଣି। ଏବର ସରକାର ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧ ଲୁଣାବନ୍ଧ ଯୋଜନା ଘୋଷଣା କଲେ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲା ଏଥିରେ ସାମିଲ ହେଲା। କିନ୍ତୁ ଜଗତସିଂହପୁର ଜିଲ୍ଲାକୁ ବାଦ୍ ଦିଆଯାଇଛି।

ଏ ନେଇ ସେ ବିଧାନସଭା ବଜେଟ୍ ଅଧିବେଶନରେ ସ୍ବର ଉଠାଇଥିବା ବେଳେ ଆଗକୁ ମଧ୍ୟ ଲଢ଼େଇ ଜାରି ରଖିବେ ବୋଲି କହିଥିଲେ। ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ଦାୟିତ୍ବ ନେବାକୁ ପଡ଼ିବ। ବିଶେଷ କରି ମାଆ, ଯୁବକମାନେ ଏଥିପାଇଁ ନିଜକୁ ସାମିଲ କରିବା ଦରକାର। ଅଧିକରୁ ଅଧିକ ଉପକୂଳରେ ଲୁଣା, ଝାଉଁ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ ରହିଛି। ଖାଲି ବୃକ୍ଷରୋପଣ ନୁହେଁ, ଏହାକୁ ସୁରକ୍ଷା ଦେବାକୁ ମଧ୍ୟ ପଡ଼ିବ। ତା’ ହେଲେ ଯାଇ ପରିବେଶ ସୁରକ୍ଷା ହୋଇପାରିବ। ‘ସମ୍ବାଦ’ ପକ୍ଷରୁ ନିଆଯାଇଥିବା ଏହି ଅଭିନବ ପଦକ୍ଷେପ ଧୀରେ ଧୀରେ ଜନ ଜାଗରଣ ଓ ଆନ୍ଦୋଳନରେ ପରିବର୍ତ୍ତନ ହେଲାଣି। ନିଶ୍ଚିତ ଭାବେ ଏହାର ପ୍ରଭାବ ପଡ଼ିବ। ପରିବେଶ ସୁରକ୍ଷାରେ ଏହା ଏକ ବଡ଼ ଯୋଗଦାନ ବୋଲି ବିଧାୟକ କହିଥିଲେ।

ପ୍ରକୃତିବନ୍ଧୁ ପୁରସ୍କାର ବିଜେତା ତଥା ଅବସରପ୍ରାପ୍ତ ଶିକ୍ଷକ ନିମାଇଁ ଚରଣ ମଲ୍ଲିକ କହିଥିଲେ, ମହାବାତ୍ୟା ସମୟରେ ଯେତେବେଳେ ସମୁଦ୍ରର ସୁଉଚ୍ଚ ଜୁଆର ଆସି ଲୋକଙ୍କୁ ଭସାଇ ନେଇଥିଲା, ସେତେବେଳେ ଅନେକ ଲୋକ ଗଛ ଧରି ନିଜ ଜୀବନ ବଞ୍ଚାଇଥିଲେ। ତେଣୁ ବୃକ୍ଷରୋପଣ କରିବା, ମୃତ୍ତିକା କ୍ଷୟ ରୋକିବା, ବର୍ଷାଜଳ ସଂରକ୍ଷଣ କଲେ ପ୍ରକୃତି ରକ୍ଷା ପାଇବ। ସାହିତ୍ୟିକ ତଥା ପରିବେଶବିତ ଡ.ବସନ୍ତ ମଞ୍ଜରୀ ଦାସ କହିଥିଲେ, କେବଳ ଘଞ୍ଚ ଜଙ୍ଗଲ ସୃଷ୍ଟି ହିଁ ସମୁଦ୍ର କ୍ଷୟକୁ ରୋକିପାରିବ। ଯୁବକମାନେ ଏଥିପାଇଁ ଆଗେଇ ଆସିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe