The Financial Express
ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅକ ନେସ୍ଥାନରେ ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ରାତ୍ରି ତାପମାତ୍ରା ଖସିବ। ଏଥିସହ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତା ୨ ଦିନ ଶୀତ ଲହରି ପ୍ରବାହିତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରି ଓ କିରେଇରେ ୭.୬ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ରାଉରକେଲାରେ ୮ ଡିଗ୍ରି, ଭୁବନେଶ୍ବରରେ ୧୬.୫ ଡିଗ୍ରି ଓ କଟକରେ ୧୬.୬ ଡିଗ୍ରି ରେକର୍ଡ ହୋଇଛି। ଏବେ ରାଜ୍ୟ ମଧ୍ୟକୁ ଉତ୍ତର ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ପୁଣି ଶୀତ ବଢ଼ିବା ସହ ଆଭ୍ୟନ୍ତର ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି।
ସେହିପରି ଉତ୍ତରା ପବନ ପ୍ରବାହ ହେତୁ ଗୋଟିଏ ରାତିରେ (ଗତକାଲି) ରାଉରକେଲାର ପାରଦ ସ୍ତର ୭ ଡିଗ୍ରି, ଝାରସୁଗୁଡ଼ାର ୫.୮ ଡିଗ୍ରି, ଫୁଲବାଣୀର ୪.୫ ଡିଗ୍ରି, ସମ୍ବଲପୁରର ୪.୪ ଡିଗ୍ରି, ଯାଜପୁରର ୪.୨ ଡିଗ୍ରି, ଢେଙ୍କାନାଳର ୩.୯ ଡିଗ୍ରି ଓ ଭୁବନେଶ୍ବରର ରାତିର ପାରଦ ସ୍ତର ପ୍ରାୟ ୩.୭ ଡିଗ୍ରି ଯାଏ ତଳକୁ ଖସିଛି। ଫଳରେ ସାରା ରାଜ୍ୟରେ ଦୀର୍ଘ ଦିନର ବିରତି ପରେ ପୁଣି ଶୀତ ପଡ଼ିବା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଏବେ ଦିନ ତାପମାତ୍ରା ମଧ୍ୟ ଅଧିକ ରହିଥିବା ବେଳେ ଆକାଶ ନିର୍ମଳ ଯୋଗୁଁ ଖରା ପ୍ରବଳ ହେଉଛି।
Follow Us