ବଦଳିବ କି ଜୟନାରାୟଣଙ୍କ ଗିରଫଦାରି ପରମ୍ପରା?

Advertisment

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅତିଥି ହେଉଥିଲେ, ପୁଣି ଆଗୁଆ ଗିରଫ ବି ହେଉଥିଲେ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅତିଥି ହେଉଥିଲେ, ପୁଣି ଆଗୁଆ ଗିରଫ ବି ହେଉଥିଲେ

ବଦଳିବ କି ଜୟନାରାୟଣଙ୍କ ଗିରଫଦାରି ପରମ୍ପରା?

ଜୟନାରାୟଣଙ୍କୁ ଗିରଫ ସମୟର ଫାଇଲ୍‌ ଫଟୋ

ସମ୍ବଲପୁର : ସମ୍ବଲପୁରରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜୟନାରାୟଣ ମିଶ୍ର ଏବେ ବିରୋଧୀଦଳ ନେତା ପଦ ମଣ୍ଡନ କରିବାପରେ ସମସ୍ତଙ୍କ ମନରେ ଏବେ ଏକ ଭିନ୍ନଧରଣର ପ୍ରଶ୍ନ ଉଙ୍କି ମାରିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଆଗୁଆ ଗିରଫଦାରିର ସମ୍ମୁଖୀନ ହେଉଥିବା ଶ୍ରୀମିଶ୍ରଙ୍କୁ ଏବେ ସମାନ ପରିସ୍ଥିତିରେ ଗିରଫ କରାଯିବ ନା ନାହିଁ? ଏହି ପ୍ରଶ୍ନ ଏବେ କେବଳ ସାଧାରଣ ଜନତାଙ୍କ ମନରେ ନୁହେଁ ବିଜେପି ସମେତ ସବୁ ଦଳର ରାଜନୈତିକ କର୍ମୀ ଓ ନେତାଙ୍କ ମନରେ ଲହର ଖେଳୁଛି।

ଦୀର୍ଘ ୭୦ବର୍ଷର ବ୍ୟବଧାନ ପରେ ସମ୍ବଲପୁର ଜିଲ୍ଲାକୁ ବିରୋଧୀଦଳ ନେତା ପଦ ମିଳିଛି। ଆକ୍ରମଣାତ୍ମକ ରାଜ‌ନୈତିକ ମନୋଭାବ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଶ୍ରୀମିଶ୍ରଙ୍କୁ ଏହି ଗୁରୁଦାୟିତ୍ବ ମିଳିଛି। ରାଜ୍ୟ ସରକାରଙ୍କ ବିରୋଧରେ ତାଙ୍କ ସ୍ବର ସବୁବେଳେ ଶାଣିତ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବଲପୁର ଜିଲ୍ଲା ଗସ୍ତ ସମୟରେ ଶ୍ରୀମିଶ୍ରଙ୍କୁ ଆଗୁଆ ଗିରଫ କରାଯାଇଥାଏ। କୌତୁହଳର ବିଷୟ ହେଉଛି, ଗୋଟିଏପଟେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ହିସାବରେ ତାଙ୍କୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥାଏ। ଅନ୍ୟପଟେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତାହା ସୁନିଶ୍ଚିତ କରିବା ପାଇଁ ପୁଲିସ ପ୍ରଶାସନ ତାଙ୍କୁ ଆଗୁଆ ଗିରଫ କରିଥା’ନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପୂର୍ବ ରାତିରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ ଏବଂ ସେ ସମ୍ବଲପୁର ଜିଲ୍ଲାରୁ ରାଜଧାନୀକୁ ଫେରି ସାରିବାପରେ ପୁଣି ଶ୍ରୀମିଶ୍ରଙ୍କୁ ଛଡ଼ାଯାଇଥାଏ।

publive-image

ନିକଟରେ ବିରୋଧୀଦଳ ନେତା ଭାବେ ନିର୍ବାଚିତ ହେବାପରେ ଶ୍ରୀମିଶ୍ର ଗଣମାଧ୍ୟମକୁ ଦେଇଥିବା ତାଙ୍କ ପ୍ରତିକ୍ରିୟାରେ ଗୋଟିଏପଟେ ଗଠନମୂଳକ ଭୂମିକା ନିର୍ବାହ କରିବା କଥା କହିଥିବାବେଳେ ଅନ୍ୟପଟେ ଓଡ଼ିଶାରୁ ବିଜେଡିକୁ କ୍ଷମତାଚ୍ୟୁତ କରିବା ପାଇଁ ଜୋରଦାର ଅଭିଯାନ କରାଯିବ ବୋଲି ମତ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କର ସରକାରୀ ବିରୋଧୀ ଅଭିମାଖ୍ୟ ବଳବତ୍ତର ରହିବ ବୋଲି ତାଙ୍କୁ ମନ୍ତବ୍ୟରୁ ସ୍ପଷ୍ଟ। ଏବେ ପ୍ରଶ୍ନ ଉଠୁଛି, ବିରୋଧୀ ଦଳର ନେତା ଭଳି ସାମ୍ବିଧାନିକ ପଦରେ ରହିବ‌ାପରେ ଶ୍ରୀମିଶ୍ରଙ୍କ ପ୍ରତି ସରକାର, ଶାସକ ଦଳ ତଥା ପ୍ରଶାସନର କି ଆଭିମୁଖ୍ୟ ରହିବ? ଅର୍ଥାତ୍‌, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କୁ ଆଉ ଆଗୁଆ ଗିରଫ କରାଯିବ ନା ନାହିଁ?

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ମସିହାରେ କଂଗ୍ରେସର ବଡ଼ ବିପର୍ଯ୍ୟୟ ସହିତ ବିଜେପି ବିରୋଧୀ ଦ୍ବିତୀୟ ବୃହତ୍‌ ଦଳ ଭ‌ାବେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇବାକୁ ସକ୍ଷମ ହୋଇଥିଲା। ବିଜେପିର ଏହି ସଫଳତାରେ ପଶ୍ଚିମ ଓଡ଼ିଶାର ବଡ଼ ଯୋଗଦାନ ରହିଥିଲା। ସେତେବେଳେ ବିରୋଧୀଦଳ ନେତା ପଦ ଶ୍ରୀମିଶ୍ରଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର, ତାଙ୍କ ବଦଳରେ ଦଳ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକଙ୍କୁ ବିରୋଧୀ ଦଳର ନେତା ଭାବେ ବାଛିଥିଲା।, ଶ୍ରୀ ନାୟକଙ୍କ ବହୁ ଦିନର ଅସୁସ୍ଥତା କାରଣରୁ ବିଧାନସଭାରେ ବିରୋଧୀ ଦଳର ନେତାଙ୍କ ଅନୁପସ୍ଥିତି ଅନୁଭବ ହେବାପରେ ବିଜେପି ଏବେ ଏହି ଗୁରୁଦାୟିତ୍ବ ଶ୍ରୀମିଶ୍ରଙ୍କୁ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe