Catch News
ଅଂଶୁପା : ବାଙ୍କୀ ଥାନା ଅନ୍ତର୍ଗତ କଦଳିବାଡ଼ି ପଞ୍ଚାୟତ ମାଳବିହାରପୁର ଶବରସାହିରେ ଆଜି ରାତିରେ ଏକ ହତ୍ୟାକାଣ୍ଡ ହୋଇଛି। ରାତି ପ୍ରାୟ ସାଢ଼େ ୮ଟାରେ ଜଣେ ଯୁବକଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତା ମହିଳାଜଣକ ଶବର ସାହିର ସମୀର ଖଟୁଆଙ୍କ ପତ୍ନୀ ମାମୀ ଖଟୁଆ (୩୬) ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ଯୁବକ ନଣ୍ଡା ଦେହୁରୀ (୪୫)ଙ୍କୁ ପୁଲିସ୍ ଗିରଫ କରି ତଦନ୍ତ ଚଳାଇଛି।
ଅଭିଯୋଗ ମୁତାବକ, ମାଳବିହାରପୁର ଶବରସାହିର ସମୀର ଖଟୁଆ ଓ ତାଙ୍କ ପଡ଼ୋଶୀ ନଣ୍ଡା ଦେହୁରୀଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ଏହାକୁ ନେଇ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ମାମୀ ଓ ନଣ୍ଡାଙ୍କ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ନଣ୍ଡା ଏକ ଟାଙ୍ଗିଆ ଆଣି ସମୀର ଘରେ ପଶି ମାମୀଙ୍କୁ ହାଣି ଦେଇଥିଲା। ମାମୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ଗ୍ରାମର କୃପାସିନ୍ଧୁ ଜେନାଙ୍କୁ ମଧ୍ୟ ନଣ୍ଡା ଆକ୍ରମଣ କରିବାକୁ ପଛାଇ ନ ଥିଲା। ଆକ୍ରମଣରେ କୃପାସିନ୍ଧୁଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ପାଟିତୁଣ୍ଡ ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚି ଗୁରୁତର ଆହତ ମାମୀ ଓ କୃପାସିନ୍ଧୁଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ମାମୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୁବର୍ଣ୍ଣପୁର ବିଟ୍ ହାଉସ୍ ଅଧିକାରୀ ରବିନାରାୟଣ ପରିଡ଼ା ଘଟଣାସ୍ଥଳରୁ ଅଭିଯୁକ୍ତ ନଣ୍ଡାକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ।
Follow Us