କେତେ ମାରିବ କୁମ୍ଭୀର? ପୋଖରୀ ତୁଠରୁ ମହିଳାଙ୍କୁ ଟାଣିନେଲା

Advertisment

ପ୍ରତିବାଦରେ ରାସ୍ତାରୋକ

ପ୍ରତିବାଦରେ ରାସ୍ତାରୋକ

ଶୌଚ ପାଇଁ ଯାଇଥିଲେ ବୃଦ୍ଧ: ନଦୀ ଭିତରକୁ ଟାଣିନେଲା କୁମ୍ଭୀର

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଜଣକ ପରେ ଜଣକ ଜୀବନ ଚାଲିଯାଉଛି। ବୁଧବାର ଦିନ ନିଜ ବାଡ଼ି ପୋଖରୀ ତୁଠରେ ବାସନ ମାଜୁଥିବା ବେଳେ ଜଣେ ମହିଳାଙ୍କୁ ଟାଣି ନେଇଛି। ଏହି ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର ବୈଲୋଚନ ଦାସଙ୍କ ସ୍ତ୍ରୀ ସୀତାରାଣୀ(୪୫)। ଦୀର୍ଘ ୩ ଘଣ୍ଟା ପରେ ତାଙ୍କ ମୃତଦେହ ପୋଖରୀ ନିକଟ ନାଳରୁ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରତିବାଦରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ସୂଚନା ଅନୁସାରେ, ବୁଧବାର ଦିନ ପ୍ରାୟ ୨ଟା ସମୟରେ ସୀତାରାଣୀ ଖାଇସାରି ବାଡ଼ିରେ ଥିବା ପୋଖରୀ କୂଳରେ ବସି ବାସନ ମାଜୁଥିଲେ। ହଠାତ୍ ଏକ କୁମ୍ଭୀର ଝାମ୍ପ ମାରି ସୀତାଙ୍କୁ ଟାଣି ନେଇଥିଲା। ତୁଠରୁ ଚଡ଼ଦିଆ ନାଳ ମଧ୍ୟକୁ ନେଇଯାଇଥିଲା। ବ୍ରାହ୍ମଣୀ ନଦୀର ଝାରପଡା ନିକଟରୁ ବାହାରିଥିବା ଏହି ନାଳ ଦଳରେ ଭର୍ତ୍ତି ହୋଇରହିଛି। କୁମ୍ଭୀର ଟାଣି ନେବାପରେ ମହିଳା ଜଣକ ବଞ୍ଚାଇବାକୁ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀ କୃଷ୍ଣଚନ୍ଦ୍ର ଦାସ, ଭ୍ରମର ପ୍ରଧାନ ସେଠାରେ ପହଞ୍ଚି ପାଗଡ଼ (ଦଉଡ଼ି) ଫିଙ୍ଗିଥିଲେ ବି ନାଳ ଦଳରେ ଭର୍ତ୍ତି ହୋଇଥିବାରୁ ସୀତାଙ୍କୁ ରକ୍ଷା କରି ପାରିନଥିଲେ। କିଛିସମୟ ମଧ୍ୟରେ ବିରାଟକାୟ କୁମ୍ଭୀରଟି ସୀତାଙ୍କୁ ନାଳ ଭିତରେ ଦାବି ଦେଇଥିଲା।

ଏହି ଖବର ଜାଣିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାସ୍ତାରେ ଟାୟାର ଜାଳି ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ। ବନବିଭାଗର କର୍ମଚାରୀ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନାଳଟି ଦଳରେ ଭର୍ତ୍ତି ହୋଇଥିବାରୁ ଉଦ୍ଧାର ବିଳମ୍ବିତ ହୋଇଥିଲା। ନାଳ ଭିତରେ ଜାଲ ଟାଣି ବନ କର୍ମଚାରୀମାନେ ପ୍ରଥମେ ଦଳ କାଢିବା ଆରମ୍ଭ କରିଥିଲେ। ପରେ ଜେସିବି ମାଧ୍ୟମରେ ଦଳ ଛଣା ଯିବା ପରେ ମହିଳାଙ୍କ ମୃତଦେହ ମିଳିଥିଲା।

publive-image

ତହସିଲଦାର ଅଶ୍ବିନୀ କୁମାର ଭୂୟାଁ, ଆଇଆଇସି ଶ୍ରୀକାନ୍ତ କୁମାର ବାରିକ, ସରପଞ୍ଚ ଚିତ୍ତରଂଜନ ପଣ୍ତା ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ତେବେ, ଦୀର୍ଘ ୩ ଘଂଟା ଧରି ରାସ୍ତାରୋକ ଯୋଗୁଁ ଦୁଇପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଜିଲ୍ଲାପାଳଙ୍କ ସହ କଥା ହୋଇ ତହସିଲଦାର ରେଡକ୍ରସ ପାଣ୍ଠିରୁ ଶବ ସତ୍କାର ପାଇଁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।

ମୃତ ମହିଳାଙ୍କ ସ୍ବାମୀ ପୁନେରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଝିଅ ଓ ପୁଅ କେରଳରେ କାମ କରୁଛନ୍ତି। ଘରେ ବୃଦ୍ଧା ଶାଶୂ ଗୁର ଦାସଙ୍କ ସହ ୧୧ବର୍ଷର ସାନପୁଅ ଆକାଶ ଅଛନ୍ତି।

ସୂଚନାଯୋଗ୍ୟ ଯେ ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀ କୂଳରୁ ପ୍ରଥମ ରଜ ଦିନ ନିମପୁର ଗାଁର ୧୦ବର୍ଷର ନାବାଳକ ଆଶୁତୋଷ ଆଚାର୍ଯ୍ୟଙ୍କୁ କୁମ୍ଭୀର ମା’ କୋଳରୁ ଟାଣି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe