ଘର ନଭାଙ୍ଗିବାକୁ ତହସିଲଦାର, ପୁଲିସଙ୍କୁ ଗୁହାରି କଲେ ମହିଳା, ଅଧିକାରୀ ଶୁଣିଲେନି ବୋଲି ବିଷପିଇ‌ ଦେଲେ

ଘର ନଭାଙ୍ଗିବାକୁ ତହସିଲଦାର, ପୁଲିସଙ୍କୁ ଗୁହାରି କଲେ ମହିଳା, ଅଧିକାରୀ ଶୁଣିଲେନି ବୋଲି ବିଷପିଇ‌ ଦେଲେ

ଖୋର୍ଦ୍ଧା: ଜବରଦଖଲ ଉ‌ଚ୍ଛେଦ ପାଇଁ ଯାଇଥିବା ତହସିଲଦାର ଓ ପୁଲିସବାବୁଙ୍କୁ ଜଣେ ମହିଳା ଗୁହାରି କରିଛନ୍ତି। କିନ୍ତୁ ଅଧିକାରୀମାନେ ମହିଳାଙ୍କ ଗୁହାରି ଶୁଣି ନାହାନ୍ତି। ଫଳରେ ମହିଳା ଜଣକ ବିଷପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅଧୀନ ଦେଉଳି ପଞ୍ଚାୟତର କୋଚିଲାଖାଲ ଗାଁରେ ଆଜି ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଗୁରୁତର ମହିଳା ‌ହେଲେ ମିତା ପାଟ୍ଟଶାଣୀ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବେଗୁନିଆ ତହସିଲ ଅଧୀନ ଦେଉଳି ପଞ୍ଚାୟତର କୋଚିଆଖାଲ ଗାଁରେ କୃଷ୍ଣଚନ୍ଦ୍ର ପାଟ୍ଟଶାଣୀ ବସବାସ କରନ୍ତି। ନିଜ ଘରପାର୍ଶ୍ବକୁ ଲାଗି ସରକାରୀ ଜମି ରହିଛି। ଏଥିରେ ସେ ଦୁଇ ବଖରା ଘର କରିଥିଲେ ଓ ସପରିବାର ରହୁଥିଲେ। କୃଷ୍ଣଚନ୍ଦ୍ରଙ୍କ  କହିବା ଅନୁସାରେ ଦୁଇ ମାସ ପୂର୍ବରୁ ତହସିଲଦାର ଆସି ଏକ ବଖରା ଘର ଭାଙ୍ଗି ଦେଇଥିଲେ। ପୁଲିସ ଉପସ୍ଥିତିରେ ତହସିଲଦାର ବଞ୍ଚିଥିବା ଅନ୍ୟ ଏକ ଦୋକାନ ଘର ଆଜି ପୁଣି ଜେସିବି ଲଗାଇ ଭାଙ୍ଗିବାକୁ ଯାଉଥିଲେ। ବହୁ ଅନୁରୋଧ କଲା ପରେ ମଧ୍ୟ ସେ ଶୁଣି ନଥିଲେ। ତେଣୁ ତାଙ୍କ ସ୍ତ୍ରୀ ମିତା ପାଟ୍ଟଶାଣୀ ବାଇଗଣ ଚାଷ ପାଇଁ ରଖାଯାଇଥିବା କୀଟନାଶକ ପିଇଦେଇଥିଲେ।

କୀଟନାଶକ ପିଇ ମିତା ଛଟପଟ ହେଉଥିବା ବେଳେ ପୁଲିସ ଓ ତହସିଲଦାର ମାନବିକତା ଦେଖାଇଥିଲେ। ମହିଳାଙ୍କୁ ତୁରନ୍ତ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରିଦେଇଛନ୍ତି।

ଅନ୍ୟପଟରେ ତହିସିଲଦାର ତାପସ ବିଶିଙ୍କ କହିବା ଅନୁସାରେ କୃଷ୍ଣଚନ୍ଦ୍ର ଏକ‌ ଗୋଚର ଜମିରେ ଘର କରିଥିଲେ। ଏହାକୁ ବିରୋଧ କରି ତାଙ୍କର ପଡୋଶୀ ହାଇକୋର୍ଟକୁ ଯାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜବରଦଖଲ ଉଚ୍ଛେଦ କରାଯାଉଥିଲା। ଏହି ସମୟରେ ଏଭଳ ଏକ ଅଘଟଣ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe