ବିନିକା/ବୁର୍ଲା: ବୁର୍ଲା ବଡ଼ମେଡିକାଲରେ ଜଣେ ମହିଳା ଏକକାଳୀନ ୪ ଜଣ ଶିଶୁଙ୍କୁ ଜନ୍ମଦେଇଛନ୍ତି। ଏହି ୪ ନବଜାତଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପୁଅ ଓ ୩ କନ୍ୟା। ଶିଶୁମାନଙ୍କର ଓଜନ କମ୍ ଏବଂ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଡାକ୍ତରଖାନାର ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଛି। ୪ ଜଣ ଶିଶୁଙ୍କର ମା’ ହୋଇଥିବା ମହିଳା ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗାଁର ରବୀନ୍ଦ୍ର ବାଗ୍ଙ୍କ ସ୍ତ୍ରୀ କୁନି ସୁନା।
ସୂଚନା ଅନୁସାରେ ପ୍ରସବଜନିତ ଯନ୍ତ୍ରଣା ଅନୁଭବ କରିବାରୁ କୁନି ସୁନାଙ୍କୁ ମଙ୍ଗଳବାର ବୁର୍ଲା ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବାର ଅଳ୍ପ ସମୟ ପରେ ଅର୍ଥାତ୍ ଦିନ ୨ଟା ବେଳକୁ ପର୍ଯ୍ୟାୟ କ୍ରମେ ୪ ମିନିଟ୍ ବ୍ୟବଧାନରେ ସେ ପ୍ରଥମେ ତିନୋଟି ଶିଶୁକନ୍ୟା ଓ ଶେଷରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତିନି ଶିଶୁ କନ୍ୟାମାନଙ୍କ ଓଜନ ଯଥାକ୍ରମେ ୧.୨ କେଜି, ୯୦୦ଗ୍ରାମ, ୭୦୦ ଗ୍ରାମ ଥିବା ବେଳେ ଶିଶୁ ପୁତ୍ରର ଓଜୋନ ୬୦୦ ଗ୍ରାମ ରହିଛି। ତେବେ ଏକା ସଙ୍ଗେ ୪ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳା ସୁସ୍ଥ ଅଛନ୍ତି। ତେବେ ଶିଶୁମାନଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସମସ୍ତଙ୍କୁ ଏହି ଡାକ୍ତରଖାନାର ଏସ୍ଏନ୍ସିୟୁରେ ରଖାଯାଇଛି।
Follow Us