ଜଗତସିଂହପୁର: ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଅସ୍ତ୍ରୋପଚାର ପୂର୍ବରୁ ନିଶ୍ଚେତକ ଇଞ୍ଜେକସନ୍ ଦିଆଯିବା ପରେ ଏରସମା ଡାକ୍ତରଖାନାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମାତ୍ର ନିଜ ଦୋଷ ଘୋଡ଼ାଇବାକୁ ଯାଇ ମୃତଦେହକୁ ୯୦ କିଲୋମିଟର ବୁଲାଇଥିଲେ। ଏପରିକି ଏରସମା ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲେ ମଧ୍ୟ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ମୃତଦେହର ଚିକିତ୍ସା ଚାଲିଥିଲା ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ଆସନ୍ତା ୭ ଦିନ ଭିତରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ନୟାଗଡ଼ ଶରଧାପୁର ଅଞ୍ଚଳର ଗୋପାଳ ଚନ୍ଦ୍ର ମୁଦୁଲି ୧୦ ବର୍ଷ ତଳେ ଏରସମା ଗଡ଼ହରିଶପୁର ପଞ୍ଚାୟତ ମଠସାହି ଗ୍ରାମର କାମିନୀ କାଣ୍ଡିଙ୍କୁ ବିବାହ କରିଥିଲେ। ତାଙ୍କର ୫ ବର୍ଷର ଝିଅ ଓ ତିନି ମାସର ପୁଅ ଅଛନ୍ତି। ଫେବ୍ରୁଆରି ୨୮ରେ ଗୋପାଳଙ୍କ ସ୍ତ୍ରୀ କାମିନୀ କାଣ୍ଡି ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଯାଇଥିଲେ। ଅସ୍ତ୍ରୋପଚାର ପୂର୍ବରୁ ଡାକ୍ତରୀ ଯାଞ୍ଚ କରା ନ ଯାଇ ନିଶ୍ଚେତକ ଇଞ୍ଜେକସନ୍ ଦିଆଯାଇଥିଲା। ସେଠାରେ କାମିନୀ ସଂଜ୍ଞାହୀନ ହୋଇ ପଡ଼ିବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜଗତସିଂହପୁର ମେଡିକାଲକୁ ପଠାଇ ଦିଆଯାଇଥିଲା। ଜଗତସିଂହପୁରରୁ କଟକ ଏସ୍ସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଏରସମା ମେଡିକାଲରେ ହିଁ କାମିନୀଙ୍କର ମୃତ୍ୟୁ ହୋଇଥିବା ଏସ୍ସିବି ମେଡିକାଲ ଡାକ୍ତର କହିଥିଲେ ବୋଲି ଗୋପାଳ ଏତଲାରେ ଦର୍ଶାଇଛନ୍ତି। ଭୁଲ୍ ଇଞ୍ଜେକସନ୍ ଯୋଗୁ ପତ୍ନୀ କାମିନୀଙ୍କ ଜୀବନ ଯାଇଥିବା ଓ ଏଥିପାଇଁ ଚିକିତ୍ସା କରୁଥିବା ଡାକ୍ତର ଦାୟୀ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ଗୋପାଳ। ଏରସମା ଥାନା ପୁଲିସ ଏ ସଂକ୍ରାନ୍ତରେ ଡାକ୍ତରଙ୍କ ଅବହେଳାକୁ ନେଇ ମାମଲା ରୁଜୁ କରିଛି।
ସ୍ବାସ୍ଥ୍ୟ ବିଭାଗର ଖୋଳତାଡ଼
ଥାନାରେ ମାମଲା, ରିପୋର୍ଟ ତଲବ
ପ୍ରଶ୍ନ ଉଠୁଛି ଏତଲା ଅନୁସାରେ, ଯଦି ଏରସମା ଡାକ୍ତରଖାନାରେ କାମିନୀଙ୍କର ମୃତ୍ୟୁ ହୋଇଥିଲା ତାହେଲେ ଜଗତସିଂହପୁର ଡାକ୍ତରଖାନାକୁ ପଠାଯିବା ଏବଂ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ କିଭଳି ପଠାଗଲା, ତାହା ଏବେ ବଡ଼ପ୍ରଶ୍ନ ହୋଇ ଠିଆ ହୋଇଛି। ଏହାର ତଦନ୍ତ କରାଯାଇ ଦୋଷୀ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଅନ୍ୟପଟେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକ ବଡ଼ ଡାକ୍ତରଖାନାରୁ ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ରିପୋର୍ଟ ମଗାଯାଇଛି। ସେହିପରି ତଦନ୍ତ ରିପୋର୍ଟ ଆସନ୍ତା ୭ ଦିନ ଭିତରେ ସ୍ବାସ୍ଥ୍ୟ ବିଭାଗକୁ ଦିଆଯିବ ବୋଲି ସିଡିଏମ୍ଓ ଡାକ୍ତର ଶତ୍ରୁଘ୍ନ ଦାଶ କହିଛନ୍ତି। ପୂର୍ବରୁ ଉତ୍ତ୍ୟକ୍ତ ଲୋକ ମହିଳାଙ୍କ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
Follow Us