ସମ୍ବଲପୁର କୋଭିଡ୍‌ ହସ୍ପିଟାଲରେ ଅବହେଳା ପ୍ରସଙ୍ଗ :ମା’ ଓ ଭାଇଙ୍କ ପରେ ଆଖି ବୁଜିଲେ ମହିଳା

Advertisment

ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର

ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର

ସମ୍ବଲପୁର କୋଭିଡ୍‌ ହସ୍ପିଟାଲରେ ଅବହେଳା ପ୍ରସଙ୍ଗ :ମା’ ଓ ଭାଇଙ୍କ ପରେ ଆଖି ବୁଜିଲେ ମହିଳା

prameyanews.com

‘ଡାକ୍ତର, ନର୍ସ, କେହି ଦେଖୁନାହାନ୍ତି; ନାଁକୁ ମାତ୍ର ଚିକିତ୍ସା
ଗୋଟିଏ ପରିବାର ୩ ଜୀବନ ନେଲା କରୋନା

ସମ୍ବଲପୁର : ସମ୍ବଲପୁର କୋଭିଡ୍‌ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସାଧୀନ ଜଣେ ମହିଳା(୫୦)ଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉପଯୁକ୍ତ ଚିକିତ୍ସା ଅଭାବରୁ ମହିଳାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁଅ ଗୁରୁତର ଅଭିଯୋଗ କରିଛନ୍ତି। ଏଥି ପୂର୍ବରୁ କରୋନାରେ ଏହି ମହିଳାଙ୍କ ମା’ ଏବଂ ଭାଇଙ୍କ ମୃତ୍ୟୁ ହୋଇଥିଲା। ଗତ କିଛି ଦିନ ହେଲାଣି ଉନ୍ନତ ଚିକିତ୍ସା ପାଇଁ ମହିଳାଙ୍କ ପରିବାର ଲୋକେ ତାଙ୍କୁ କଟକ କିମ୍ବା ଭୁବନେଶ୍ବରର ଭଲ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିବେଦନ ଓ ପ୍ରୟାସ କରି ଆସୁଥିଲେ। କିନ୍ତୁ ସ୍ଥାନାନ୍ତର ପାଇଁ ତାଙ୍କୁ ଭେଣ୍ଟିଲେଟରଯୁକ୍ତ ଆଇସିୟୁ ଆମ୍ବୁଲାନ୍ସ ମିଳିନଥିଲା। ଏ ନେଇ ପ୍ରଶାସନର ଦୃଷ୍ଟି ମଧ୍ୟ ଆକର୍ଷଣ କରାଯାଇଥିଲା। ଆମ୍ବୁଲାନ୍ସ ଉପଲବ୍ଧ ହେଲେ ତାଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। କିନ୍ତୁ କିଛି କରାଯାଇ ପାରି ନ ଥିଲା। ଶେଷରେ ଆଜି ମହିଳା ଜଣଙ୍କ ଆଖି ବୁଜିଛନ୍ତି। ଏହାପରେ ତାଙ୍କ ପୁଅ ଚିକିତ୍ସାରେ ଅବହେଳା ସହ ସମ୍ବଲପୁର କୋଭିଡ୍‌ ହସ୍ପିଟାଲ ବିରୋଧରେ ନାନା ପ୍ରକାର ଅଭିଯୋଗ ଆଣିଛନ୍ତି।

ପୁଅଙ୍କ ଅଭିଯୋଗ ଅନୁଯାୟୀ, କୋଭିଡ୍‌ ଚିହ୍ନଟ ହେବା ପରେ ୧୯ ତାରିଖରେ ତାଙ୍କ ମାଙ୍କୁ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୨୧ ତାରିଖରେ ସେ ଆଇସିୟୁକୁ ଆସିଲେ। ସେତେବେଳେ ସେ ନିଜେ ଚାଲି ଚାଲି ଆଇସିୟୁକୁ ଯାଇଥିଲେ। ତେବେ ଏହାପରେ ତାଙ୍କ ଚିକିତ୍ସା ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏମିତିକି ଦିନେ ଭୋର ୩ଟାରେ ସେ ଘରକୁ ଫୋନ୍‌ କରି ତାଙ୍କୁ ଲଗାଯାଇଥିବା ସାଲାଇନ ସରିଯାଇ ରକ୍ତ ବାହାରିବା ଆରମ୍ଭ କଲାଣି; ମାତ୍ର ଏହାକୁ ଖୋଲିବା ପାଇଁ ପାଖରେ କେହି ନର୍ସ କି ଆଟେଣ୍ଡାଣ୍ଟ ନାହାନ୍ତି ବୋଲି ଜଣାଇଥିଲେ। ପୁଅ ତୁରନ୍ତ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରିବାରୁ ସେମାନେ ପ୍ରଥମେ ବିରକ୍ତି ପ୍ରକାଶ କରିଥିଲେ। ଏହାପରେ ସାଲାଇନ୍‌ ଖୋଲା ଯାଇଥିଲା। ଏଭଳି ଆଉ କେତେକ ଅଭିଯୋଗ ମଧ୍ୟ ସେ ଆଣିଛନ୍ତି। ତେବେ ବାରମ୍ବାର ଫୋନ ଜରିଆରେ ମହିଳା ଜଣକ ତାଙ୍କ ପ୍ରତି ହେଉଥିବା ଅବହେଳା ସମ୍ପର୍କରେ ପରିବାରକୁ ଜଣାଇବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ଫୋନ୍‌ ଜବତ କରି ନେଇଥିଲେ। ପୁଅ କହିଛନ୍ତି, ଆଇସିୟୁରେ ଜଣେ ଭଲ ଭେଣ୍ଟିଲେଟର ଅପରେଟର ନାହାନ୍ତି। ଡାକ୍ତର ଏଠାକୁ ଆସନ୍ତି ନାହିଁ। ଅତି ବେଶିରେ ଜଣେ ଏସ୍‌ଆର୍‌ ଯାଇ ଦେଖି ଆସନ୍ତି। କେବଳ ଭିଡିଓ କଲିଂରେ ଚିକିତ୍ସା ହେଉଛି। ମା’ଠାରୁ ଫୋନ ଛଡ଼ାଇ ନେବା ପରେ ତାଙ୍କ ଚିକିତ୍ସାର ଅଗ୍ରଗତି ସମ୍ପର୍କରେ ପଚାରିବାରୁ କେହି ସ୍ପଷ୍ଟ ଉତ୍ତର ଦେଉନଥିଲେ। ଏପରିକି ସେମାନେ ଘରୋଇ ଡାକ୍ତରଖାନାରେ ଦେଖାଇବା ପାଇଁ ଚାହିଁବାରୁ ଡାକ୍ତରଖାନା ପକ୍ଷରୁ ଆଇସିୟୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇ ନ ଥିଲା। ତେଣୁ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରିଲା ନାହିଁ। ଏଭଳି ଅବସ୍ଥା ଯୋଗୁଁ ହିଁ ପ୍ରତିଦିନ ଏଠାରେ ରୋଗୀଙ୍କ ମୃତ୍ୟୁ ହେଉଥିବା ପୁଅ ଅଭିଯୋଗ କରିଛନ୍ତି। ଏମିତିକି ଆଇସିୟୁରୁ ମା’ଙ୍କ ସୁନା ମଙ୍ଗଳସୂତ୍ର ମଧ୍ୟ ଚୋରି ହୋଇଯାଇଥିବା ନେଇ ପୁଅ ଥାନାରେ ଏତାଲା ଦେଇଛନ୍ତି।

ପ୍ଲାଜ୍‌ମା ଦିଆଯାଇଥିଲା, ବଞ୍ଚାଇବା ପାଇଁ ସବୁ ବ୍ୟବସ୍ଥା ହୋଇଥିଲା: ଡାକ୍ତରଖାନା କର୍ତ୍ତୃପକ୍ଷ
ଏହି ଘଟଣା ସଂପର୍କରେ ସମ୍ବଲପୁର କୋଭିଡ୍‌ ଡାକ୍ତରଖାନା ପକ୍ଷରୁ କୁହାଯାଇଛି, ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ତେଣୁ ସେମାନେ ଏଭଳି କହିବେ, ଏଥିରେ କିଛି ପ୍ରତିକ୍ରିୟା ରଖିବାର ନାହିଁ। ମହିଳାଙ୍କୁ ବଞ୍ଚାଇବା ପାଇଁ ପ୍ଲାଜ୍‌ମା ଦିଆଯାଇଥିଲା। ଆବଶ୍ୟକ ସମସ୍ତ ଜୀବନରକ୍ଷାକାରୀ ମେସିନ୍‌ ଲଗାଯାଇ ଥିଲା। ଯଦି ଡାକ୍ତର ଏହା କରି ନାହାନ୍ତି ତେବେ କିଏ କରିଛି? ଡାକ୍ତରଖାନାରେ ଉପଲବ୍ଧ ସୁବିଧା ଅନୁଯାୟୀ ଡାକ୍ତର ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି। ତାଙ୍କର ଥାଇରଏଡ୍‌ ଥିଲା, ଅକ୍ସିଜେନ୍‌ ସ୍ତରରେ ବି ସମସ୍ୟା ଥିଲା। ଏହା ସତ୍ତ୍ବେ ଶେଷ ପର୍ଯ୍ୟନ୍ତ ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe