ଭୁଲ୍‌ ଟ୍ରେନ୍‌ରେ ଚଢ଼ିଲେ ମହିଳା ଯାତ୍ରୀ: ବ୍ୟସ୍ତ ‌ହୋଇ ଡେଇଁପଡ଼ିବାରୁ ୨ଶିଶୁକନ୍ୟାଙ୍କ ଆଗରେ ମୃତ୍ୟୁ

Advertisment
ଭୁଲ୍‌ ଟ୍ରେନ୍‌ରେ ଚଢ଼ିଲେ ମହିଳା ଯାତ୍ରୀ: ବ୍ୟସ୍ତ ‌ହୋଇ ଡେଇଁପଡ଼ିବାରୁ ୨ଶିଶୁକନ୍ୟାଙ୍କ ଆଗରେ ମୃତ୍ୟୁ

ଦେଓଗାଁ: ଦୁଇ ଓ ତିନି ବର୍ଷର ଶିଶୁକନ୍ୟା ଆଗରେ ମା’ଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ରେଳଷ୍ଟେସନରେ ଶୁକ୍ରବାର ଦିନ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ଏକ ପାସେଞ୍ଜର ଟ୍ରେନ୍‌ରେ ଘରକୁ ଯିବା ବଦଳରେ  ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ତାଙ୍କର ଗନ୍ତବ୍ୟସ୍ଥଳରେ ଏକ୍ସପ୍ରେସ୍‌ ଟ୍ରେନ୍‌ ନଅଟକିବାରୁ ବ୍ୟସ୍ତ ହୋଇ ପଡ଼ିଥିଲେ। ସେ ଚଳନ୍ତା ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଡେଇଁପଡ଼ିଥିଲେ। ମୃତ ମହିଳା ଜଣକ ହେଲେ ରଜନୀ ମହାନନ୍ଦ (୪୦)।

ସୂଚନା ଅନୁସାରେ ଦେଓଗାଁ ଥାନାର ଜରାସିଂହା ଗାଁର ରଜନୀ ମହାନନ୍ଦ‌ ମେଡିକାଲ କାମ‌ରେ ବଲାଙ୍ଗୀର ଯାଇଥିଲେ। ଆଜି ରାଜ୍ୟବ୍ୟାପି ଘରୋଇ ବସ୍‌ ଧର୍ମଘଟ ଥିବାରୁ ସେ  ଘରକୁ ଫେରିବା ପାଇଁ ବଲାଙ୍ଗୀର ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସାଙ୍ଗରେ ତାଙ୍କର ଦୁଇ ଓ ୩ ବର୍ଷର ଝିଅ ଥିଲେ। ହେଲେ ଟିଟିଲାଗଡ଼ ପଟକୁ ଆସିବାକୁ ଥିବା ବିଲାସପୁର-ଟିଟିଲାଗଡ଼-ରାୟପୁର ପାସେଞ୍ଜର ଟ୍ରେନ୍‌ରେ ଚଢ଼ିବା ବଦଳରେ ସେ ଦୀନଦୟାଲ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଭୁଲବଶତଃ ଚଢ଼ିଯାଇଥିଲେ। ତାଙ୍କୁ ଦେଓଗାଁ ଷ୍ଟେସନ୍‌ରେ ଓହ୍ଲାଇବାର ଥିଲା। କିନ୍ତୁ ଏକ୍ସପ୍ରେସ୍‌ ଟ୍ରେନ୍‌ର ଷ୍ଟପେଜ ଏଠାରେ ନଥିବାରୁ ଏହା ଆଗକୁ ବଢ଼ିଥିଲା। ଟ୍ରେନ୍‌ଟି ନ ଅଟକି ବାରୁ ଭୁଲ ଗାଡ଼ିରେ ଆସିଥିବା ଭାବିଥିଲେ। ରଜନୀ (ଝରଣା) ସଇଁତଲା ଷ୍ଟେସନ ପରେ ବଡ଼ମାଲ ଷ୍ଟେସନ୍‌ରେ ଟ୍ରେନ୍‌ଟି ଟ୍ରାକ ବଦଳାଉ ଥିବା ବେଳେ ତଳକୁ ଡେଇଁ ପଡି ଟ୍ରେନ୍‌ ତଳେ ପଡିଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଦୁଇ ଜଣ ଶିଶୁକନ୍ୟା। ଟ୍ରେନ୍‌ର ଅନ୍ୟ ଯାତ୍ରୀମାନେ ଘଟଣା ସଂପର୍କରେ ଅବଗତ ହେଲା ପରେ ୨ ଶିଶୁଙ୍କୁ ବଡ଼ମାଳ ଷ୍ଟେସନରେ ଓହ୍ଲାଇ  ଜିଆରପିକୁ ହସ୍ତାନ୍ତର କରିଥିଲେ। ଅନ୍ୟପଟରେ ରଜନୀଙ୍କ ସ୍ବାମୀ ବିରଞ୍ଚି ମହାନନ୍ଦ ଦେଓଗାଁ ରେଳଷ୍ଟେସନରେ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେବା ପାଇଁ ଅପେକ୍ଷା କରିଥିଲେ। ଏନେଇ ଟିଟିଲାଗଡ଼ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe