ରାସ୍ତା କଡ଼ରେ ଶିଶୁପୁତ୍ର ଜନ୍ମ ଦେଲେ ଗର୍ଭବତୀ

Advertisment

ଆମ୍ବୁଲାନ୍‌ସ ଆସିଲାନି; ବାଟରେ ଓହ୍ଲାଇଦେଲା ଟ୍ରକ୍‌

ଆମ୍ବୁଲାନ୍‌ସ ଆସିଲାନି; ବାଟରେ ଓହ୍ଲାଇଦେଲା ଟ୍ରକ୍‌

ରାସ୍ତା କଡ଼ରେ ଶିଶୁପୁତ୍ର ଜନ୍ମ ଦେଲେ ଗର୍ଭବତୀ

ଯୋଡ଼ା : ଡାକ୍ତରଖାନାରେ ଛୁଆକୁ ସୁରକ୍ଷିତ ଜନ୍ମ ଦେବା ପାଇଁ ଗର୍ଭବତୀ ମନ ବଳାଇଥିଲେ। ସନ୍ଧ୍ୟା ବେଳୁ ‘୧୦୨’ ଆମ୍ବୁଲାନ୍‌ସକୁ ଦିଆଯାଇଥିଲା ଖବର। କିନ୍ତୁ ରାତି ଯାଏ ଗାଡ଼ିର ଦେଖା ମିଳିଲାନି। ତେଣୁ ସ୍ୱାମୀ ସାଥୀରେ ଟ୍ରକ୍‌ରେ ଡାକ୍ତରଖାନା ଯିବାକୁ ଚଢ଼ିଥିଲେ ଆସନ୍ନ ପ୍ରସବା ମହିଳା। କିନ୍ତୁ ଆମ୍ବୁଲାନ୍‌ସ ଭଳି ନିର୍ଦୟ ହେଲା ଟ୍ରକ୍‌ ଡ୍ରାଇଭର। ରାତି ପ୍ରାୟ ୮ଟା ବେଳେ ଅଧା ବାଟରେ ସ୍ୱାମୀ ଓ ଗର୍ଭବତୀ ମହିଳାଙ୍କୁ ଓହ୍ଲାଇଦେଲା। ଶୀତ ରାତିରେ ରାସ୍ତା କଡ଼ରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଏକ ଶିଶୁପୁତ୍ର ଜନ୍ମ ଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ତୁରୁମୁଙ୍ଗା ଥାନା ଅଂଚଳରେ ଦେଖିବାକୁ ମିଳିଛି।

ରେଙ୍ଗାଳବେଡ଼ା ଗାଁର ଗୌରୀ କାରୁଆ(୨୮)ଙ୍କ କହିବା ଅନୁସାରେ, ସେ କିଛି ଦିନ ହେଲା ତାଙ୍କ ବାପ ଘର ବାମେବାରୀରେ ରହୁଥିଲେ। ଗର୍ଭ ଯନ୍ତ୍ରଣା ହେବାରୁ ସନ୍ଧ୍ୟାରେ ସ୍ୱାମୀ ମହେଶ କାରୁଆ ସରକାରୀ ଆମ୍ବୁଲାନ୍‌ସ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ଡ୍ରାଇଭର ନ ଥିବା ଦର୍ଶାଇ ସରକାରୀ ଆମ୍ବୁଲାନ୍‌ସ ଆସିଲାନି। ତେଣୁ ଉପାୟଶୂନ୍ୟ ଗୌରୀ ସ୍ୱାମୀଙ୍କୁ ନେଇ ରାତି ୭ଟା ବେଳକୁ ଯୋଡ଼ା ଡାକ୍ତରଖାନା ବାହାରିଥିଲେ। ସନ୍ଧ୍ୟା ବେଳକୁ କିଛି ଗାଡ଼ି ନ ମିଳିବାରୁ ସ୍ୱାମୀ ଓ ସ୍ତ୍ରୀ ଅନନ୍ୟୋପାୟ ହୋଇ ଏକ ଟ୍ରକ୍‌ରେ ଚଢ଼ିଥିଲେ। ବାଟରେ ଜୁରୁଡ଼ିଠାରେ ଟ୍ରକ୍‌ ଚାଳକ ମହେଶଙ୍କୁ ଓହ୍ଲାଇ ଦେଇ ଗୌରୀଙ୍କୁ ଧରି ଆଗକୁ ପଳାଇଥିଲା। କିଛି ବାଟ ଯିବା ପରେ ରାସ୍ତା କଡ଼ରେ ଗୌରୀଙ୍କୁ ବି ଟ୍ରକ୍‌ ଚାଳକ ଓହ୍ଲାଇ ଦେଇଥିଲା। ରାତିରେ ଗୌରୀ ଏବଂ ମହେଶ ପରସ୍ପର ପରସ୍ପରଠାରୁ ଅଲଗା ହୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ଶୀତ କାକରରେ ରାସ୍ତା କଡ଼ରେ ଗୌରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ଅନ୍ୟପକ୍ଷରେ ସ୍ତ୍ରୀକୁ ଟ୍ରକ୍‌ ଚାଳକ ଅପହରଣ କରିଥିବା ଆଶଙ୍କାରେ ମହେଶ ଥାନାକୁ ଯାଇଥିଲେ। ରାତି ସାରା ପୁଲିସ ସହିତ ବାଂଶପାଣି ଓ ଜୁରୁଡ଼ି ଅଞ୍ଚଳରେ ମହେଶ ସ୍ତ୍ରୀକୁ ଖୋଜାଖୋଜି କରିବା ପରେ ଆଜି ସକାଳେ ଜୁରୁଡ଼ି ସ୍ଥିତ କ୍ରେଚ୍‌ ହଟିଂ ନିକଟରେ ଗୌରୀ ଓ ନବଜାତ ଶିଶୁଙ୍କର ସନ୍ଧାନ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe