ଆମ୍ବୁଲାନ୍ସ ପହଞ୍ଚିଲାନି, ରାସ୍ତାରେ ଜନ୍ମନେଲେ ଜାଆଁଳା ଶିଶୁ

ଜଣଙ୍କର ମୃତ୍ୟୁ, ଡାକ୍ତରଖାନାରେ ସଂଘର୍ଷ କରୁଛି ଅନ୍ୟ ଜଣେ

କଟକରେ ୫୦ ହଜାରରେ ଶିଶୁ ବିକ୍ରି ! କାର୍‌କୁ ପିଛା କରି ୪ ଜଣଙ୍କୁ ଧରିଲା ଚାଇଲ୍‌ଡ ଲାଇନ୍‌

(Representational image Only)

ଯଶିପୁର : ଲୁଚାଇଲେ ବି ଲୁଚିଲାନି। ବିଳମ୍ବରେ ଆସିଲା ଖବର, ହେଲେ ଛାତି ଥରାଇବା ଭଳି। ନିରାପଦ ମାତୃତ୍ବ ଓ ପ୍ରସବ ଯୋଜନାକୁ ଏ ଖବର ଏକ ଶକ୍ତ ଚାପୁଡ଼ା। ଆମ୍ବୁଲାନ୍ସ ପହଞ୍ଚିପାରିଲାନି, ବାଟରେ ଜନ୍ମନେଲେ ଜାଆଁଳା ଶିଶୁ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡାକ୍ତରଖାନାରେ ସଂଘର୍ଷ କରୁଛି। ଗତ ୧୨ ତାରିଖରେ ଯଶିପୁର ମଉଦି ପଞ୍ଚାୟତ ମହୁଲପଦା ସାହିର ଏ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି।

ସୁଜିତ ତିରିଆଙ୍କ ସ୍ତ୍ରୀ ନିଶ୍ଚଳା ମହାନ୍ତ (୧୮)ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସ୍ବାମୀ କିଛି ବାଟ ନ ପାଇ ସ୍ତ୍ରୀଙ୍କୁ କାନ୍ଧରେ ବୋହି ବୋହି ଆଣୁଥିଲେ। ହେଲେ ପ୍ରସବ ଯନ୍ତ୍ରଣାରେ ଛଟପଟ ନିଶ୍ଚଳା ମଝି ରାସ୍ତାରେ ସନ୍ତାନ ଜନ୍ମଦେଲେ। ଇଟାମୁଣ୍ଡି ନିକଟରେ ଠିଆ ହୋଇଥିବା ଜନନୀ ଏକ୍ସପ୍ରେସ ପାଖରେ ପହଞ୍ଚିବା ବେଳକୁ ଦ୍ବିତୀୟ ସନ୍ତାନ ଜନ୍ମ ନେଇଥିଲା। ଅପରିପକ୍ବ ପ୍ରସବ ହେତୁ, ଜଣକର ଓଜନ ମାତ୍ର ୬୦୦ ଗ୍ରାମ ହୋଇଥିବାବେଳେ ଅନ୍ୟଟିର ୧କେଜି। ଯଶିପୁରରେ ପହଞ୍ଚି ଚିକିତ୍ସା ପରେ ସଙ୍ଗେ ସଙ୍ଗେ କରଂଜିଆ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୬୦୦ ଗ୍ରାମ ଓଜନ ଥିବା ଶିଶୁର ମୃତ୍ୟୁ ଘଟିଥିଲା। ଅନ୍ୟ ସନ୍ତାନକୁ ସେଠାରେ ରଖାଯାଇ ଆଜି ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିଛି। ଏ ରାସ୍ତା ଯମଯନ୍ତ୍ରଣାଠାରୁ କିଛି କମ୍‌ ନୁହେଁ। ପ୍ରସୂତି ଦୂରେ ଥାଉ, ଗୁରୁତର ରୋଗୀର ଜୀବନ ବି ରାସ୍ତାରେ ଚାଲିଯିବ। କାରଣ ଏ ଗାଁରେ ଆମ୍ବୁଲାନ୍ସ ପହଞ୍ଚିବା ପୂରା ଅସମ୍ଭବ। ରାସ୍ତାର ଦୁର୍ଦ୍ଦଶା ପାଇଁ ବାରମ୍ବାର ଅଭିଯୋଗ ପରେ ନିକଟରେ ରାସ୍ତା କାମ ଆରମ୍ଭ ହୋଇଛି। ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ତିଆରି ଆରମ୍ଭ ହୋଇଥିବାବେଳେ କେବଳ ମାଟି ପଡ଼ିଛି। ଆଉ ବର୍ଷା ହେବା ପରେ ସେଥିରେ ଚାଲିକି ଯିବା କଷ୍ଟକର ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe