ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନାରୁ ମାତ୍ର ୫୦୦ମି ଦୂରସ୍ଥ ହାଟପଦା ପଡ଼ାରେ ଏକ ଦୁଃଖଦ ଘଟଣା ଘଟିଛି l ଭଡ଼ାଘରର ଶୌଚାଳୟ ଭିତରେ ବେକରେ ଧୋତି ଲଗାଇ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି l ମୃତକ ହେଲେ ରେଳ ବିଭାଗ ଗ୍ରୁପ ଡି କର୍ମଚାରୀ ବାଳକୃଷ୍ଣ କୁମ୍ଭାର(୩୫)ଙ୍କ ଧର୍ମପତ୍ନୀ ଭାଗ୍ୟଶ୍ରୀ କୁମ୍ଭାର( ୩୦) l
ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ମୁଡାପଲା ଗ୍ରାମର ମୂଳନିବାସୀ ବାଳକୃଷ୍ଣ ନିଜ ମାମୁଙ୍କ ଝିଅ ଭାଗ୍ୟଶ୍ରୀଙ୍କୁ ୨୦୦୯ ମସିହାରେ ବିବାହ କରିଥିବା ବେଳେ ୨୦୧୬ ମସିହାରୁ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ରୋହିତ ଓ ପ୍ରତୀକଙ୍କୁ ନେଇ ମୁରିବାହାଲସ୍ଥିତ ସବିତା ଜଗଦଲାଙ୍କ ଘରେ ଭଡ଼ା ରହି ଆସୁଥିଲେ l ବାଳକୃଷ୍ଣ ରେଳ ବିଭାଗ ଗ୍ରୁପ ଡି ରେ କାମ କରୁଥିବାରୁ ସେ ସକାଳୁ କାମରେ ଚାଲି ଯିବାପରେ ତାଙ୍କ ସ୍ତ୍ରୀ ଘରେ ଥିବା ଶୌଚାଳୟ ଭିତରେ ବେକରେ ଧୋତି ଲଗାଇ ଆତ୍ମହତ୍ୟା କରିଥିଲେl ଦୀର୍ଘ ସମୟ ଧରି ମା’ ଶୌଚାଳୟରୁ ନ ବାହାରିବାରୁ ବଡ଼ପୁଅ ମା’ଙ୍କୁ ଡାକିବାକୁ ଶୌଚାଳୟକୁ ଯିବା ବେଳେ ମା’ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇ କାନ୍ଦି କାନ୍ଦି ଅନ୍ୟ ଭଡ଼ାଟିଆଙ୍କୁ କହିବାରୁ ସେମାନେ ବାଳକୃଷ୍ଣଙ୍କୁ ଖବର ଦେଇଥିଲେ।ବାଳକୃଷ୍ଣ ଓ ମୃତ ମହିଳାଙ୍କ ପରିବାରଲୋକଙ୍କ ଉପସ୍ଥିତିରେ ମୃତ ଦେହ ଉଦ୍ଧାର ହେଲାପରେ ମହିଳାଙ୍କ ବାମ ପାପୁଲିରେ ‘ମୁଁ ସ୍ୱଇଚ୍ଛାରେ ମରୁଛି ଏବଂ ଏଥିରେ କାହାରି ଭୁଲ ନାହିଁ’ ବୋଲି ଲେଖାଥିବା ଦେଖିବାକୁ ମିଳିଥିଲା l
The Hans Indiaମହିଳାଙ୍କ ଆଣ୍ଠୁ ଠାରୁ ତଳକୁ ଚଟାଣରେ ଘୁଷୁରୁ ଥିବା ଦେଖିବାକୁ ମିଳିଥିଲା। ମୁରିବାହାଲ ଥାନା ଆଇଆଇସି ତାରା ଜସ୍ମିନ ଗୁରିଆ , ଏସଆଇ ସରୋଜ ରଞ୍ଜନ ରଥ,ଏସଆଇ ସଂଯୁକ୍ତା ପଧାନଙ୍କ ସହ ପୁଲିସଟିମ ଘଟଣା ସ୍ଥଳରେ ପହଞ୍ଚ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଥିଲେ ।
ଏ ସମ୍ପର୍କରେ ମୁରିବାହାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅଧିକ ତଦନ୍ତ କଲେ ଜଣା ପଡି଼ବ ବୋଲି ଆଇଆଇସି ଗୁରିଆ ପ୍ରକାଶ କରିଛନ୍ତି l ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ଥିବା ଓ ନିଜ ଦୁଇ ସନ୍ତାନର ମୁହଁକୁ ନ ଚାହିଁ ମହିଳା ଆତ୍ମହତ୍ୟା କରିଥିବାରୁ ଏଯାଏଁ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ l
Follow Us