Telegraph India
ଯାଜପୁର: ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଦିନକୁ ଦିନ ଭୟଙ୍କର ତ୍ରୁଟି ହେଉଛି। କେତେ ବେଳେ କୁଣ୍ଡେଇ ହେବା ରୋଗୀଙ୍କୁ ଆଖି ଡ୍ରପ୍ ଦେଉଥିବା ବେଳେ ସମୟେ ସମୟେ ନର୍ସମାନେ ଡାକ୍ତର ସେବା ଯୋଗାଉଛନ୍ତି। ତେବେ ଆଜି ମୁଖ୍ୟ ଚିକିତ୍ସାଳୟର ମାତୃ ବିଭାଗରେ ଅନ୍ୟ ଏକ ବଡ ତ୍ରୁଟି ଦେଖିବାକୁ ମିଳିଛି। ଗର୍ଭବତୀ ମହିଳାଙ୍କୁ ସେବାରେ ଅବହେଳାର ଅଭିଯୋଗ ଉଠିଛି। ଫଳରେ ମହିଳା ଜଣକ ପରିଶ୍ରାଗାରରେ ପ୍ରସବ କରିବାର ଚିତ୍ର ସାମ୍ନାକୁ ଆସିଛି। କିନ୍ତୁ ଏହି ଘଟଣାକୁ ହାଲକା ଭାବେ ନେଇଛି ସ୍ବାସ୍ଥ୍ୟ ପ୍ରଶାସନ। କେବଳ କର୍ମଚାରୀଙ୍କୁ ତାଗିଦ କରି ସଡିଏମଓ ନିଜର କର୍ତ୍ତବ୍ୟ ସାରିଛନ୍ତି।
ସୂଚନା ଅନୁସାରେ ବିଂଝାରପୁର ମାଂସଡା ଅଞ୍ଚଳର ସ୍ମୃତିରଂଜନ ମିଶ୍ର ଆଜି ଦିନ ୩ଟାରେ ନିଜର ପତ୍ନୀ ସାଗରିକା ମିଶ୍ରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରିଥିଲେ। ପତ୍ନୀଙ୍କୁ ପ୍ରସବ ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ସ୍ମୃତିରଂଜନ ଜରୁରୀକାଳୀନ ବିଭାଗରେ ଥିବା ଡାକ୍ତରଙ୍କୁ ପ୍ରସବ ବିଭାଗରେ କେହି ଡାକ୍ତର ଅଛନ୍ତି କି ନାହାନ୍ତି ଜାଣିବାକୁ ଚାହିଁଥିଲେ। ଦାୟିତ୍ବରେ ଥିବା ଡାକ୍ତର ନିଜ ଉତ୍ତରରେ ସେଠାରେ ନର୍ସ ଥିବେ ସବୁ ବୁଝିନେବେ ବୋଲି କହିଥିଲେ। ବ୍ୟସ୍ତବିବ୍ରତ ହୋଇପଡୁଥିବା ସ୍ମୃତିରଂଜନ ପତ୍ନୀଙ୍କୁ ନେଇ ପ୍ରସବ ବିଭାଗରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଥିବା ନର୍ସଙ୍କ ବଦଳରେ ମହିଳା ସୁରକ୍ଷା କର୍ମୀ ରୋଗୀ ଦେଖି ଆହୁରି ୫/୬ ଘଣ୍ଟା ବିଳମ୍ବ ହେବ ବୋଲି କହିଥିଲେ। ପରେ ଜଣେ ନର୍ସ ଆସି ରୋଗୀ ଦେଖିବା ସହ ବ୍ୟସ୍ତ ହେଉଛ ଯଦି କଟକ ନେଇଯାଆ ବୋଲି ସ୍ମୃତିରଂଜନଙ୍କୁ ପ୍ରତିଉତ୍ତର ଦେଇଥିଲେ। ପରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ସାଗରିକାଙ୍କୁ ୮ ନମ୍ବର ବେଡରେ ଆଣି ରଖିଥିଲେ। ସାଗରିକା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେ ନିଜେ ପିଲା ଜନ୍ମର ସମୟ ହୋଇଗଲାଣି କହି ଆକୁଳ ନିବେଦନ କରିଥିଲେ ମଧ୍ୟ କେହି କର୍ମଚାରୀ କର୍ଣ୍ଣପାତ କରିନଥିଲେ। ଭୟରେ ସାଗରିକାଙ୍କୁ ପରିଶ୍ରା ଲାଗିବାରୁ ସେ ନିକଟରେ ଥିବା ପରିଶ୍ରାଗାରକୁ ଯାଇଥିବା ବେଳେ ସେହି ଠାରେ ହିଁ ନବଜାତ ଶିଶୁ କନ୍ୟା ଖସି ପଡିଥିଲା। ପରେ ସାଗରିକା ଚିତ୍କାର କରି କାନ୍ଦିବାରୁ ଉପସ୍ଥିତି ଅନ୍ୟ ରୋଗୀଙ୍କ ସଂପର୍କୀୟ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥା ପିଲାଙ୍କୁ ଉଠାଇ ଆଣିଥିବା ବେଳେ ସାଗରିକାଙ୍କୁ ଉଦ୍ଧାର କରିଥିଲେ।
ଖବର ପାଇଁ ଦାୟିତ୍ବରେ ଥିବା ନର୍ସ ସବୁ ଠିକ ଥିବା କହି ଚାଲି ଯାଇଥିଲେ। ସେହି ସମୟରେ କୌଣସି ଡାକ୍ତର ଉପସ୍ଥିତ ନଥିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ମୃତିରଂଜନ ସିଡିଏଓଙ୍କୁ ଭେଟି ଅଭିଯୋଗ କରିଥିଲେ। ସିଡିଏଓ ଘଟଣା ସ୍ଥଳକୁ ଆସି ଘଟଣାକୁ ହାଲକା ଭାବରେ ନେଇ କିଛି ନକହି ଚାଲି ଯାଇଥିଲେ। ଯାହାକି ରୋଗୀ ଏବଂ ତାଙ୍କ ସଂପର୍କୀୟ ଏପରି ସ୍ବାସ୍ଥ୍ୟ ସେବା ଉପରେ ପ୍ରଶ୍ନ ଉଠାଇବା ସହ ଯାଜପୁର ମେଡିକାଲରେ ୫ଟି ଅଚଳ ବୋଲି ମତ ରଖିଥିଲେ। ଖାଲି ସାଗରିକାଙ୍କ କ୍ଷେତ୍ର ରେ ନୁହେଁ ଅନ୍ୟ ରୋଗୀ ମଧ୍ୟ ମେଡିକାଲରେ ବହୁ ସମସ୍ୟାରେ ପଡୁଥିବା ଓ ରୋଗୀଙ୍କ ଅବହେଳା ସଂପର୍କରେ ସିଡିଏମଓଙ୍କୁ କହିଥିଲେ ମଧ୍ୟ ସେ କିଛି ନଶୁଣି ଚାଲି ଯାଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ସିଡିଏଓ ଅରୁଣ କୁମାର ପାତ୍ରଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଘଟଣାରେ ଦାୟିତ୍ବରେ ଅବହେଳା କରିଥିବା କର୍ମଚାରୀଙ୍କୁ ତାଗିଦ କରାଯାଇଥିବା ପ୍ରକାଶ କରିଛନ୍ତି।
Follow Us