କୋଭିଡ୍‌ ଆଶ୍ରୟସ୍ଥଳୀରେ ଅଘଟଣ : ଅନ୍ତେବାସୀଙ୍କୁ ଏସିଡ୍‌ମାଡ଼, ଜଣେ ଅଟକ, ରାଜସ୍ଥାନରେ ମହିଳାଙ୍କୁ ଗଣଦୁଷ୍କର୍ମ

କୋଭିଡ୍‌ ଆଶ୍ରୟସ୍ଥଳୀରେ ଅଘଟଣ : ଅନ୍ତେବାସୀଙ୍କୁ ଏସିଡ୍‌ମାଡ଼, ଜଣେ ଅଟକ, ରାଜସ୍ଥାନରେ ମହିଳାଙ୍କୁ ଗଣଦୁଷ୍କର୍ମ

The Hans India

ରାୟଗଡ଼ା: ରାୟଗଡ଼ା ବ୍ଲକ୍ କୁମ୍ଭିକୋଟା କୋଭିଡ୍ ଆଶ୍ରୟସ୍ଥଳୀରେ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଦେଣନେଣକୁ କେନ୍ଦ୍ର କରି ଦୁଇ ଅନ୍ତେବାସୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ରରୂପ ନେଇଛି। ଏସିଡ୍ ମାଡ଼ରେ ଦିଲ୍ଲୀପ ଶାହା ନାମକ ଜଣେ ଅନ୍ତେବାସୀ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଦିଲ୍ଲୀପଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏସିଡ୍ ମାଡ଼ କରିଥିବା ବିଘ୍ନେଶ ଶାହାକୁ ଟାଉନ୍ ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି।

ବିହାର ରାଜ୍ୟ ମାର୍କେଟିଆ ଜିଲ୍ଲା ପୂର୍ବଚମ୍ପରଣ ଗ୍ରାମର ବିଘ୍ନେଶ ଓ ଦିଲ୍ଲୀପ ବୃତ୍ତିରେ ବୁଲା ବେପାରୀ। ଦୁହେଁ କୋରାପୁଟ ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ ଘରକୁ ଘର ବୁଲି ରୋଲଡ୍ ଗୋଲଡ୍ ସୁନା ଚେନ୍ ଓ ଅନ୍ୟାନ୍ୟ ସାମଗ୍ରୀ ସଫା କରୁଥିଲେ। ଲକ୍‌ଡାଉନ୍ ଯୋଗୁଁ ବ୍ୟବସାୟ ବନ୍ଦ ଥିବାରୁ ଉଭୟ ଘରକୁ ଫେରିବା ପାଇଁ ରାୟଗଡ଼ା ଆସୁଥିବା ବେଳେ କୁମ୍ଭିକୋଟା ନିକଟରେ ପ୍ରଶାସନ ଅଟକ ରଖି ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଆଶ୍ରୟସ୍ଥଳୀରେ ରଖିଥିଲା। ପାଖରେ ଥିବା ଟଙ୍କା, ପଇସା ସରି ଯାଇଥିବାରୁ ଦିଲ୍ଲୀପଙ୍କ ଆକାଉଣ୍ଟକୁ ବିଘ୍ନେଶରଙ୍କ ପତ୍ନୀ ୫ ଶହ ଟଙ୍କା ପଠାଇଥିଲେ। ଏଟିଏମ୍‌ରୁ ଟଙ୍କା ଉଠାଇ ଦେବାରେ ଦିଲ୍ଲୀପ ବିଳମ୍ବ କରୁଥିବାରୁ ଆଜି ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ବିଘ୍ନେଶ ଟଙ୍କା ଦେବା ନେଇ ଦିଲ୍ଲୀପକୁ କଟୁ କଥା କହିବା ସହ ଉତ୍‌କ୍ଷିପ୍ତ ହୋଇ ସୁନା ସଫେଇ ପାଇଁ ପାଖରେ ଥିବା ଏସିଡ୍‌କୁ ଦିଲ୍ଲୀପ ଉପରେ ଢାଳି ଦେଇଥିଲା। ଫଳରେ ଦିଲ୍ଲୀପର ମୁହଁ ଓ ଶରୀରର ବିଭିନ୍ନ ସ୍ଥାନ ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ଆଶ୍ରୟସ୍ଥଳୀ କର୍ମଚାରୀ, କୁମ୍ଭିକୋଟା ପୁଲିସକୁ ଦିଲ୍ଲୀପକୁ ଉଦ୍ଧାର କରି ରାୟଗଡ଼ାକୁ ଡାକ୍ତରଖାନାକୁ ଆଣିଥିଲେ। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ବିଘ୍ନେଶକୁ ଥାନାରେ ଅଟକ ରଖିଛି।

ରାଜସ୍ଥାନ: ମହିଳାଙ୍କୁ ଗଣଦୁଷ୍କର୍ମ
ଜୟପୁର : କୋଭିଡ-୧୯ ସନ୍ଦେହରେ ଏକ ସ୍କୁଲଘରେ କ୍ବାରାଣ୍ଟିନ୍‌ରେ ଥିବାବେଳେ ଜଣେ ୪୦ ବର୍ଷୀୟ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ରାଜସ୍ଥାନର ଜୟପୁର ଅନ୍ତର୍ଗତ ସାୱାଇ ମାଧପୁର ବତୋଡା ଥାନା ଅଞ୍ଚଳରେ ଗତ ଗୁରୁବାର ରାତିରେ ମହିଳାଙ୍କୁ ୩ ଜଣ ଯୁବକ ଦୁଷ୍କର୍ମ କରିଛନ୍ତି। ମହିଳା ଜଣକ ନିଜ ଗାଁଠାରୁ ୧୦୦ କିଲୋମିଟର ଦୂର ଅନ୍ୟ ଏକ ଅଞ୍ଚଳରେ ରହୁଥିଲେ। ତେବେ କୋଭିଡ-୧୯ ଲକ୍‌ଡାଉନ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ହୋଇଯିବାରୁ ସେ ଚାଲିଚାଲି ନିଜ ଗାଁକୁ ଫେରୁଥିଲେ। ବତୋଡ଼ାଠାରେ ବାଟଭୁଲି ଯାଇଥିଲେ। ମହିଳାଙ୍କୁ ଏଭଳି ଅସହାୟ ଅବସ୍ଥାରେ ଦେଖିବା ପରେ ଗ୍ରାମବାସୀ ତାଙ୍କୁ ନିଜ ଗାଁର ସରକାରୀ ସ୍କୁଲ୍‌ରେ କ୍ବାରାଣ୍ଟିନ୍‌ରେ ରଖିଥିଲେ। କ୍ବାରାଣ୍ଟିନ୍‌ରେ ଥିବାବେଳେ ବତୋଡା ଗାଁର ୩ ଜଣ ଯୁବକ ଉକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଉକ୍ତ ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି ଏବଂ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଥିବା ବତେଡା ଥାନାଧିକାରୀ ସୀତାରାମ ମୀନା ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ୩ ଯୁବକ ହେଉଛନ୍ତି ଋଷିକେଶ ମୀନା, ଲକ୍ଷ୍ମଣ ରେଗାର ଏବଂ କମଲ ଖରୁଆର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe