ରାଜଧାନୀ ରାସ୍ତାରେ ପ୍ରସବ

ସହାୟତା ପାଇଁ କେହି ଆଗେଇ ଆସିଲେନି, ଫୋନ୍‌ କଲେ ବି ଆସିଲାନି ୧୦୨, ୧୦୮

ରାଜଧାନୀ ରାସ୍ତାରେ ପ୍ରସବ

ଭୁବନେଶ୍ୱର : ମରିଗଲା ମାନବିକତା। ହଜିଗଲା ସମ୍ବେଦନଶୀଳତା। ପ୍ରାୟ ଘଣ୍ଟାଏ ଧରି ପ୍ରସବ ବେଦନାରେ ଛଟପଟ ହେଲେ ବି ଜଣେ କେହି ମହିଳାଙ୍କୁ ସହାୟତା ପାଇଁ ଆଗେଇ ଆସିଲେନି। ଫୋନ୍‌ କଲେ ବି ତାଙ୍କ ନିକଟରେ ପହଞ୍ଚିଲାନି ୧୦୨ କି ୧୦୮ ଆମ୍ବୁଲାନ୍ସ। ଶେଷରେ ରାଜଧାନୀର କେନ୍ଦ୍ରସ୍ଥଳୀ ମାଷ୍ଟରକ୍ୟାଣ୍ଟିନ୍‌ ଅଶୋକା ମାର୍କେଟ୍‌ ଓ ପୁଲିସ୍‌ ସହାୟତା କେନ୍ଦ୍ର ନିକଟରେ ରାସ୍ତା ଉପରେ ସର୍ବସମକ୍ଷରେ ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ। ରକ୍ତାକ୍ତ ଅବସ୍ଥାରେ ମହିଳା ଜଣକ ବେଶ୍‌ କିଛି ସେମିତି ନିସ୍ତେଜ ହୋଇ ପଡ଼ିରହିଥିବା ବେଳେ ତାଙ୍କ ସ୍ୱାମୀ ସେଠାରେ ଅସହାୟ ଭାବେ ଛିଡ଼ା ହୋଇ ରହିଥିଲେ।  ମାଷ୍ଟରକ୍ୟାଣ୍ଟିନ୍‌ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏପରି ଘଟଣା ରାଜ୍ୟ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି।

ରାତି ପାଖାପାଖି ୧୦ଟାରୁ ଆରମ୍ଭ ହୋଇଥିଲା ପ୍ରସବ ବେଦନା। ପାଖରେ ଉପସ୍ଥିତ ଥିବା କିଛି  ବ୍ୟକ୍ତି ୧୦୨ ଓ ୧୦୮କୁ ଫୋନ୍‌ କରି ନିଜ କର୍ତବ୍ୟ ସାରି ଦେଇଥିଲେ। ବିଭିନ୍ନ ପ୍ରଶ୍ନ ପଚାରିଥିଲେ ମଧ୍ୟ କେହି ତାଙ୍କୁ ହସ୍ପିଟାଲ ନେବାର ବ୍ୟବସ୍ଥା କରିିନଥିଲେ। ସର୍ବସମ୍ମୁଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଜଣେ ଅସହାୟା ମହିଳା। ମହିଳାଙ୍କ ନାଁ ରେହେନା ବେଗମ(୩୦) ବୋଲି ଜଣାପଡ଼ିଛି।   ଶେଷରେ ପ୍ରସବ ହେବାର ପ୍ରାୟ ଘଣ୍ଟାଏ ପରେ ୧୦୮ ଆମ୍ବୁଲାନ୍‌ସ ଆଦି ପ୍ରସୂତିଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲା।

ରାଜଧାନୀର ଛାତି ଉପରେ ଘଟିଥିବା ଏହି ଘଟଣା କିଛି ଦିନ ତଳେ ବିଶାଖାପାଟଣା ବସ୍‌ଷ୍ଟାଣ୍ଡ ପାଖରେ ଦିନ ଦିପହରରେ ସମସ୍ତଙ୍କ ସମ୍ମୁଖରେ ଜଣେ ମହିଳାଙ୍କୁ ଜଣେ ମଦ୍ୟପ ଦୁଷ୍କର୍ମ କରିବା ଘଟଣାକୁ ମନେ ପକାଇ ଦେଇଥିଲା। ସେଠି ମଧ୍ୟ ମହିଳା ଜଣକୁ କେହି ରକ୍ଷା କରିବାକୁ ଆଗେଇ ଆସି ନଥିଲେ, ବରଂ ମହିଳା ଜଣକ ଯନ୍ତ୍ରଣାରେ ଚିତ୍କାର କରୁଥିବାବେଳେ ଜଣେ ଦୁଷ୍କର୍ମ ବେଳର ଦୃଶ୍ୟକୁ ନିଜ ମୋବାଇଲରେ ରେକଡ଼ିଂ କରି ନେଉଥିଲେ। ଅମଣିଷପଣିଆର ଏଭଳି ଏକ ନଗ୍ନ ଉଦାହରଣ ଆଜି ପୁଣି ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆ ଏବଂ ରାଜଧାନୀବାସୀଙ୍କ ସମ୍ବେଦନହୀନତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe