କୋଇଡା : ବାଳ ଶ୍ରମିକ ବନ୍ଦ କରିବାଲାଗି ଆଇନ ପ୍ରଣୟନ କରାଯାଇଥିଲେ ହେଁ ପିଲାମାନଙ୍କୁ କାମରେ ନିୟୋଜିତ କରାଯିବା ଆଦୌ ନୂଆ ନୁହେଁ। ତେବେ ନାବାଳକକୁ ମଦ ଡେଲିଭରି ପାଇଁ ନିୟୋଜିତ କରାଯିବା ଘଟଣା ଚିନ୍ତାଜନକ। ସୁନ୍ଦରଗଡ଼ର ଖଣିଭରା କୋଇଡ଼ାର ଏକ ସରକାରୀ ବିଦେଶୀ ଠିପି ବନ୍ଦ ମଦ ଦୋକାନରେ ଜଣେ ନାବାଳକକୁ ଏହି କାମରେ ନିୟୋଜିତ କରାଯିବା ଘଟଣା ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।
ଉକ୍ତ ନାବାଳକକୁ ଏକ ବ୍ୟାଗ୍ରେ ମଦ ବୋତଲ ସବୁକୁ ମଦ ଦୋକାନରୁ ଆଣିବାର ଦେଖି ଜଣେ ସ୍ଥାନୀୟ ସାମ୍ବାଦିକ ପ୍ରତିବାଦ କରିଥିଲେ। ଅଭିଯୋଗ କରିବା ଲାଗି ସେ ମଦ ଦୋକାନରେ ପହଞ୍ଚିବା ସମୟରେ ଦୋକାନ ଭିତରେ ଜଣେ ତିନି ତାରକାଧାରୀ ଅବକାରୀ ଅଧିକାରୀ ବସିଥିଲେ। ତାଙ୍କ ଉପସ୍ଥିତିରେ ନାବାଳକଟି ଦୋକାନରୁ ମଦଭର୍ତ୍ତି ବ୍ୟାଗ୍ ନେଇ ଯାଇଥିଲା। ପ୍ରତିବାଦ କରିବାରୁ ଦୋକାନୀ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ। ଅବକାରୀ ଅଧିକାରୀ ଏସବୁକୁ ଚୁପଚାପ୍ ବସି ଦେଖୁଥିଲେ।
ଆଶ୍ଚର୍ଯ୍ୟର କଥା ହେଉଛି, ସେ ମଦ ଦୋକାନୀ ଉକ୍ତ ସାମ୍ବାଦିକଙ୍କ ବିରୋଧରେ ସ୍ଥାନୀୟ ଥାନାରେ ମୌଖିକ ଅଭିଯୋଗ ମଧ୍ୟ କରିଥିଲେ। ତେବେ କୋଇଡା ଥାନା ଅଧିକାରୀ ସାମ୍ବାଦିକଙ୍କୁ ଡାକି ଘଟଣା ବିଷୟରେ ପଚାରି ବୁଝି ତାଙ୍କର କୌଣସି ଭୁଲ୍ ନଥିବା ଜାଣି ଛାଡ଼ି ଦେଇଥିଲେ।
Follow Us