ପିଣ୍ଡାରେ ଚାଲିଯିବାରୁ ନାବାଳକକୁ ପିଟିଲେ ମହିଳା

ପିଣ୍ଡାରେ ଚାଲିଯିବାରୁ ନାବାଳକକୁ ପିଟିଲେ ମହିଳା

ଯାଜପୁର ସଦର: ଯାଜପୁର ଟାଉନ ଥାନା ରାମବାଗ ବିଟ୍ ହାଉସ୍ ନିକଟ ସିନ୍ଦୁରାଇମୁହଁ ମାଝିସାହି ନିକଟରେ ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଛି। କିଛି ସମୟ ପାଇଁ ରାସ୍ତାରୋକ ମଧ୍ୟ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ମାଝିସାହି ନିକଟରେ ଏକ ମାର୍କେଟ କମ୍ପ୍ଲେକ୍ସରେ ଏକ ପୂଜା ସାମଗ୍ରୀ ଦୋକାନ ପାର୍ଶ୍ବକୁ ଜନସେବା କେନ୍ଦ୍ର ରହିଛି। ରବିବାର ସକାଳୁ ପୂଜା ସାମଗ୍ରୀ ଦୋକାନ ଖୋଲା ଥିଲା। ସେହି ପିଣ୍ଡା ଉପର ଦେଇ ଜନୈକ ବାଳକ ଜନସେବା କେନ୍ଦ୍ରକୁ ଯାଉଥିଲେ।

ଏହି ସମୟରେ ପୂଜା ସାମଗ୍ରୀ ଦୋକାନରେ ଥିବା ମହିଳା ତାଙ୍କୁ ଗାଳିଗୁଲଜ କରି ମାଡ଼ ମାରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାମବାଗ ବିଟ୍ ହାଉସ୍ ଅଧିକାରୀ ସଂପୃକ୍ତ ମହିଳାଙ୍କୁ ବିଟ୍ ହାଉସ୍‌କୁ ନେଇଯାଇଥିଲେ। ଏହାର ପ୍ରତିବାଦ କରି ସ୍ଥାନୀୟ ଅଞ୍ଚଳର କିଛି ମହିଳା ରାସ୍ତାରୋକ କରିଥିଲେ।

ଯାଜପୁର ଥାନାଧିକାରୀ ଅଜୟ କୁମାର ଜେନାଙ୍କ ନିର୍ଦେଶକ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ରାସ୍ତାରୋକରୁ ଲୋକଙ୍କୁ ନିବୃତ୍ତ କରିଥିଲେ। ସଂପୃକ୍ତ ମହିଳାଙ୍କୁ ଯାଜପୁର ଥାନାକୁ ନେଇଯାଇଥିଲେ। ଉଭୟ ପକ୍ଷ ଥାନାରେ ହାଜର ହୋଇ ଘଟଣାର ଆପୋସ ସମାଧାନ କରିବା ପାଇଁ ସ୍ଥାନୀୟ ଭଦ୍ରବ୍ୟକ୍ତି ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ସୋମବାର ଏହାର ସମାଧାନ କରାଯିବ ବୋଲି ଭଦ୍ରଲୋକଙ୍କ ଉପସ୍ଥିତିରେ ଲିଖିତପତ୍ର ଥାନାରେ ଦିଆଯାଇଥିଲା। ଅନ୍ୟପଟେ ସଂପୃକ୍ତ ମହିଳା ସର୍ବଦା ସମସ୍ତଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଥିଲା। ସଂପୃକ୍ତ ମହିଳାଙ୍କ କହିବାନୁଯାୟୀ ପୂଜା ସାମଗ୍ରୀ ଦୋକାନ ପିଣ୍ଡା ସକାଳୁ ଧୁଆ ଯାଇଥିଲା। ବାଳକ ଜଣକ ପିଣ୍ଡା ଦେଇ ଯିବାରୁ ସେଥିରେ କାଦୁଅ ଲାଗିଥିଲା। ସେଥିପାଇଁ ସେ ବାରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe