Image Courtesy of Time of India
କଣ୍ଟାମାଳ: ବିବାହିତା ସ୍ତ୍ରୀକୁ ଛାଡ଼ି ସ୍ୱାମୀର ଅନ୍ୟତ୍ର ବିବାହକୁ ନେଇ ପ୍ରଥମ ସ୍ତ୍ରୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ମନମୁଣ୍ଡା ଥାନା ରକ୍ସା ପଞ୍ଚାୟତ ମହେଶ୍ବରପିଣ୍ଡା ଗ୍ରାମର ପାଞ୍ଚାଳିନୀ ସେନାପତି (୨୩) ଶଗଡ଼ା ଗ୍ରାମର ଚିଣ୍ଟୁ ସେନାପତିଙ୍କୁ ଭଲ ପାଇ ବିବାହ କରିଥିଲେ। ବିବାହର କିଛି ଦିନ ପରେ ତାଙ୍କୁ ଯୌତୁକ ପାଇଁ ସ୍ବାମୀ, ଶାଶୂ ଓ ଶ୍ବଶୁର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ପାଞ୍ଚାଳିନୀଙ୍କୁ ଘରୁ ବାହାର କରି ଦେଇଥିବା ସେ ଅଭିଯୋଗ କରିଛନ୍ତି।
ଏ ନେଇ ପାଞ୍ଚାଳିନୀ ଗତ ୨୦୨୧ ମସିହା ମେ ୨୦ ତାରିଖରେ ମନମୁଣ୍ଡା ଥାନାରେ ଏକ ଅଭିଯୋଗ କରିଥିବା ବେଳେ ଏନେଇ ଥାନାରେ କେସ୍ ନଂ ୬୩/୨୧ରେ ଏକ ମାମଲା ରୁଜୁ କରାଯାଇଥିଲା। ୟା ପରେ ଚିଣ୍ଟୁ ପର୍ଯ୍ୟାୟକ୍ରମେ ୨ ଜଣ ଯୁବତୀଙ୍କୁ ବିବାହ କରିବାକୁ କହି ଆଣି କିଛିଦିନ ପରେ ଛାଡ଼ି ଦେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ବୁଧବାର ଚିଣ୍ଟୁ ପୁଣି ଫୁଲବାଣୀ ଜିଲ୍ଲା ଚକାପାଦ ଗ୍ରାମରୁ ଜଣେ ଯୁବତୀଙ୍କୁ ଆଣିବାର ଖବର ପାଇ ପାଞ୍ଚାଳିନୀ ଶଗଡ଼ାସ୍ଥିତ ତାଙ୍କ ସ୍ବାମୀଙ୍କ ଘରକୁ ଯାଇ ଏହାର ବିରୋଧ କରିଥିଲେ। ନବବଧୂଙ୍କୁ ଛାଡ଼ିବା ପାଇଁ ଆସିଥିବା ଲୋକଙ୍କ ସହ କଥା ହେଉଥିବା ସମୟରେ ଶ୍ବଶୁର ବାବୁ ସେନାପତି ଆସି ଗାଳିଗୁଲଜ କରିଥିବା ବେଳେ ସ୍ବାମୀ ଚିଣ୍ଟୁ ଓ ଶାଶୂ ମାମି ତାଙ୍କୁ ଗଳାଧକ୍କା ଦେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପାଞ୍ଚାଳିନୀ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ତଦନ୍ତ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।
Follow Us