ଛାତି ଯନ୍ତ୍ରଣା ପରେ ଡାକ୍ତରଖାନାରେ ଗର୍ଭବତୀଙ୍କ ମୃତ୍ୟ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବାସୁଦେବଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳାଙ୍କୁ ଆଜି ସକାଳୁ ଛାତିରେ ଯନ୍ତ୍ରଣା ହୋଇଥିବା ବେଳେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ପ୍ରକାରେ ବାସୁଦେବଗୁଡା ଗ୍ରାମର ନୀଳ ଗଣ୍ଡଙ୍କ ଗର୍ଭବତୀ ସ୍ତ୍ରୀ ଗୋମତୀ କମର୍ଲା (୨୧)ଙ୍କୁ ଆଜି ସକାଳୁ ପ୍ରାୟ ୭ ଘଣ୍ଟା ସମୟରେ ହଠାତ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକ ତୁରନ୍ତ ସ୍ଥାନୀୟ ଆଶା ଦିଦି ପୂର୍ଣ୍ଣି ମାଝୀଙ୍କୁ ଖବର ଦେଇଥିଲେ। ଆଶା ଦିଦି ନୀଳ ଘରେ ତୁରନ୍ତ ପହଁଚିବା ସହ ଆମ୍ବୁଲାନ୍ସ ଖବର ଦେଇଥିଲେ। ତେବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ସହ ଗୋମତୀଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବା ଯୋଗୁଁ ଆଶା ଦିଦିଙ୍କ ସହାୟତାରେ ପରିବାର ଲୋକ ଏକ ବୁଲେର ଯୋଗେ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଗୋମତୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଯୋଗୁଁ ଗୋମତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଏଠାରେ ପ୍ରକାଶ ଯେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ପାଲିଆ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜିକୁ ୪ ମାସ ହେବ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପଦବି ଖାଲି ପଡ଼ିଛି।ଫଳରେ ପାଲିଆ ପଂଚାୟତର ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସମସ୍ୟା ଦେଖା ଦେଇଛି। ସେହିପରି ପାଲିଆ ପଂଚାୟତର ଲୋକମାନେ କୌଣସି ରୋଗରେ ପୀଡିତ ହୋଇ ଗୁରୁତର ହେଲେ ବାଧ୍ୟ ହୋଇ ୧୬ କିଲୋମିଟର ଦୂର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିବା ପାଇଁ ପଡୁଛି।ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ପାଲିଆ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଁ ପଂଚାୟତବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe