ଏସ୍‌ଟିଏଫ୍‌ ପଞ୍ଝାରେ ପୁଣି ୨ ବାଘଛା‌ଲ ବେପାରୀ

ଏସ୍‌ଟିଏଫ୍‌ ପଞ୍ଝାରେ ପୁଣି ୨ ବାଘଛା‌ଲ ବେପାରୀ

୪ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା କରିଥିଲେ
ନୟାଗଡ଼ରୁ ବିଦେଶକୁ ଲମ୍ବିଛି ଚେର
୧୦ ମାସରେ ଧରା ହେଲେଣି ୫ ବେପାରୀ

ନୟାଗଡ଼ : ପୁଣି ଏସଟିଏଫ୍ ପଞ୍ଝାରେ ବାଘଛାଲ ବେପାରୀ। ଗତକାଲି ‌‌ଖୋର୍ଦ୍ଧାର ବୋଲଗଡ଼ ଅଞ୍ଚଳରୁ ସୁଧୀର ବେହେରା ଓ ସୁବାସ ଚନ୍ଦ୍ର ବେହେରା ନାମକ ୨ ଜଣ ବାଘଛାଲ ବେପାରୀଙ୍କୁ କ୍ରାଇମ୍‌ ବ୍ରାଞ୍ଚର ଏସ୍‌ଟିଏଫ୍‌ ଗିରଫ କରିଛି। ଉଭୟଙ୍କଠାରୁ କଲରାପତରିଆ ଚମଡ଼ା, ମୋବାଇଲ ଫୋନ୍ ଜବତ କରାଯାଇଛି। ଗତକାଲି ରାତିରେ ବୋଲଗଡ଼ ଛକଠାରୁ ଅଳ୍ପ ଦୂରରେ ବାଘ ଛାଲ ବିକ୍ରି ପାଇଁ ଛିଡ଼ା ହୋଇଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା ବୋଲି ଏସଟିଏଫ୍ ଏସପି ପ୍ରଶାନ୍ତ କୁମାର ଭୋଇ ସୂଚନା ଦେଇଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୪ ଲକ୍ଷ ଟଙ୍କାରେ ଏହି ବାଘ ଛାଲକୁ ବିକ୍ରି ପାଇଁ ଡିଲ୍ ହୋଇଥିଲା। ଜଣେ ଅନ୍ତଃରାଜ୍ୟ ଏଜେଣ୍ଟକୁ ବିକ୍ରି କରିବା ପାଇଁ ଏମାନେ ଅପେକ୍ଷା କରିଥିଲେ। ଡିଲ୍ ସମ୍ପର୍କରେ ଏସଟିଏଫ୍ ଖବର ପାଇ ଦୁଇ ଜଣଙ୍କୁ ଧରିଥିଲା। କିନ୍ତୁ କାହାକୁ ବିକ୍ରି କରିବା ପାଇଁ ଅପେକ୍ଷା କରିଥିଲେ ସେ ସମ୍ପର୍କରେ ଏସଟିଏଫ୍ ଟେର୍ ପାଇ ପାରିନାହିଁ। ବୋଲଗଡ଼ ଅଞ୍ଚଳରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ଘର ନୟାଗଡ଼ରେ। କଲରାପତରିଆକୁ ନୟାଗଡ଼ର କୌଣସି ଜଙ୍ଗଲରେ ଶିକାର କରା ଯାଇଥିବା ସନ୍ଦେହ କରୁଛି ଏସଟିଏଫ୍। ବଜ୍ରକାପ୍ତାଠୁ ବାଘ ଛାଲ କାରବାର ଯାଏ ରାକେଟ୍‌ ନୟାଗଡ଼ରେ ସକ୍ରିୟ ଅଛନ୍ତି। ଏହି କାରବାରର ଚେର ନୟାଗଡ଼ରୁ ବିଦେଶ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ସ୍ଥାନୀୟ ପୁଲିସ କିମ୍ବା ବନ ବିଭାଗ ଟେର୍‌ ପାଇ ପାରୁନାହାନ୍ତି।

ଗତ ବର୍ଷ ଜୁନ୍‌ ମାସରେ ବାଘଛାଲ କାରବାର ଅଭିଯୋଗରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତର ସମିତି ସଭ୍ୟ ତଥା ଜାମୁଗଣ୍ଡ ଗ୍ରାମ ବାସିନ୍ଦା ଲକ୍ଷ୍ମୀଧର ନାୟକକୁ ଗିରଫ କରାଯାଇଥିଲା। ଲକ୍ଷ୍ମୀଧର ବାଘକୁ ହତ୍ୟା କରି ଛାଲ ଉତାରିବା ସମୟର ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ସେହି ମାସ ୮ ତାରିଖରେ ଦଶପଲ୍ଲା ବ‌ନାଞ୍ଚଳ ଅଧୀନ ଗିରିପୂଜା ଜଙ୍ଗଲରୁ ସାକେଣୀ ଗ୍ରାମର ପ୍ରତାପ କୁମାର ନା‌ୟକ ଓ ଦେଢ଼ଶର ଗ୍ରା‌ମର କିଶୋର ଚନ୍ଦ୍ର ଦେହୁରୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ‌ସେମାନଙ୍କ ନିକଟରୁ ବାଘ ଓ ହରିଣ ଛାଲ ଜବତ କରାଯାଇଥିଲା। ଏବେ ପୁଣି ୨ ଜଣଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ମାତ୍ର ୧୦ ମାସ ମଧ୍ୟରେ ୫ ଜଣ ବେପାରୀ ଗିରଫ ହେବା ନୟାଗଡ଼ରେ ବନ୍ୟଜନ୍ତୁ ଶିକାର ମାଫିଆଙ୍କ ପ୍ରାଦୁର୍ଭାବ ରହିଥିବା ଜଣାପଡ଼ୁଛି। ୨୦୧୮ ଜୁନ୍‌ ୬ ତାରିଖରେ ଦଶପଲ୍ଲାର ଟାକେରା ଚେକ୍‌ଗେଟ୍‌ରୁ ବଜ୍ରକାପ୍ତା ବେପାରୀ ଶ୍ୟାମସୁଦ୍ଦିନ ଖାଁ ଧରାପଡ଼ିଥିଲା।

ସେହିଭଳି ଗତ ଜାନୁଆରି ୨୨ରେ ମଧ୍ୟ ଏସ୍‌ଟିଏଫ୍‌ ବଜ୍ରକାପ୍ତା କାରବାର ନେଇ ନୟାଗଡ଼ ଇଟାମାଟି ଅଞ୍ଚଳରୁ ଶିବରାମ ରଣଜିତକୁ ଗିରଫ କରିଥିଲେ। ଏସବୁ ମାମଲା ଉପରେ ନଜର ପକାଇଲେ ନୟାଗଡ଼ ଜିଲ୍ଲାରେ ବିରଳ ବନ୍ୟଜନ୍ତୁ ଶିକାର ତଥା କାରବାର ଅବାଧରେ ଚାଲିଥିବା ସନ୍ଦେହ ସୃଷ୍ଟି କରିଛି। ଏଭଳି ସ୍ଥିତି‌ରେ ନୟାଗଡ଼ ବନ ବିଭାଗ (ବନ୍ୟଖଣ୍ଡ ଓ ବନ୍ୟପ୍ରା‌ଣୀ) ଦୁର୍ବୃତ୍ତଙ୍କ ଟେର୍ ନ ପାଇବା ବିଭାଗର ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe