ବାଇ-ଲ’ ପ୍ରତ୍ୟାହାର ତାତି ତେଜୁଛି

Advertisment
ଲିଙ୍ଗରାଜଙ୍କ ଜମିକୁ ନେଇ ମାନସମନ୍ଥନ

en.wikipedia.org

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ
ଦୂରେଇଲା ବିଜେପି; ଅନୁଭବ-ଅପରାଜିତା ଟ୍ବିଟ୍‌ ଯୁଦ୍ଧ
ସରସ୍ବତୀ ପୂଜା ଦିନ ସବୁ ମନ୍ଦିର ସାମ୍ନାରେ ଘଣ୍ଟମାଡ଼
କଂଗ୍ରେସର ଦସ୍ତଖତ ଅଭିଯାନ, ନରସିଂହ ଗର୍ଜିଲେ

ଭୁବନେଶ୍ବର/ନୂଆଦିଲ୍ଲୀ : ଶ୍ରୀଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀ ବ୍ରହ୍ମେଶ୍ବର ମନ୍ଦିର ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍ଏ)ଙ୍କ ପ୍ରସ୍ତାବିତ ଐତିହ୍ୟ ଅଧିନିୟମ (ବାଇ-ଲ’) ଏବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ମୁହାଁମୁହିଁ ସ୍ଥିତିକୁ ଟାଣିନେଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ବାଇ-ଲ’ ପ୍ରତ୍ୟାହାର ପାଇଁ ଦାବି ଜଣାଇଥିଲେ। ଏହାର କେଇ ଘଣ୍ଟା ପରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ରେ ପ୍ରତିଜବାବ ଦେବା ଓ ସରକାରଙ୍କୁ ଦେଇଥିବା ଉପଦେଶ ଏବେ ରାଜ୍ୟ ରାଜନୀତିରେ, ବିଶେଷକରି ବିଜେଡି ଆଭ୍ୟନ୍ତରୀଣ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ପୁରୀ କ୍ଷେତ୍ରରେ ତୁରନ୍ତ ବାଇ-ଲ’ ପ୍ରତ୍ୟାହାର କରାଯାଇଥିବା ବେଳେ ଚଳନ୍ତି ଠାକୁର ଶ୍ରୀଲିଙ୍ଗରାଜଙ୍କ ପାଇଁ କାହିଁକି କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। ପୁରୀ କ୍ଷେତ୍ରରେ ଯଦି ଏନ୍‌ଏମ୍‌ଏ ଅଧ୍ୟକ୍ଷ ଜାଣିନଥିବା କଥା କେନ୍ଦ୍ରମନ୍ତ୍ରୀ କହିଥିଲେ, ତେବେ ଶ୍ରୀଲିଙ୍ଗରାଜ କ୍ଷେତ୍ରରେ କ’ଣ ଜାଣିଶୁଣି କରିଥିଲେ କି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହେଲାଣି।

ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏଥିରେ କେହି ପ୍ରତିଜବାବ ଦେବାର କୌଣସି ଆବଶ୍ୟକତା ନାହିଁ। କିମ୍ବା ରାଜନୀତି କରିବା ଭଳି ଏହା ଏକ ପ୍ରସଙ୍ଗ ମଧ୍ୟ ନୁହେଁ। ମୁଖ୍ୟମନ୍ତ୍ରୀ ଯେଉଁ ଦାବି କରିଛନ୍ତି, କେନ୍ଦ୍ର ସରକାର ତାହାକୁ ସହୃଦୟତାର ସହିତ ଗ୍ରହଣ କରିବା ଉଚିତ୍।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ମନ୍ଦିର ମାନଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ନ ନେଇ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ଯେଉଁ ମନ୍ତ୍ରୀ କହୁଥିଲେ ମୁଁ ଶ୍ରୀମନ୍ଦିର ପାଇଁ ବାଇ-ଲ’ ହଟେଇବାକୁ ପ୍ରସ୍ତାବ ଦେଲା ପରେ ହଟିଛି; ସେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରସଙ୍ଗରେ ଆଇନ ପଢ଼ିବାକୁ କେମିତି ଉପଦେଶ ଦେଉଛନ୍ତି। ଇଏ କେମିତିକା କଥା? ଉନ୍ନତୀକରଣ କାମରେ ଯିଏ ବାଧା ଦେବ, ରାଜ୍ୟର ତ କ୍ଷତି ହେବ, ଲୋକେ ବରଦାସ୍ତ କରିବେ ନାହିଁ। କେବଳ ସେତିକି ନୁହେଁ, ଧାର୍ମିକ ଭାବନାକୁ କୁଠାରଘାତ କଲା ଭଳି କାମ କରିବା ଉଚିତ ନୁହେଁ ବୋଲି ଶ୍ରୀ ମିଶ୍ର ସତର୍କ କରାଇ ଦେଇଛନ୍ତି।

ଆଜି ଓଡ଼ିଶା ମନ୍ଦିର ସେବାୟତ ସଂଘ ଏହି ପ୍ରସଙ୍ଗରେ ସାମ୍ନାକୁ ଆସିଛି। ସଂଘ କହିଛି ଯେ କେନ୍ଦ୍ର ସରକାର ଯଦି ତୁରନ୍ତ ବାଇ-ଲ’ ପ୍ରତ୍ୟାହାର ନ କରନ୍ତି, ତେବେ ସବୁ ମନ୍ଦିର ସାମ୍ନାରେ ସରସ୍ବତୀ ପୂଜା ଦିନ ଘଣ୍ଟ ମାଡ଼ ହେବ। କୌଣସି ପରିସ୍ଥିତିରେ ଶ୍ରୀଲିଙ୍ଗରାଜଙ୍କୁ ଅବହେଳା ବରଦାସ୍ତ କରାଯିବ ନାହିଁ। ସେହିଭଳି ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଭୀଷ୍ମ ନାରାୟଣ ନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ବାଇ-ଲ’ ପ୍ରତ୍ୟାହାର ଦାବି କରିଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ମଧ୍ୟ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି ନେଇଛି। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ଏହା ବିରୋଧରେ ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାରୁ ଦସ୍ତଖତ ଅଭିଯାନ ଆରମ୍ଭ କରିଛି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଆଜି ବିଜେଡି ସାଂସଦମାନଙ୍କର ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ େମଘଵାଲଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ସାଂସଦମାନେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ଏକାମ୍ର କ୍ଷେତ୍ର ସଂକ୍ରାନ୍ତରେ କେନ୍ଦ୍ରର ବାଇ-ଲ’ ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

ସାଂସଦମାନେ କହିଥିଲେ ଯେ ବାଇ-ଲ’ ଦ୍ୱାରା ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରାଯିବା ଠିକ୍ ନୁହେଁ। ଏହା ଓଡ଼ିଶାର ଧାର୍ମିକ ଭାବାବେଗ ସହିତ ଜଡ଼ିତ। ମୁଖ୍ୟମନ୍ତ୍ରୀ ଏନେଇ ଓଡ଼ିଶାର ସମସ୍ତ ସାଂସଦମାନଙ୍କୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ଅପିଲ କରିଛନ୍ତି। ଏକାମ୍ର କ୍ଷେତ୍ରରେ ପୂର୍ବରୁ ମନ୍ଦିରଗୁଡ଼ିକର ଅବସ୍ଥା କ’ଣ ଥିଲା ଏବଂ ବାଇ-ଲ’ ଦ୍ୱାରା କ’ଣ ସବୁ ପ୍ରତିବନ୍ଧକ ଆସିବ ସେନେଇ ଟିକିନିଖି ତଥ୍ୟ ଜଣାଇଥିଲେ। କିଛି ଫଟୋଚିତ୍ର ମଧ୍ୟ ଉପସ୍ଥାପନ କରାଯାଇଥିଲା। ଦୁଇ କେନ୍ଦ୍ରମନ୍ତ୍ରୀ ଏସବୁ ଶୁଣିଥିଲେ ଓ ବିକାଶ ପ୍ରକ୍ରିୟାରେ ବାଧକ ସୃଷ୍ଟି ହେବା ଉଚିତ୍ ନୁହେଁ ବୋଲି ମତ ଦେଇଥିବା ସାଂସଦ ପିନାକୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ ସହିତ ଆଲୋଚନା କରିବେ ବୋଲି ମଧ୍ୟ କହିଥିଲେ।

ଆଜି ବିଜେଡି ପକ୍ଷରୁ ସଂସଦରେ ଉପସ୍ଥିତ ଥିବା ବିଜେପିର ୩ଜଣ ସାଂସଦଙ୍କୁ ପ୍ରତିନିଧି ମଣ୍ଡଳୀରେ ସାମିଲ ହେବା ପାଇଁ ଅନୁରୋଧ କରାଯାଇଥିଲା। ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜେପି ସାଂସଦଙ୍କୁ ଡକାଯାଇଥିଲେ ମଧ୍ୟ ବିଜେପି ସାଂସଦମାନେ ରୋକ୍‌ଠୋକ୍ ମନା କରିଦେଇଥିବା ସାଂସଦ ଶ୍ରୀ ମିଶ୍ର କହିଛନ୍ତି। ସେ କହିଥିଲେ ଯେ ଏହି ସମର୍ଥନ କେବଳ ଓଡ଼ିଶା ପାଇଁ ମଗାଯାଇଥିଲା। କୌଣସି ଦଳ ପାଇଁ ବା ବ୍ୟକ୍ତିଗତ ଭାବେ କୌଣସି ଦଳର ସୁବିଧା ପାଇଁ ନୁହେଁ। ପିନାକୀ ଆହୁରି ମଧ୍ୟ କହିଥିଲେ, ଯେତେବେଳେ ବିଜେପି ଗଠନମୂଳକ ସହଯୋଗ ଭିତ୍ତିରେ ଆମକୁ ସମର୍ଥନ ମାଗିଛି; ଆମେ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଛୁ। ସେହିଭଳି ସାଂସଦ ଅପରାଜିତା ଓ ଅନୁଭବଙ୍କ ଭିତରେ ଏହାକୁ ନେଇ ଟ୍ବିଟ୍ ଯୁଦ୍ଧ ହୋଇଛି। ଅନୁଭବ ଟ୍ବିଟ୍‌ରେ ଲେଖିଥିଲେ ଯେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡାକିଥିଲେ। କିନ୍ତୁ ସେ ସିଧାସଳଖ ଏଥିପାଇଁ ମନା କରିଦେଇଥିଲେ। ଅଣରାଜନୈତିକ ପ୍ରସଙ୍ଗରେ ବି ରାଜ୍ୟ ବିଜେପି ସହଯୋଗ କରୁନି ବୋଲି କେନ୍ଦ୍ରାପଡା ସାଂସଦ କହିଥିଲେ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍‌ର ପ୍ରତିଜବାବ ଦେଇ କହିଛନ୍ତି ଯେ ବିନା କାରଣରେ କିଛି ବି ହୁଏ ନାହିଁ। ମୁଁ ଉଚିତ୍ ସମୟରେ ଜବାବ ଦେବି,ଏଥିପାଇଁ ଦୟାକରି ଅପେକ୍ଷା କରିବାକୁ କହିଛି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଦିଲ୍ଲୀରେ ନଥିବା ଯୋଗୁଁ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe