photo by : Dhaka Tribune
କୋରେଇ : କୋରେଇ ନାବାଳିକା ହତ୍ୟା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ସମ୍ବେଦନଶୀଳ ଘଟଣା ଯୋଡ଼ି ହୋଇଯାଇଛି। ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁର୍ବୃତ୍ତମାନେ ପାଇଟି ଦେବାକୁ କହି ରାତିସାରା ଗଣଦୁଷ୍କର୍ମ କରିଛନ୍ତି। ଏହାପରେ ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଚାଲି ଯାଇଛନ୍ତି। ଖବର ପାଇ ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ଡାକ୍ତରୀମାଇନା କରାଇଛି। ସଂଧ୍ୟାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର୍ ଥିବା ପୁଲିସ ସୂଚନା ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁଆଖିଆ ଥାନା ଅଞ୍ଚଳର ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ଶାଶୂଘର ଛାଡ଼ି ବ୍ରହ୍ମବରଦା ଅଞ୍ଚଳରେ ରହୁଥିଲେ। ନିଜେ ରୋଜଗାର କରିବା ଆଶାରେ ଭାଉଜ ନିକଟରେ ଏକମାତ୍ର ପୁଅକୁ ଛାଡ଼ି ରାଜଧାନୀରେ ଏକ ଘରୋଇ କଲେଜରେ କାମ କରୁଥିଲେ। ସେଠାରେ କିଛି ଅସୁବିଧା ହେବାରୁ କୋରେଇ ଥାନା ଅନ୍ତର୍ଗତ ଚିଲିପଦା ଗ୍ରାମର ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଗତକାଲି ଆସିଥିଲେ। ବସ୍ ଯୋଗେ ଆସି ସଂଧ୍ୟାରେ ପାଣିକୋଇଲିଠାରେ ଓହ୍ଲାଇ ଗାଡ଼ିକୁ ଅପେକ୍ଷା କରିଥିଲେ। ଏହି ସମୟରେ ରବୀନ୍ଦ୍ର ମଳି ଓରଫ ବୁଜିଆ ମଳିକ, ଲାଲା ମଳିକ ଓ ହନି ରାଉତ ନାମକ ୩ ଜଣ ଯୁବକ ସେଠାରେ ପହଞ୍ଚି ସଂପୃକ୍ତ ମହିଳାଙ୍କୁ କାମ ଦେବାକୁ କହିବା ସହିତ ଫୁସୁଲାଫୁସୁଲି କରି ନେଇ ଆସିଥିଲେ। ତାକୁ ଏକ ଗାଡ଼ି ସୋରୁମ୍ରେ କାମ ଦେବେ ବୋଲି କହିଥିଲେ। ମହିଳାଙ୍କଠାରୁ ନଗଦ ୮ ହଜାର ଟଙ୍କା ଛଡ଼ାଇନେବା ସହିତ ୩ ଜଣ ଯାକ ରାତିସାରା ଦୁଷ୍କର୍ମ କରିବା ପରେ ରାସ୍ତାରେ ଫିଙ୍ଗି ଦେଇ ଚମ୍ପଟ ମାରିଥିଲେ। କାହାକୁ କିଛି ନ କହିବାକୁ ଧମକ ଦେଇଥିଲେ। ଅତି ଦୟନୀୟ ଅବସ୍ଥାରେ ରାସ୍ତାରେ ମହିଳା ଜଣଙ୍କ କାନ୍ଦୁଥିବା ବେଳେ କେତେକ ଲୋକେ କୋରେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରି ଡାକ୍ତରୀ ମଇନା କରିଛି। ସଂଧ୍ୟାରେ ପୁଲିସ ବୁଜିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।
Follow Us