ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୧ରୁ, ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ

Advertisment
ବିଧାନସଭାର ଶୀତ ଅଧିବେଶନ ପାଇଁ ଯାନବାହାନ କଟକଣା ଜାରି

Odisha News Insight

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ୍‌ ୨୬ଟି କାର୍ଯ୍ୟଦିବସ ରଖାଯାଇଛି। ଅଧିବେଶନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଆଗତ ହେବ।

ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶୀତ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ।

୧୦ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ଆଗତ ହୋଇ ଅତିରିକ୍ତ ବଜେଟ୍‌ ଗୃହୀତ କରାଯିବ। ଡିସେମ୍ବର ୧୧ରୁ ୩୧ ତାରିଖ ଯାଏ ଅଫିସିଆଲ୍‌ ବିଜ୍‌ନେସ୍‌ ରଖାଯାଇଛି। ତାହା ମଧ୍ୟରୁ ୧୭, ୨୪ ଓ ୨୯ ତାରିଖରେ ପ୍ରାଇଭେଟ୍‌ ମେମ୍ବର୍ସ ବିଜ୍‌ନେସ୍‌ ରଖାଯାଇଛି। ଡିସେମ୍ବର ୫, ୧୨, ୧୯ ଓ ୨୬ ତାରିଖରେ ରବିବାର ଏବଂ ୨୫ ତାରିଖରେ ବଡ଼ ଦିନ ପାଇଁ ଗୃହ କାର୍ଯ୍ୟ ହେବ ନାହିଁ।

ବିଧାନସଭା ଅଧିବେଶନ ଗୋଟିଏ କ୍ୟାଲେଣ୍ଡର୍‌ ବର୍ଷରେ ୬୦ ଦିନ ବସିବାର ନିୟମ ରହିଛି। ଚଳିତ ବର୍ଷ ବଜେଟ୍‌ ଓ ମୌସୁମୀ ଅଧିବେଶନ ମୋଟ୍ ୩୪ଟି କାର୍ଯ୍ୟଦିବସ ସରିଛି। ତେଣୁ ଶୀତ ଅଧିବେଶନରେ ଆଉ ୨୬ ଦିନ ଗୃହ ଚାଲିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ତେବେ ୧୦ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ ହେଲା ପରେ ଗୃହ ଅଧିବେଶନ ଶେଷ ପର୍ଯ୍ୟନ୍ତ ଚାଲିବ ନା ଅଧାରୁ ମୁଲତବୀ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏବଂ ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଆନ୍ଦୋଳନ ଜାରି ରହିଥିବାରୁ ଶୀତ ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି। ଦୁଇ ବିରୋଧୀ ଦଳ ରାଜରାସ୍ତାରେ ସରକାରଙ୍କୁ ଜୋର୍‌ଦାର ଘେରୁଥିଲା ବେଳେ ବିଧାନସଭା ଅଧିବେଶନରେ ସୁଯୋଗକୁ କଦାପି ହାତଛଡ଼ା କରିବେ ନାହିଁ। ବିରୋଧୀଙ୍କୁ ମୁକାବିଲା କରିବାକୁ ଶାସକ ଦଳ କି ରଣନୀତି କରୁଛି, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe