ଧ୍ବଂସ ହୋଇଯିବ କି ସୁନ୍ଦରଗଡ଼ ହକି? ନାଭାଲ ଟାଟା ଏକାଡେମୀର ଚଞ୍ଚକତା

ଛାତ୍ରାବାସର ଖେଳାଳିଙ୍କୁ ନେଇ ନିଜ ଏକାଡେମୀରେ ଭର୍ତ୍ତି କରୁଛି, ୪ ବର୍ଷରେ ନେଲାଣି ୪୩ ଯୁବ ଖେଳାଳି

ଧ୍ବଂସ ହୋଇଯିବ କି ସୁନ୍ଦରଗଡ଼ ହକି? ନାଭାଲ ଟାଟା ଏକାଡେମୀର ଚଞ୍ଚକତା

LocalWire

ରାଉରକେଲା: ହକିର ଗଡ଼ ସୁନ୍ଦରଗଡ଼ରେ ହକିକୁ ଧ୍ବଂସ କରିବାକୁ ଲଗାତାର ପ୍ରୟାସ ଜାରି ରହିଛି। ଖୋଦ୍‌ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଏଭଳି ପଦକ୍ଷେପ ନେଇଚାଲିଛନ୍ତି। ୭ ବର୍ଷ ପୂର୍ବେ ରାଜ୍ୟ ସରକାର ପାନପୋଷସ୍ଥିତ ହକି ଉତ୍କର୍ଷ କେନ୍ଦ୍ରକୁ ଭୁବନେଶ୍ବରକୁ ସ୍ଥାନାନ୍ତରଣ କରିଥିଲେ। ସେତେବେଳେ ଜିଲ୍ଲାରେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ଏବେ ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲିଥିବା ନାଭାଲ ଟାଟା ଏକାଡେମୀ ସମାନ ପନ୍ଥା ଅବଲମ୍ବନ କରିଚାଲିଛି। ଏହି ଏକାଡେମୀ ନିଜେ ଚୟନ ଶିବିର ମାଧ୍ୟମରେ ଖେଳାଳି ଚିହ୍ନଟ ନକରି ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ବଛାବଛା ଉଦୀୟମାନ ଖେଳାଳିଙ୍କୁ ନିଜ ଏକାଡେମୀରେ ଭର୍ତ୍ତି କରୁଛି। ଇତିମଧ୍ୟରେ କେବଳ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ୨୫ ମହିଳା ଓ ୧୦ ପୁରୁଷ ଖେଳାଳି ଏବଂ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରୁ ୮ ପୁରୁଷ ଖେଳାଳି, ମୋଟ୍‌ ୪୩ ଖେଳାଳିଙ୍କୁ ନିଜ ଏକାଡେମୀରେ ଭର୍ତ୍ତି କରିସାରିଲାଣି। ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ଦିନରେ ସୁନ୍ଦରଗଡ଼ରେ ହକି ଅସ୍ତିତ୍ବ ହରାଇବା ପ୍ରାୟ ନିଶ୍ଚିତ।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନାଭାଲ ଟାଟା ଏକାଡେମୀ ହାଇ ପର୍‌ଫର୍ମାନ୍ସ ସେଣ୍ଟର୍‌କୁ ମୁଖ୍ୟମନ୍ତ୍ରୀ ଗତ ୨୦୧୯ ଅଗଷ୍ଟ ୧୩ ତାରିଖରେ ଉଦ୍‌ଘାଟନ କରିଥିଲେ। ତେବେ ନାଭାଲ ହକି ଏକାଡେମୀ ଏହାର ଠିକ୍‌ ବର୍ଷେ ପୂର୍ବରୁ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ଖେଳାଳିମାନଙ୍କୁ ନେବା ଆରମ୍ଭ କରିଥିଲା। ୨୦୧୮ ମସିହାରେ ପ୍ରଥମଥର ପାଇଁ ପାନପୋଷ କ୍ରୀଡ଼ା ଛାତ୍ରାବାସର ୧୮ ବର୍ଷରୁ କମ୍‌ ୧୭ ଖେଳାଳିଙ୍କୁ ନେଇଥିଲା। ତା’ପରବର୍ଷ, ଅର୍ଥାତ୍‌ ୨୦୧୯ରେ ‌ଜଣେ ବି ଖେଳାଳିଙ୍କୁ ନେଇନଥିଲା। କିନ୍ତୁ ୨୦୨୦ ମସିହାରୁ ଏହି ପ୍ରକ୍ରିୟା ପୁନର୍ବାର ବେଗ ଧରିଛି। ୨୦୨୦ ନଭେମ୍ବର ମାସରେ ୩ ମହିଳା ଖେଳାଳିଙ୍କୁ ନେଇଥିବା ବେଳେ ୨୦୨୧ ଅଗଷ୍ଟ ମାସରେ ଜଣେ ଓ ଗତ ସେପ୍ଟେମ୍ବର ୧୭ ତାରିଖରେ ୪ ଜଣଙ୍କୁ ନେଇଛନ୍ତି। ଅତଏବ ଗତ ୪ ବର୍ଷରେ କେବଳ ପାନପୋଷ କ୍ରୀଡ଼ା ଛାତ୍ରାବାସର ୨୫ ଜଣ ମହିଳା ଖେଳାଳିଙ୍କୁ ନେଇଛି ନାଭାଲ ଟାଟା ଏକାଡେମୀ। ସେହିଭଳି ଉଭୟ ପାନପୋଷ ଓ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରୁ ମୋଟ୍‌ ୧୮ ଖେଳାଳିଙ୍କୁ ନେଇସାରିଲାଣି ନାଭାଲ ଟାଟା ଏକାଡେମୀ। କିଛି ମାସ ପୂର୍ବେ ପାନପୋଷ କ୍ରୀଡ଼ା ଛାତ୍ରାବାସର ୮, ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ୮, ମୋଟ୍‌ ୧୬ ଜଣ ପୁରୁଷ ଖେଳାଳିଙ୍କୁ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବାକୁ ଦର୍ଶାଇ ନିଆଯାଇଥିଲା। ସେବେଠାରୁ ଏହି ଖେଳାଳିମାନେ ନିଜ ନିଜ ଛାତ୍ରାବାସକୁ ନଫେରି ନାଭାଲ ଟାଟା ଏକାଡେମୀରେ ହିଁ ଅଛନ୍ତି। ‌ଏତଦ୍‌ବ୍ୟତୀତ ଗତ ସେପ୍ଟେମ୍ବର ମାସରେ ୧୭ ବର୍ଷରୁ କମ୍‌ ୨ ଜଣ ପୁରୁଷ ହକି ଖେଳାଳିଙ୍କୁ ମଧ୍ୟ ନେଇଛନ୍ତି।

ଓଡ଼ିଶାରେ ହକିର ବିକାଶ ପାଇଁ ରାଜ୍ୟ ସରକାର-ଟାଟା ଷ୍ଟିଲ୍‌-ଟାଟା ଟ୍ରଷ୍ଟ୍‌ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଚୁକ୍ତିନାମା ଅନୁସାରେ, ରାଜ୍ୟ ସରକାର ଭିତ୍ତିଭୂମି ସଂକ୍ରାନ୍ତୀୟ ସହଯୋଗ ଓ ନାଭାଲ ଟାଟା ଏକାଡେମୀ ବୈଷୟିକ ଓ ପ୍ରଶିକ୍ଷଣ ସହାୟତା ପ୍ରଦାନ କରିବ। ସର୍ତ୍ତ ଥିଲା, ନାଭାଲ ଟାଟା ଏକାଡେମୀ ନିଜେ ମେଧା ଚୟନ ଶିବିର ଆୟୋଜନ କରି ପ୍ରତିଭାବାନ ଖେଳାଳିଙ୍କୁ ଏକାଡେମୀରେ ଦାଖଲକରି ପ୍ରଶିକ୍ଷଣ ଦେବ। ଏବେ କିନ୍ତୁ ଏହାର ଓଲଟା ଦେଖିବାକୁ ମିଳୁଛି। ପ୍ରକାଶଥାଉକି, ନାଭାଲ ଟାଟା ଏକାଡେମୀ ପକ୍ଷରୁ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳରେ ୧୦ଟି ଗ୍ରାସରୁଟ୍‌ ସେଣ୍ଟର୍‌ ଖୋଲାଯାଇଛି। ସେଗୁଡ଼ିକ ହେଲା- ସୁନ୍ଦରଗଡ଼ ଜିଲ୍ଲାର ପୁରୁଣାପାଣି (ନୂଆଗାଁ), କାଦୋବାହାଲ ଝୁନମୁର (କୁଆରମୁଣ୍ଡା), ଅଲଣ୍ଡା ଗରିଆମାଲ (ରାଜଗାଙ୍ଗପୁର), ସବଡେଗା, ଗୁରୁଣ୍ଡିଆ, କହୁପାଣୀ (କୁତ୍ରା), ବରସୁଆଁ, ଢ଼େଙ୍କାନାଳ, ମଝାପଡ଼ା (ସମ୍ବଲପୁର), କର୍ଡାପାଲ (ଦେବଗଡ଼) ଆଦି ସ୍ଥାନରେ ରହିଛି। ଏହି ସେଣ୍ଟର୍‌ରେ ଗ୍ରାମାଞ୍ଚଳର ଯୁବ ଖେଳାଳିଙ୍କୁ ଚିହ୍ନଟ କରି, ହକି ପ୍ରଶିକ୍ଷଣ ଦେଇ ପରିପକ୍ବ କରିବାପରେ ଏକାଡେମୀରେ ଦାଖଲ କରିବା ଉଦ୍ଦେଶ୍ୟ ରହିଥିଲା। କିନ୍ତୁ ଏହି ସେଣ୍ଟର୍‌ ମାଧ୍ୟମରେ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ଚୟନ କରିବାରେ ସମ୍ଭବତଃ ବିଫଳ ହୋଇଥିଲା। ଏଣୁ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ କ୍ରୀଡ଼ା ଛାତ୍ରାବାସର ଉନ୍ନତ ଖେଳାଳିଙ୍କୁ ଆମଦାନୀ କରି ନିଜ ଏକାଡେମୀରେ ରଖିବା ଓ ଶ୍ରେୟ ନେବାରେ ବ୍ୟସ୍ତ ରହିଛି ନାଭାଲା ହକି ଏକାଡେମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe