ଭୁବନେଶ୍ୱର: ଓଡ଼ିଶାକୁ ନୂଆ ପିସିସି ସଭାପତି ମିଳିଛି। ଏଆଇସିସିର ନିଷ୍ପତ୍ତି କ୍ରମେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ମିଳିଛି। ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଇସ୍ତଫା ପତ୍ରକୁ ଏଆଇସିସି ସ୍ୱୀକୃତି ଦେଇଛି। ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିବା ପରେ ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୋମବାର ସନ୍ଧ୍ୟାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଗତ ୨ ବର୍ଷ ହେଲା ନିର୍ବାଚନ ପରଠାରୁ ମୁଁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲି। ଦେହ ଅସୁସ୍ଥ ଥିବାରୁ ମୁଁ ସୋନିଆ ଗାନ୍ଧୀଙ୍କୁ ଭେଟି ମୋର ବ୍ୟକ୍ତିଗତ ସମସ୍ୟା କହିଥିଲି। ଯଥାଶୀଘ୍ର ମୋର ଇସ୍ତଫାକୁ ସ୍ୱୀକୃତି ଦିଆଯାଉ ବୋଲି ଅନୁରୋଧ କରିଥିଲି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆଜି ଦେଶର ସ୍ଥିତି ଏକ ସଂକଟ ଅବସ୍ଥାରେ ପହଞ୍ଚିଛି। କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଦର ହ୍ରାସ କରିଛନ୍ତି। ତେଣେ ଲୁହାପଥର ଆମଦାନି ଉପରେ ୬୦ ପ୍ରତିଶତ କର ବଢ଼ାଇ ଦେଇଛନ୍ତି। ଏଭଳି ହେବା ଦ୍ୱାରା ଦେଶର ଅର୍ଥନୀତି ଅବସ୍ଥା କ’ଣ ହେବ? ଏକଥାକୁ କଂଗ୍ରେସ କର୍ମୀ ଯଦି ଗାଁ-ଗହଳରେ ଲୋକଙ୍କ ଠାରେ ନ ପହଞ୍ଚାଇବେ ତା’ହେଲେ ଦେଶର ଅବସ୍ଥା କ’ଣ ହେବ। ମୁଁ ବିଶେଷ ଭାବରେ ଖୁସି ଯେ, ଏଆଇସିସି ମୋତେ ଅବ୍ୟାହତି ଦେଇଛି। ପଦରୁ ଯିବା ପରେ ମଧ୍ୟ ଓଡ଼ିଶାର ଜନସାଧାରଣ ତଥା ଦେଶର ସ୍ୱାର୍ଥ ପାଇଁ ମୁଁ କାମ କରିବି। ଓଡ଼ିଶାକୁ ଆଗେଇ ନେବା ପାଇଁ ମଧ୍ୟ କାମ କରିବି। କଂଗ୍ରେସ ଭାଇମାନଙ୍କୁ ଅନୁରୋଧ ସମସ୍ତେ ଏକାଠି ରୁହନ୍ତୁ। ଏକଜୁଟ ପାଇଁ କାମ କରନ୍ତୁ।
ଶରତ ପଟ୍ଟନାୟକଙ୍କୁ ନୂଆ ସଭାପତି କରାଯାଇଥିବାରୁ ମୁଁ ତାଙ୍କୁ ସ୍ୱାଗତ ଜଣାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶରତ ପଟ୍ଟନାୟକ ପୂର୍ବରୁ ମଧ୍ୟ ଏହି ପଦରେ ଥିବାରୁ ଦଳର ନେତୃତ୍ୱକୁ ସଠିକ ଭାବେ ପରିଚାଳନା କରିପାରିବେ। ତାଙ୍କର ବିଚାର, ଯୋଗ୍ୟତା ଓ ଅଭିଜ୍ଞତା ଅଛି।
ମୋର ଇସ୍ତଫା ଗ୍ରହଣ କରିଥିବାରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ସାଧାରଣ ସଂପାଦକ କେସି ବେଣୁଗୋପାଳ, ରାଜ୍ୟ କଗ୍ରେସ ପ୍ରଭାରୀ ଡ. ଚେଲ୍ଲା କୁମାରଙ୍କୁ ଧନ୍ୟବାଦ ଜଣାଉଛି। ବିଗତ କିଛି ବର୍ଷ ହେଲା କଂଗ୍ରେସର ଦାୟିତ୍ୱ ନେଇଥିଲି। ଏମାନେ ସମସ୍ତେ ଦିଗ୍ଦର୍ଶନ ଦେଇଥିଲେ, ସମର୍ଥନ ଦେଇଥିଲେ ଓ ସାହାଯ୍ୟ ବି କରିଥିଲେ।
Follow Us