India Today
ଝାରସୁଗୁଡ଼ା : ଲଖନପୁର ବ୍ଲକ ଗ୍ରୀଣ୍ଡୋଲାର ଜଣେ ବୃଦ୍ଧା ନିଆଁରେ ପୋଡି ପ୍ରାଣ ହରାଇଛନ୍ତି। ମୃତ ବୃଦ୍ଧା ଜଣକ ଗ୍ରୀଣ୍ଡୋଲା ଗ୍ରାମର ବିଶାଖା ଭୋଇ(୫୭) ବୋଲି ଜଣା ପଡିଛି। ଖବର ପାଇ ଲଖନପୁର ଥାନା ପୁଲିସ ଘଟଣା ସ୍ଥଳକୁ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ, ଗ୍ରୀଣ୍ଡୋଲା ଗ୍ରାମର ବିଶାଖା ଓ ତାଙ୍କ ସ୍ୱାମୀ କଲୋନୀପଡାସ୍ଥିତ ରାଧୁ ବଗିଚାରେ ଜଗୁଆଳୀ ଭାବରେ କାମ କରିବା ସହ ସେଠାରେ ରହୁଥିଲେ। ବଗିଚାରେ ଥିବା ଗୋଟିଏ କଠୋରୀରେ ବିଶାଖା ରହୁଥିବାବେଳେ ଅନ୍ୟଟିରେ ତାଙ୍କ ସ୍ୱାମୀ ରହୁଥିଲେ। ସେମାନେ ମଙ୍ଗଳବାର ରାତିରେ ନିଜ ନିଜ କୋଠରୀରେ ଶୋଇଥିବା ସମୟରେ ଉମେହି ନିଆଁରେ (ଶୀତରୁ ରକ୍ଷା ପାଇଁ ବ୍ୟବହାର କରାଯାଉଥିବା ନିଆଁ) ଲାଗି ବିଶାଖା ପୋଡି ଯାଇଥିଲେ। ରାତିରେ ଏନେଇ ତାଙ୍କ ସ୍ୱାମୀ କିଛି ଜାଣି ପାରି ନଥିଲେ ହେଁ ସକାଳୁ ସେ ଶୋଇଥିବା କୋଠରୀ ପାଖକୁ ଆସି ବିଶାଖାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ପଡିଥିବା ଦେଖିବାକୁ ପାଇଲେ। ସେ ଏ ବିଷୟରେ ତୁରନ୍ତ ତାଙ୍କ ପୁଅକୁ ଜଣାଇଥିଲେ। ପରେ ତାଙ୍କ ପୁଅ ଲଖନପୁର ପୁଲିସକୁ ଘଟଣା ବିଷୟରେ ଖବର ଦେଇଥିଲେ।
Follow Us