Northeast Now
ଭୁବନେଶ୍ବର : ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମ ମନା। ବିନା ଅନୁମତିରେ କ୍ୟାମେରା ଧରି ପ୍ରବେଶ କଲେ ଥାନାରେ ଏତଲା ଦେବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦେଶ ଦେଇ ତୀବ୍ର ସମାଲୋଚନାର ଶିକାର ହୋଇଥିବା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ହରିହର ଦେହୁରୀ ଆଜି ସେହି ନିର୍ଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ସାରା ରାଜ୍ୟରେ ପ୍ରତିବାଦର ସ୍ବର ଉଠିବା ପରେ ବିଇଓ ସୋମବାର ସନ୍ଧ୍ୟାରେ ଚିଠି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ସେ ଦର୍ଶାଇଛନ୍ତି ଯେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗତ ୮ ତାରିଖରେ ଦିଆଯାଇଥିବା ନିର୍ଦେଶନାମାକୁ ପ୍ରତ୍ୟାହାର କରାଗଲା।
ସ୍କୁଲକୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣାକୁ ନେଇ ବିଭିନ୍ନ ସ୍ତରରୁ କଡ଼ା ସମାଲୋଚନାର ଶିକାର ହେବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଦିନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ତାଙ୍କ ବିଭାଗ ପକ୍ଷରୁ ଏଭଳି କଟକଣା ସଂକ୍ରାନ୍ତ କୌଣସି ନିର୍ଦ୍ଦେଶନାମା ଜାରି ହୋଇନି। ସ୍କୁଲର ବିଭିନ୍ନ ସମସ୍ୟା ଯଥା ଖରାପ, ଭଲ, ଅଞ୍ଚଳର ଆବଶ୍ୟକତା ଆଦି ଲୋକଲୋଚନକୁ ଆଣିବାରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ କୌଣସି ନିର୍ଦ୍ଦେଶ ଅଟକାଇ ପାରିବ ନାହିଁ। ସ୍ଥାନୀୟସ୍ତରରେ ସମସ୍ୟାକୁ ଦେଖି କେବଳ ଢେଙ୍କାନାଳ ଜିଲ୍ଲାର ଏପରି ଗୋଟିଏ ଚିଠି ବାହାରିଛି। ତାଙ୍କ ବିଭାଗ ଏହାକୁ ଅନୁଧ୍ୟାନ କରୁଛି ଓ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ।
ତେବେ ପ୍ରଶ୍ନ ଉଠୁଛି, ଯଦି ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇ ନଥିଲା, ତା’ହେଲେ କେନ୍ଦ୍ରାପଡ଼ା ଡିଇଓ କାହା ଇଙ୍ଗିତରେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖି ଗଣମାଧ୍ୟମ ପ୍ରବେଶ ଉପରେ ଅଙ୍କୁଶ ଲଗାଇଥିଲେ? ପ୍ରଧାନଶିକ୍ଷକଙ୍କୁ ଏଭଳି ଚିଠି ଲେଖିବାକୁ ତାଙ୍କୁ ଅନୁମତି ଦେଲା କିଏ? ଯଦି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଏଭଳି ଚିଠି ଲେଖିବା ଉଚିତ୍ ନୁହେଁ ବୋଲି ଭାବୁଛନ୍ତି, ତା’ହେଲେ ସରକାରୀ ଚାକିରି ସର୍ତ୍ତାବଳୀର ଉଲ୍ଲଘଂନ ଦର୍ଶାଇ କଙ୍କଡ଼ାହାଡ଼ ବ୍ଲକ ଶିକ୍ଷା ଅଧିକାରୀ ଓ କେନ୍ଦ୍ରାପଡ଼ା ଡିଇଓଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କାହିଁକି ହେବ ନି ବୋଲି ପ୍ରଶ୍ନ ଉଠିଛି।
The Hinduଚିଠିକୁ ନେଇ ବିବାଦ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣଶିକ୍ଷା ବିଭାଗକୁ ରିପୋର୍ଟ ତଲବ କରାଯାଇଛି। ବିନା ଆଲୋଚନାରେ କାହିଁକି ଏଭଳି ନିଷ୍ପତ୍ତି ନିଆଗଲା ସେନେଇ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ମଧ୍ୟ ଆଜି ବିଭାଗର ଅଧିକାରୀ, ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ବିଭାଗର ଜଣେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଯୋଗୁଁ ଆଜି ଏଭଳି ସ୍ଥିତି ଉପୁଜିଲା। ଲିଖିତ ନିର୍ଦେଶନାମା ଜାରି କରି ନ ଥିଲେ ମଧ୍ୟ ଡିଇଓମାନଙ୍କୁ ନେଇ ଗଠିତ ହ୍ବାଟସ୍ଅପ୍ ଗ୍ରୁପ୍ରେ ମେସେଜ୍ ପଠାଇଥିଲେ। ଯାହାକୁ ଆଧାର କରି ଡିଇଓ ଓ ବିଇଓମାନେ ବିଜ୍ଞପ୍ତି ଜାରି କରିଛନ୍ତି। ବିବାଦ ପରେ ଅଧିକାରୀ ଜଣକ ନିରବତା ଅବଲମ୍ବନ କରୁଛନ୍ତି। ବର୍ତମାନ ସ୍ଥିତିକୁ ନଜରରେ ରଖି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଯୋଜନା ଚାଲିଛି। ତେବେ ସ୍କୁଲ କ୍ୟାମ୍ପସକୁ ପ୍ରବେଶ ଲାଗି ଥିବା ପୂର୍ବ ନିର୍ଦେଶନାମାକୁ କିଭଳି କାର୍ଯ୍ୟକାରୀ ହୋଇପାରିବ ସେନେଇ ଆଲୋଚନା ଚାଲିଛି। ଖୁବ୍ଶୀଘ୍ର ଏସ୍ଓପି ଜାରି କରାଯିବ। କିଏ, କେଉଁମାନେ, କେତେବେଳେ କ୍ୟାମ୍ପସରେ ପ୍ରବେଶ କରିବେ ସେନେଇ ଏସ୍ଓପିରେ ଉଲ୍ଲେଖ ରହିବ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏଭଳି ନିଷ୍ପତ୍ତି ନେବା ଲାଗି ଡିଇଓମାନଙ୍କୁ କିଏ କହିଲା ତାହାକୁ ନେଇ ସରକାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଦିନତମାମ ବିଭାଗୀୟ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏଭଳି ନିର୍ଦେଶନାମା ଜାରି କରିବାକୁ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗତ ସପ୍ତାହରେ ଡିଇଓମାନଙ୍କୁ କହିଥିଲେ। ଅଧିକାରୀ ଜଣକ ଦର୍ଶାଇଥିଲେ ଯେ କେତେଜଣ ସାମ୍ବାଦିକ କ୍ୟାମେରା ଧରି କ୍ୟାମ୍ପସରେ ପଶୁଛନ୍ତି। ଛାତ୍ରଛାତ୍ରୀ/ଶିକ୍ଷକଙ୍କୁ ପ୍ରଶ୍ନ ପଚାରି ସେମାନଙ୍କ ଇଜ୍ଜତ ନେଉଥିବା ନଜରକୁ ଆସିଛି। ସେଭଳି ବେଆଇନ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆଯିବ ନାହିଁ। ବେଆଇନ ଭାବେ ପଶୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ତାଙ୍କ ବିରୋଧରେ ପୁଲିସ ଏତଲା ଦେବାକୁ ବରିଷ୍ଠ ଅଧିକାରୀ ଜଣକ ନିର୍ଦେଶ ଦେଇଥିଲେ।
Follow Us