ମୌସୁମୀ ପରେ କରୋନାକୁ ସୁହାଇବ ଶୀତଋତୁ

Advertisment
ମୌସୁମୀ ପରେ କରୋନାକୁ ସୁହାଇବ ଶୀତଋତୁ

Prensa Latina

ଆଇଆଇଟି-ଏମ୍‌ସ ଅଧ୍ୟୟନ ବଢ଼ାଇଲା ଚିନ୍ତା, ଶୀତ ପୂର୍ବରୁ ନିୟନ୍ତ୍ରଣ ହେବ: ସ୍ବାସ୍ଥ୍ୟ ବିଶେଷଜ୍ଞ
ଭୁବନେଶ୍ୱର : ଜୁନ୍ ମାସ ବିପଦ ଆଣିପାରେ। ମୌସୁମୀ ଆସିବା ପୂର୍ବରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏମିତି ସତର୍କ କରାଇଥିଲେ। ଜୁଲାଇ ମାସର ପରିସଂଖ୍ୟାନ ସୂଚାଇ ଦେଲାଣି ଯେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାକୁ ଲାଗିଛି। ଏକ ଗବେଷଣ ରିପୋର୍ଟ ଆକଳନ କରୁଛି ଯେ ଏହି ମାସରେ ହିଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ହଜାର ଛୁଇଁଯିବା ବିଚିତ୍ର ନୁହେଁ। ମୌସୁମୀ ସକ୍ରିୟତା ତଥା ସାମାଜିକ ଦୂରତା ରକ୍ଷା ଆଦି ଶତ ପ୍ରତିଶତ ହେଉନଥିବା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବିଭିନ୍ନ ସମୟରେ କୁହାଯାଇଛି।

ହେଲେ ଆଇଆଇଟି ଭୁବନେଶ୍ବର ଓ ଏମ୍‌ସ ଅଧିକାରୀମାେନ ଗବେଷଣା କରି ସତର୍କ କରାଇଲେଣି ଯେ କେବଳ ମୌସୁମୀ ନୁହେଁ, ଶୀତ ଋୁତରେ ମଧ୍ୟ କରୋନା ଭୀଷଣ ରୂପ ଧାରଣ କରିବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ମୌସୁମୀ ଯେତେ ଅଧିକ ସକ୍ରିୟ ହେବ ଏବଂ ପାରଦ ଯେତିକି କମିବ, ଅର୍ଥାତ୍ ଶୀତ ବଢ଼ିବ କୋଭିଡ଼୍-୧୯ ଭୂତାଣୁ ସେତିକି ବିସ୍ତାର କରିବାର ଭୟ ରହିଛି। ଏହି ଗବେଷଣା ପରୋକ୍ଷରେ ସୂଚାଇ ଦେଉଛି ଯେ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ସମ୍ଭବତଃ କରୋନା ଦାଉରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ।

ଆଇଆଇଟି ଭୁବନେଶ୍ବରର ସ୍କୁଲ ଅଫ୍ ଆର୍ଥ, ଓସେନ୍ ଓ କ୍ଲାଇମେଟିକ୍ ସାଇନ୍ସର ସହକାରୀ ପ୍ରଫେସର ଭି ଭିନୋଜଙ୍କ ନେତୃତ୍ବରେ ହୋଇଥିବା ଅଧ୍ୟୟନ କହୁଛି ଯେ ବର୍ଷା, ତାପମାତ୍ରା ହ୍ରାସ ଏବଂ ବାୟୁମଣ୍ଡଳରେ ଥଣ୍ଡା ବଢ଼ିଲେ କୋଭିଡ଼୍-୧୯ ଭୂତାଣୁ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। ‘‘କୋଭିଡ଼୍-୧୯, ଭାରତରେ ବିସ୍ତାର ଓ ତାପମାତ୍ରା ଏବଂ ଆପେକ୍ଷିତ ଆର୍ଦ୍ରତା ଉପରେ ନିର୍ଭରଶୀଳ’’ ଶୀର୍ଷକ ଏହି ଅଧ୍ୟୟନ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ୨୮ଟି ରାଜ୍ୟର ମାମଲାକୁ ବିଚାରକୁ ନେଇ ପ୍ରସ୍ତୁତ କରାଯାଇଛି। ଯଦିଓ ଏହି ରିପୋର୍ଟ ପ୍ରକାଶ ପାଇନାହିଁ, ତେବେ ଗଣମାଧ୍ୟମକୁ ଆସିଥିବା ତଥ୍ୟ ଜଣାଉଛି ଯେ ତାପମାତ୍ରା ବୃଦ୍ଧି ଦ୍ବାରା ଭୂତାଣୁ ସଂକ୍ରମଣ ହ୍ରାସ ଘଟୁଥିବାର ସଙ୍କେତ ମିଳୁଛି। ବିଶେଷକରି ତାପମାତ୍ରା ଓ ଆପେକ୍ଷିକ ଆର୍ଦ୍ରତା ରୋଗର ବୃଦ୍ଧି ଏବଂ ସଂକ୍ରମଣ ଦ୍ବିଗୁଣିତ ସମୟ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରଭାବ ପକାଉଛି।

publive-image District Doda

ଏହି ଅଧ୍ୟୟନରୁ ଜଣାପଡୁଛି ଯେ ତାପମାତ୍ରା ଯଦି ଏକ ଡିଗ୍ରି ସେଲସିୟସ ବଢ଼ୁଛି, ତେବେ ମାମଲା ସଂଖ୍ୟା ୦.୯୯% ହ୍ରାସ ପାଇବ। ରୋଗର ଭୂତାଣୁ ବିସ୍ତାର ବା ଦ୍ବିଗୁଣିତ କ୍ଷେତ୍ରରେ ମନ୍ଥରତା ଦେଖାଦେବ। ସେହିଭଳି ଆପେକ୍ଷିକ ଆର୍ଦ୍ରତା ବୃଦ୍ଧି ହେଲେ ମାମଲା ସଂଖ୍ୟା ବଢ଼ିବା ସହିତ ଭୂତାଣୁର ଦୁଇଗୁଣ ସମୟକୁ ୧.୧୯ ଦିନ ହ୍ରାସ କରିବ। ତେବେ ମୌସୁମୀରୁ ଶୀତ ଋତୁ ମଧ୍ୟରେ ଏହାର ସଠିକ ପ୍ରଭାବ ଆକଳନ ପାଇଁ ଏ କ୍ଷେତ୍ରରେ ଅଧିକ ଅନୁସନ୍ଧାନ ଦରକାର ବୋଲି କୁହାଯାଇଛି।

ଏହି ଅଧ୍ୟୟନରେ ସାମିଲ ଥିବା ଏଏମ୍‌ସର ମାଇକ୍ରୋ ବାୟୋଲୋଜି ବିଭାଗର ଡାକ୍ତର ବିଜୟିନୀ ବେହେରା କହିଛନ୍ତି ଯେ ଅତୀତରେ ତାପମାତ୍ରା ହ୍ରାସ ହେବା ଏବଂ ଅପେକ୍ଷାକୃତ କମ୍ ଆର୍ଦ୍ରତା ଭୂତାଣୁର ବିସ୍ତାରକୁ ସହଜ କରିଥିଲା।

ଯେହେତୁ ଗ୍ରୀଷ୍ମ ଓ ଶୀତ ଋତୁ ମଧ୍ୟରେ ହାରାହାରି ସାତ ଡିଗ୍ରି ସେଲସିୟସ ତାପମାତ୍ରାରେ ଫରକ ରହିଥାଏ, ଏଣୁ ଏହାର ପ୍ରଭାବ ରହିବ ବୋଲି କୁହାଯାଉଛି।

ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର (ବୈଷୟିକ) ଡାକ୍ତର ଜୟନ୍ତ ପଣ୍ଡାଙ୍କର ମତ ଯେ କୌଣସି ଭୂତାଣୁ ଜନିତ ରୋଗର ବିସ୍ତାର ଜଳବାୟୁ ଉପରେ ନିର୍ଭର କରିଥାଏ। ଯଦି ତାପମାତ୍ରା କମେ, ତେବେ ଭୂତାଣୁର ପ୍ରଭାବ ବଢିଥାଏ ଓ ପାରଦ ବଢିଲେ ପ୍ରଭାବ କମିଥାଏ। ଏହି କ୍ରମରେ ଜୁଲାଇ-ଅଗଷ୍ଟରେ ମୌସୁମୀ ପ୍ରଭାବ ରହିବ ଓ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସରେ ଶୀତର ପ୍ରଭାବ ରହିବ। ହେଲେ ରାଜ୍ୟ ସରକାର ତାର ଯଥେଷ୍ଟ ପୂର୍ବରୁ ସ୍ଥିତିକୁ ଆୟତ୍ତକୁ ଆଣିବା ଲାଗି ଚେଷ୍ଟା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe