ବିରୋଧୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀଙ୍କର ସମ୍ମାନ ହାନି ହେବ କି? ନରସିଂହ

Advertisment

ସମସ୍ତେ ଏକାଠି ହେଲେ ମହାମାରୀର ପରାଜୟ ସୁନିଶ୍ଚିତ

ସମସ୍ତେ ଏକାଠି ହେଲେ ମହାମାରୀର ପରାଜୟ ସୁନିଶ୍ଚିତ

ଦୁଇ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପିଟିସନ୍ ଦେବି: ନରସିଂହ

Update Odisha

ଭୁବନେଶ୍ବର : କୋଭିଡର ଦ୍ବିତୀୟ ଲହର ରାଜ୍ୟରେ ଭୟଙ୍କର ରୂପ ନେଲାଣି। ଓଡ଼ିଶାର ସ୍ଥିତି ଅସମ୍ଭାଳ ଆଡ଼କୁ ଗଲାଣି। ତଥାପି ସରକାରଙ୍କ ନିଦ ଭାଙ୍ଗୁନି। ଏଭଳି ସ୍ଥିତିର ସଫଳ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ। ରାଜ୍ୟର କୋଭିଡ ସଂକ୍ରମଣ ସ୍ଥିତି ଉପରେ ଉଦବେଗ ପ୍ରକାଶ କରି ଏପରି ଆହ୍ବାନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ସେ କହିଛନ୍ତି, ଏଭଳି ନ କରି ସମସ୍ତେ ଏକଜୁଟ୍‌ ହୋଇ ଉଦ୍ୟମ କରିବା ଦରକାର। ତାହେଲେ ଯାଇ ଲୋକଙ୍କ ଜୀବନ ବଞ୍ଚିପାରିବ। ବିଭିନ୍ନ ବିବରଣୀରୁ ଯାହା ଜଣାପଡ଼ୁଛି, ସହର ଅପେକ୍ଷା ଗ୍ରାମାଞ୍ଚଳରେ ୪ ଗୁଣ ଲୋକ ଏହି ମହାମାରୀ ଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଗ୍ରାମାଞ୍ଚଳରେ ଘରକୁ ଘର ବୁଲିବା ତ ଦୂରର କଥା ସେଠାକୁ ପ୍ରଶାସନ ଆଦୌ ଯାଉନାହିଁ। ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବନ୍ଦ ପଡ଼ିଛି। ଆମ୍ବୁଲାନ୍‌ସ୍‌ର ବ୍ୟବସ୍ଥା ନାହିଁ। ଅକ୍ସିଜେନ୍‌ ନାହିଁ। ସ୍ବାସ୍ଥ୍ୟ କର୍ମୀ, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ଘୋର ଅଭାବ।

ଶ୍ରୀ ମିଶ୍ର କହିଛନ୍ତି, ଗତବର୍ଷ ଯେଉଁ ସ୍ବାସ୍ଥ୍ୟ କର୍ମୀମାନେ କରୋନାକୁ ସାମନା କରି ଲୋକଙ୍କ ଜୀବନ ବଞ୍ଚାଉଥିଲେ ସେମାନେ ଆଜି ନିଜର ପେଟ ପାଟଣା ପାଇଁ ରାଜରାସ୍ତାରେ ବସିଛନ୍ତି। ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି ମାଗଣା ଚାଉଳ ସହିତ ମାସିକ ୨ ହଜାର ଟଙ୍କା ନଗଦ ଦେବା ପାଇଁ। ଦୁର୍ଭାଗ୍ୟ ଏ ସରକାର କୌଣସି ପଦକ୍ଷେପ ନେଲେନାହିଁ। କୋଭିଡ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ଲୁଚାଇବାରେ ଓଡ଼ିଶା ସରକାର ପାରଙ୍ଗମ।

କରୋନାର ତୃତୀୟ ଲହର ସୁନିଶ୍ଚିତ ବୋଲି ଏବେଠାରୁ ବିଶେଷଜ୍ଞମାନେ କହିସାରିଲେଣି। ଓଡ଼ିଶାରେ ମଧ୍ୟ ବ୍ଲାକ୍ ଫଙ୍ଗସ୍‌ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଖବରକାଗଜ ଅନୁୟାୟୀ, ସରକାର ଯଦି ଦ୍ବିତୀୟ ଲହରକୁ ନିୟନ୍ତ୍ରଣ କରିପାରୁନାହାନ୍ତି, ତାହେଲେ ତୃତୀୟ ଲହର ସାମନା କରିବେ କିପରି? ବିରୋଧୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀଙ୍କର କଣ ସମ୍ମାନ ହାନି ହେବ କି? ନା ବିରୋଧୀ ଦଳ କିଛି ରାଜନୈତିକ ଫାଇଦା ନେଇଯିବେ ବୋଲି ମୁଖ୍ୟମନ୍ତ୍ରୀ ଦୁଶ୍ଚିନ୍ତାରେ ପଡ଼ୁଛନ୍ତି? ବର୍ତ୍ତମାନ ସମୟରେ ଏକ ସ୍ବରରେ, ଏକ ମନରେ ସମସ୍ତଙ୍କ ସହ ଆଲୋଚନା କରି ସରକାର ଯାହା ନିଷ୍ପତ୍ତି ନେବେ, ତାକୁ ସମସ୍ତେ ଅନୁପାଳନ କରିବେ।

ଶ୍ରୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ। ମିଳିତ ଉଦ୍ୟମ ହେଲେ ଏ ମହାମାରୀକୁ ନିଶ୍ଚିତ ଭାବେ ଜୟ କରିହେବ। ଫଳରେ ଲୋକମାନଙ୍କ ଧନଜୀବନ ସୁରକ୍ଷିତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe