ସମସ୍ତଙ୍କ ସହଯୋଗରେ ଭୁବନେଶ୍ୱର ହେବ ସର୍ବଶ୍ରେଷ୍ଠ ସହର

Advertisment

୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ

୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ

ସମସ୍ତଙ୍କ ସହଯୋଗରେ ଭୁବନେଶ୍ୱର ହେବ ସର୍ବଶ୍ରେଷ୍ଠ ସହର

ଭୁବନେଶ୍ୱର: ୧୯୩୬ ମସିହାରେ ଗଠିତ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶାର ରାଜଧାନୀ ନିର୍ମାଣ ପାଇଁ ୧୯୪୮ ଏପ୍ରିଲ୍‌ ୧୩ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଓ ଅନ୍ୟ ବରପୁତ୍ରମାନଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହରୁ ଭୁବନେଶ୍ୱରରେ ପ୍ରତିଷ୍ଠା ଫଳକ ଉଦ୍‌ଘାଟନ କରିଥିଲେ। ସ୍ବର୍ଗତ ମହତାବଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିକାଶ ପାଇଁ କାମ କରିଛନ୍ତି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷର ଶାସନ କାଳରେ ଭୁବନେଶ୍ୱର ଦେଶର ଏକ ପ୍ରମୁଖ ସହର ଭାବେ ପରିଗଣିତ ହୋଇଛି। ସମସ୍ତଙ୍କ ସହଯୋଗ ରହିଲେ ଭୁବନେଶ୍ବର ଭାରତର ସର୍ବଶ୍ରେଷ୍ଠ ସହର ହୋଇପାରିବ ବୋଲି ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ଅତିଥିମାନେ କହିଛନ୍ତି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯାଇଛି। ସକାଳେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଓଡ଼ିଶା ବିଧାନସୌଧ ଶିଳାନ୍ୟାସ ଫଳକ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ।

publive-image

ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଏମ୍‌ସି ମେୟର ସୁଲୋଚନା ଦାସ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ ଉପସ୍ଥିତ ଥିଲେ। ପରେଡ୍‌ କାର୍ଯ୍ୟକ୍ରମରେ କମାଣ୍ଡର ସୁଷମା ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ ଓ ଅନୁଷ୍ଠାନର ୬୮ ପ୍ଲାଟୁନ୍‌ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସ୍କେଟିଂ ଏକାଡେମି, କଳିଙ୍ଗ ଷ୍ଟାଡିୟମ୍‌ ଏବଂ ମହର୍ଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଓଡ଼ିଶା ବିଧାନସଭାର ମାସିକ ପତ୍ରିକା ‘ବିଧାନସଭା ସମାଚାର’ ଉନ୍ମୋଚିତ ହୋଇଥିଲା। ଯାଜପୁରରୁ ଭୁବନେଶ୍ୱର ପଦଯାତ୍ରା କରିଥିବା ମୋହନ ମାଝୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଧନ୍ୟବାଦ ଦେଇଥିବା ବେଳେ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ, ସାଧାରଣ ସଂପାଦକ ସନତ ମିଶ୍ର ଓ ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

publive-image

ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ସାଧାରଣ ସଭା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ ପ୍ରତିଯୋଗିତା ଓ ଓଡ଼ିଶାର ପ୍ରତିଷ୍ଠିତ କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଅତିଥି ଭାବେ ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଉପସ୍ଥିତ ଥିଲେ। ରାଜଧାନୀ ପ୍ରତିଷ୍ଠା ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାଜଧାନୀ ପ୍ରତିଷ୍ଠା ଦିବସର ଇତିବୃତ୍ତି ବର୍ଣ୍ଣନା କରିଥିଲେ। କମିଟିର ସାଧାରଣ ସମ୍ପାଦକ ସନତ ମିଶ୍ର ଉତ୍ସବ ସମ୍ପର୍କରେ ସୂଚନା ଦେଇଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

୧୩ ଜଣଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’

ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଆଇନଜୀବୀ ଡ. ମଧୁମାଧବ ଜେନା, ସମାଜସେବୀ ନୀଳମଣି ମିଶ୍ର, ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି, କୋଭିଡ୍‌ ଯୋଦ୍ଧା ଡାକ୍ତର ସଂଘମିତ୍ରା ପତି, ଶୁଭେନ୍ଦୁ କୁମାର ସାହୁ, ବୈଜ୍ଞାନିକ ଡାକ୍ତର ଅଜୟ ପରିଡ଼ା, ଡାକ୍ତର ଅଶୋକ ନନ୍ଦ, ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ଟ୍ରାଫିକ୍‌ କନଷ୍ଟେବଳ ଶେଷଦେବ ସାହୁ, ଡାକ ପିଅନ ବିପ୍ଳବ ରଞ୍ଜନ ମଲ୍ଲିକ, କ୍ରୀଡ଼ାବିତ୍‌ ସୁଶ୍ରୀ ଦୀପ୍‌ଗ୍ରେସ୍‌, ସେବିକା ହାରାମଣି ଦାଶ ଓ ସଫେଇ କର୍ମଚାରୀ ସୁଷମା ଦେଈ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe