ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ପରେ ପୋଡ଼ିଦେଲେ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଓ ଜରଡ଼ା ଥାନା ଆଙ୍କୁଲି ପଞ୍ଜାୟତ ଆଦିବାସୀଅଧ୍ୟୁଷିତ ହଳଦୀବାଡ଼ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଗୁରୁବାରିଆ ଡାକୁଆ (୪୫)ଙ୍କୁ ହତ୍ୟା ପରେ ଶବକୁ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ପତ୍ନୀ ଶ୍ରୀମତୀ ଡାକୁଆ ଅଭିଯୋଗ କରିବା ପରେ ପୁଲିସର ଏକ ଟିମ୍ ଗ୍ରାମରେ ପହଞ୍ଚି ତନାଘନା ଆରମ୍ଭ କରିଛି।

ଶ୍ରୀମତୀଙ୍କ ଅଭିଯୋଗ ଅନୁସାରେ, ଗତକାଲି ସକାଳ ୧୦ଟା‌ରେ ଗୁରୁବାରିଆ ଘରେ ବିଶ୍ରାମ ନେଉଥିଲେ। ଏହି ସମୟରେ ୧୫ରୁ ଅଧିକ ଲୋକ ଘର ଭିତରକୁ ଧସେଇ ପଶିଥିଲେ। ତାଙ୍କ ଆଗରେ ଗୁରୁବାରିଆଙ୍କୁ ଟାଣି ନେଇ ଗ୍ରାମ ଦାଣ୍ଡରେ ପ୍ରବଳ ମାଡ଼ ମାରିଥିଲେ। ପ୍ରତିବାଦ କରିବାରୁ ତାଙ୍କ ଉପରେ ବି ଆକ୍ରମଣ ହୋଇଥିଲା। କିଛି ସମୟ ପରେ ତାଙ୍କ ସାମ୍ନାରେ ହିଁ ଗୁରୁବାରିଆଙ୍କ ମୃତ୍ୟୁ ହୋଇଥିବା ଶ୍ରୀମତୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଦାଣ୍ଡରେ ବାପାଙ୍କୁ ମାଡ଼ ମରାଯାଉଥିବା ଦେଖି ୭ ଝିଅଙ୍କ ମଧ୍ୟରୁ ୫ ଝିଅ ଭୟରେ ଜଙ୍ଗଲକୁ  ଚାଲିଯାଇଥିଲେ। ଦୁଇଝିଅଙ୍କୁ ସାଙ୍ଗରେ ଧରି ଶ୍ରୀମତୀ ରାତି ୧୧ଟାରେ ବାପଘର ତିତିରିସିଙ୍ଗି ଗ୍ରାମକୁ ପଳାଇଥି‌ଲେ। ତିତିରିସିଙ୍ଗି ଗ୍ରାମର କିଛି ଲୋକଙ୍କ ସହାୟତାରେ ୨ ଝିଅଙ୍କୁ ଜଙ୍ଗଲରୁ ଉଦ୍ଧାର କରିଥିଲେ। ଆଜି ସକାଳେ ଶ୍ରୀମତୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣା ବିଷୟରେ ଜଣାଇବା ସହିତ ଥାନାରେ ଏତଲା ‌ଦେବେ ବୋଲି କହିଛନ୍ତି। ଗୁରୁବାରିଆ ଝଡ଼ାଫୁଙ୍କା କରୁଥିବା ଯୋଗୁଁ ସେ ଜଣେ ଗୁଣିଆ ବୋଲି ଗ୍ରାମବାସୀ ସନ୍ଦେହ କରିଆସୁଥିଲେ। ଫଳରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ସେପଟେ ଗୁରୁବାରିଆ ଝାଡ଼ାବାନ୍ତିରେ ମରିଥିବା କିଛି ଗ୍ରାମବାସୀ କହିଛନ୍ତି। ଉକ୍ତ ଗ୍ରାମକୁ ପୁଲିସ ଟିମ୍ ଯାଇଥିବା ଜରଡ଼ା ଥାନାଧିକାରୀ ଟୁନା ସାସମଲ ପ୍ରକାଶ କରିଛନ୍ତି। ତଦନ୍ତ ଜାରି ରହିଛି। ଶ୍ରୀମତୀ ବର୍ତ୍ତମାନ ୭ ଝିଅ ସହ ବାପଘରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe