image source--East ldho news
ସମ୍ବଲପୁର: ସାରା ପଶ୍ଚିମ ଓଡ଼ିଶା ନୂଆଁଖାଇରେ ମସଗୁଲ ଥିଲାବେଳେ ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ କିନାଲୋଈ ଗାଁ’ରେ ଏକ ଦୁଃଖଦ ଘଟଣା ଘଟିଛି। ପରିବାର ସହ ନୂଆଁ ଖାଇ ସାରିବା ପରେ ଉକ୍ତ ଗାଁ’ର ଟିକେଶ୍ୱରୀ ଭୋଇ (୪୦) ନାମକ ମହିଳା ନିଜ ୬ ବର୍ଷର ଝିଅ ଖୁସିକୁ ଧରି କୂଅକୁ ଡେଇଁ ପଡ଼ିଛନ୍ତି। କୂଅରେ ବହୁତ ପାଣି ଥିବାରୁ ଉଭୟ ମାଁ’ଝିଅ ପ୍ରାଣ ହରାଇଛନ୍ତି।
ସୂଚନା ଅନୁଯାୟୀ ଟିକେଶ୍ୱରୀ ନିଜ ସ୍ୱାମୀ ଜୟରାମ ତଥା ଆଠ ଓ ଛଅ ବର୍ଷର ଦୁଇ ଝିଅଙ୍କ ସହିତ ରବିବାର ଏକାଠି ନୂଆ ଖାଇଥିଲେ। ଏହାର କିଛି ସମୟ ପରେ ଦିନ ପ୍ରାୟ ୨ଟା ବେଳ ଅଚାନକ ସାନ ଝିଅକୁ ସାଥୀରେ ନେଇ ଘର ନିକଟରେ ଥିବା କୂଅକୁ ଡେଇଁ ପଡ଼ିଥିଲେ। କିଛି ଦୂରେ ଥିବା ଜଣେ ଲୋକ ଆସି ଦେଖିବା ବେଳକୁ ଉଭୟେ ପାଣି ଭିତରେ ବୁଡ଼ି ଯାଇଥିଲେ।
ତେବେ ଗ୍ରାମବାସୀ କୁଚିଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେଲା ପରେ ଦମକଳ ବାହିନୀ ପହଂଚି ଉଭୟ ମୃତ ଦେହକୁ ଉଦ୍ଧାର କରିଥିଲେ। ଲଇଡା ଫାଣ୍ଡି ଅଧିକାରୀ ରବି ନାରାୟଣ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ତେବେ ବୁର୍ଲା ପଠାଇବାକୁ ଗାଡ଼ି ନ ମିଳିବାରୁ ରାତିରେ ବି କୂଅ ନିକଟରେ ଶବ ଦ୍ଵୟ ପଡ଼ି ରହିଥିବା ଜଣା ପଡ଼ିଛି। ସୋମବାର ବୁର୍ଲା ପଠାଇ ଶବ ବ୍ୟବଚ୍ଛେଦ କରାଯିବ। ସ୍ୱାମୀ ଜୟରାମ ଓ ପୁଲିସ୍ କହିବା ଅନୁସାରେ ଟିକେଶ୍ୱରୀଙ୍କର ମାନସିକ ବିକୃତି ଥିଲା। ତେବେ ଅଧିକ ଅନୁସଂଧାନ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୁଲିସ କହିଛି।
Follow Us