Image Source: India Today
ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ପାଟକୁରା ଥାନା ତେଣ୍ଡାକୁଡ଼ା ପଞ୍ଚାୟତ ଅଧୀନ ଆଳିଜଙ୍ଗା ଗ୍ରାମରେ ଜଣେ ମହିଳାଙ୍କୁ ହତ୍ୟା କରି ବିଲ ଭିତରେ ପୋତି ଦିଆଯାଇଛି। ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଆଳିଜଙ୍ଗା ଗ୍ରାମର କ୍ଷୀରୋଦ କୁମାର ବେଉରା ଆଜି ବିଲକୁ ଯାଇଥିବା ବେଳେ ଏକ ବୁଦା ଉପରେ ମହିଳାଙ୍କ ଲୁଗାପଟା ପଡ଼ିଥିବା ଦେଖି ସେଠାକୁ ଯାଇଥିଲେ। ସେଠାରେ ମାଟି ଭିତରୁ ବାହାରକୁ ବାହାରିଥିବା ଗୋଡ଼ ଆଙ୍ଗୁଠି ଦେଖି ପୁଲିସକୁ ଖବର ଦେଇଥିଲେ। ପାଟକୁରା ଥାନା ଆଇଆଇସି ସୁଜିତ କୁମାର ପ୍ରଧାନ, ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ, କୋରୁଆ ଫାଣ୍ଡି ଅଧିକାରୀ ମହମ୍ମଦ ଜାମସେଦ ପ୍ରମୁଖ ସେଠାରେ ପହଞ୍ଚିଥିଲେ। ମାଟି ଖୋଳାଯିବା ପରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ମହିଳା ଜଣକ ଆଳିଜଙ୍ଗା ଗ୍ରାମ ବୁଢ଼ୀ ଜାଗୁଳେଇ ମନ୍ଦିର ନିକଟରେ ଘର ଭଡ଼ା ନେଇ ରହୁଥିବା ବିହାର ସମସ୍ତିପୁର ଜିଲ୍ଲାର ରାମନାରାୟଣ ସାହାଣୀଙ୍କ ଶାଳୀ ରେଖା ବୋଲି ସ୍ଥାନୀୟ ଅଞ୍ଚଳବାସୀ ପୁଲିସକୁ ସୂଚନା ଦେଇଛନ୍ତି। ରାମନାରାୟଣ ଏଠାରେ ପରିବାର ସହ ରହିବା ସହ ଗୁପଚୁପ୍ ବେପାର କରୁଥିଲେ। ତେବେ ଗତକାଲିଠାରୁ ତାଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ରାମନାରାୟଣଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ହଠାତ୍ ଫେରାର ହୋଇଯାଇଥିବାରୁ ରେଖାଙ୍କ ମୃତ୍ୟୁ ଘଟଣାରେ ତାଙ୍କର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ଅପମୃତ୍ୟୁ ମାମଲା(୧/୨୦) ରୁଜୁ କରାଯାଇଛି।
Follow Us