ବିନା ଯାତ୍ରୀରେ ଗଡ଼ୁଛି ଏସି ଡିଲକ୍ସ ବସ୍, କ୍ଷତିରେ ବାଙ୍ଗିରିପୋଷି-ଭୁବନେଶ୍ବର ଓଏସ୍‌ଆର୍‌ଟିସି ବସସେବା

ବିନା ଯାତ୍ରୀରେ ଗଡ଼ୁଛି ଏସି ଡିଲକ୍ସ ବସ୍, କ୍ଷତିରେ ବାଙ୍ଗିରିପୋଷି-ଭୁବନେଶ୍ବର ଓଏସ୍‌ଆର୍‌ଟିସି ବସସେବା

ବାଲେଶ୍ବର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆରଟିସି) ପକ୍ଷରୁ ଚଳିତମାସ ୪ ତାରିଖରୁ ମୟୂରଭଞ୍ଜ ଜିଲ୍ଲା ବ‌ାଙ୍ଗିରିପୋଷିରୁ ଭୁବନେଶ୍ବର ପର୍ଯ୍ୟନ୍ତ ଭାୟା ବାଲେଶ୍ବର ଦେଇ ଏକ ନିତିଦିନିଆ ରାତ୍ରିକାଳୀନ ବସ୍‌ସେବା ଆରମ୍ଭ ହୋଇଛି। ହେଲେ ପ୍ରଚାରପ୍ରସାର ଅଭାବରୁ ଅଧିକାଂଶ ସମୟ ବିନା ଯାତ୍ରୀରେ ଏହି ବସ୍‌ଟି ଯାତାୟାତ କରୁଥିବା ଦେଖାଯାଇଛି। ଫଳରେ ଏହି ବସ୍‌ଦ୍ବାରା ନା ଜନସାଧାରଣ ଉପକୃତ ହୋଇପାରୁଛନ୍ତି ନା ସରକାରୀ ଖର୍ଚ୍ଚରେ ଚାଲୁଥିବା ଏହି ବସ୍‌କୁ ଉପଯୁକ୍ତ ଲାଭ ମିଳିପାରୁଛି।

ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ବାଙ୍ଗିରିପୋଷିରୁ ଭୁବ‌େନଶ୍ବରକୁ ପ୍ରତିଦିନ ଗଡ଼ୁଥିବା ଏହି ରାତ୍ରିକାଳୀନ ଏସି ଡିଲକ୍ସ ବସ୍‌ର ସିଟ୍‌ ସଂଖ୍ୟା ରହିଛି ୪୦। ବାଙ୍ଗିରିପୋଷିରୁ ରାତି ୯ଟା ୩୦ରେ ଛାଡ଼ୁଥିବା ବେଳେ ବାରିପଦା ୧୦ଟା ୨୭, ବେତନଟୀରେ ୧୧ଟା ୨୧, ବାଲେଶ୍ବରରେ ୧୨ଟା ୧୯ ମିନିଟ୍‌ ଆଦି ରହଣି ସମୟ ହୋଇଥିବା ବେଳେ ଏମିତି ଭଦ୍ରକ, ପାଣିକୋଇଲି, ଚଣ୍ଡିଖୋଲ, କଟକ ଦେଇ ସକାଳ ୬ଟା ୧୬ରେ ଭୁବନେଶ୍ବରରେ ଏହି ବସ୍‌ ପହଞ୍ଚୁଛି। ସେହିପରି ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଓଏସ୍‌ଆରଟିସିର ଆଉ ଏକ ୪୦ ସିଟ୍‌ ବିଶିଷ୍ଟ ବସ୍‌ ମଧ୍ୟ ପ୍ରତିଦିନ ରାତ୍ରି ସମୟରେ ବାଙ୍ଗିରିପୋଷିକୁ ଆସୁଛି। ‌ଉକ୍ତ ବସ୍‌ ସେଠାରୁ ରାତି ୯ଟା ୫ରେ ଛାଡ଼ି ସେହି ସମାନ ରହଣି ସ୍ଥାନ ଦେଇ ରାତି ୨ଟା ୫୧ ମିନିଟ୍‌ରେ ବାଲେଶ୍ବରରେ ପହଞ୍ଚୁଛି ଏବଂ ଭୋର୍‌ ୫ଟା ୫୫ ମିନିଟ୍‌ରେ ବାଙ୍ଗିରିପୋଷିରେ ପହଞ୍ଚୁଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ  କଥା ହେଉଛି ଏହି ଦୁଇଟିଯାକ ବସ୍‌ ଯାତ୍ରୀଙ୍କ ସୁବିଧା ଲାଗି ବିଳାସପୂର୍ଣ୍ଣ ହୋଇଛି। ସରକାରଙ୍କ ଦ୍ବାରା ଧାର୍ଯ୍ୟ ବସ୍‌ଭଡ଼ା ନିଆଯାଉଛି। ହେଲେ ଏଯାଏ ସରକାର କିମ୍ବା ଓଏସ୍‌ଆରଟିସି ପକ୍ଷରୁ ଏହି ବସ୍‌ସେବା ଆରମ୍ଭ ହେବା ନେଇ ସୂଚନା କିମ୍ବା ପ୍ରଚାରପ୍ରସାର ଠିକ୍‌ଭାବେ କରା ଯାଇନଥିବାରୁ ଜନସାଧାରଣ ଏହାର ଉପକାର ପାଇ ପାରୁନାହାନ୍ତି। ଦୁଇଟି ବସ୍‌ରେ ମାତ୍ର ୫ରୁ ୧୦ଟି ଲେଖାଏ ସିଟ୍‌ ପୂରଣ ହେଉଛି। ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଟିକେଟ୍‌ ବୁକିଂ ସୁବିଧା ରହିଥିଲେ ବି ଅଧିକାଂଶ ଲୋକ ଏହାର ସୁବିଧା ପାଇ ପାରୁନାହାନ୍ତି। ତାଛଡ଼ା ଘରୋଇ ବସ୍‌ସେବାକୁ ପ୍ରୋତ୍ସାହନ ଦେବା ଲାଗି ଏହି ବସ୍‌ର ସମୟସାରଣୀକୁ ବିଳମ୍ବିତ ରାତିକୁ ନିର୍ଦ୍ଧାରିତ କରାଯାଇଛି। ଯେଉଁଥିପାଇଁ ଏଥିରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉନାହାନ୍ତି ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି।

ସେପଟେ ଓଏସ୍ଆରଟିସି ବସ୍‌ର ଜଣେ କର୍ମଚାରୀଙ୍କ କହିବା ଅନୁସାରେ, ବାଙ୍ଗିରିପୋଷିରୁ ଭୁବନେଶ୍ବର ୩୧୭ କିଲୋମିଟର ହୋଇଥିବା ବେଳେ ସେଠାରୁ ପ୍ରତିଦିନ ଗୋଟିଏ ବସ୍‌ ଭୁବନେଶ୍ବରକୁ ଏବଂ ଭୁବନେଶ୍ବରରୁ ଗୋଟିଏ ବସ୍‌ ବାଙ୍ଗିରିପୋଷିକୁ ଗଡ଼ିବା ବାବଦରେ ପାଖାପାଖି ୧୬/୧୭ ହଜାରରୁ ଅଧିକ ଟଙ୍କାର ତେଲ ଖର୍ଚ୍ଚ ହେଉଛି। କିନ୍ତୁ ଦୁଇଟିଯାକ ବସ୍‌ରେ ୫/୧୦ ଜଣରୁ ଅଧିକ ଯାତ୍ରୀ ଆସୁନାହାନ୍ତି। ଗୋଟିଏ ଗୋଟିଏ ଦିନ ବସ୍‌ ବିନା ଯାତ୍ରୀରେ ମଧ୍ୟ ଗଡ଼ିଥିବା ଦେଖାଯାଇଛି। ‌ଯଦି ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବେ ତାହେଲେ ବସ୍‌ ସିଟ୍‌ ପୂରଣ ହୋଇପାରିବ ଏବଂ ପ୍ରତିଦିନ ୭/୮ ହଜାର ଟଙ୍କା ଲାଭ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe